fbpx

କେଜ୍ରିୱାଲଙ୍କୁ ଜବରଦସ୍ତ ଝଟକା: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ତାଜା ଅପଡେଟ୍ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ଗିରଫ ହୋଇଛନ୍ତି । ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ କରାଯାଇଛି ଗିରଫ । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ସତ୍ୟେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । କେଜ୍ରିୱାଲଙ୍କ ଜଣେ ବିଶ୍ୱସ୍ତ ଭାବେ ବେଶ ଜଣାଶୁଣା ଥିଲେ ସତ୍ୟେନ୍ଦ୍ର ।

ସତ୍ୟେନ୍ଦ୍ରଙ୍କ ଏକ କମ୍ପାନୀରେ ୪.୮୧ କୋଟି ଟଙ୍କାର ଘୋଟାଲା ହୋଇଥିବା ଜଣାପଡ଼ିଛି । ୨୦୧୫-୧୬ରେ ଏହି କେଳେଙ୍କାରୀ ହୋଇଥିବା ଇଡିର ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା । ତେବେ ଉକ୍ତ ବେଆଇନ ଅର୍ଥରେ ସତ୍ୟେନ୍ଦ୍ର ଦିଲ୍ଲୀ ଓ ତା’ର ନିକଟବର୍ତ୍ତୀ ଅଞ୍ଚଳରେ ଜମି କିଣିବା ଯୋଜନା କରୁଥିଲେ । ନିଜ କ୍ଷମତାର ଅପବ୍ୟବହାର ନେଇ ସତ୍ୟେନ୍ଦ୍ରଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଥିଲା ।

ସତ୍ୟେନ୍ଦ୍ରଙ୍କ ଗିରଫ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟ୍ୱିଟ କରି ବିଜେପି ଉପରେ ବର୍ଷିଛନ୍ତି । ଦୀର୍ଘ ୮ ବର୍ଷ ଧରି ସତ୍ୟେନ୍ଦ୍ରଙ୍କ ନାମରେ ଫର୍ଜି କେସ ଚାଲି ଆସୁଛି । ସେଥିପାଇଁ ତାଙ୍କୁ ଅନେକ ଥର ଡକାଇ ପଚରାଉଚରା କରାଯାଇଥିଲା । ମାତ୍ର ତାଙ୍କ ପାଖରୁ କିଛି ମିଳିନଥିଲା ବୋଲି ମନିଷ କହିଛନ୍ତି । ସୂଚନାଯୋଗ୍ୟ ଯେ, ୬ ଦିନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କ୍ୟାବିନେଟରୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବହିଷ୍କାର କରିଥିଲେ ।

Get real time updates directly on you device, subscribe now.