ହଲିଉଡ୍ ସିନେମାରୁ ଆଇଡିଆ ନେଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ: ସମ୍ପତ୍ତି ପାଇଁ ସଂସାରକୁ କଲା ଛାରଖାର
ହଲିଉଡ୍ ସିନେମାରୁ ଆଇଡିଆ ନେଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ
ଓଡ଼ିଶା ଭାସ୍କର ଡେସ୍କ: ହଲିଉଡ୍ କ୍ରାଇମ୍ ଫିଲ୍ମର କାହାଣୀ ସତେ ଯେମିତି ସତ ହୋଇ ସାମ୍ନାକୁ ଆସିଛି! ସମ୍ପତ୍ତି ଲୋଭରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ସ୍ୱାମୀ ନିଜର ହସଖୁସିର ସଂସାରକୁ ନିଜ ହାତରେ ଛାରଖାର୍ କରିଦେଇଛି। ଦିଲ୍ଲୀର ଶାହଦରା ଜିଲ୍ଲାସ୍ଥିତ ଜଗତପୁରୀ ଅଞ୍ଚଳରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଘରୋଇ ସମ୍ପତ୍ତି ବିବାଦକୁ ନେଇ ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ନିଷ୍ଠୁର ଭାବେ ହତ୍ୟା କରିବା ପରେ ପୋଲିସ୍ ଆଖିରେ ଧୂଳି ଦେଇ ନେପାଳ ଫେରାର୍ ହେବାକୁ ଯୋଜନା କରୁଥିଲା।
ତେବେ ହଲିଉଡ୍ ଫିଲ୍ମ ‘ଦି ଷ୍ଟେୟାରକେସ୍’ ଦେଖି ପ୍ରସ୍ତୁତ କରାଯାଇଥିବା ଏହି “ପରଫେକ୍ଟ ମର୍ଡର”ର ପ୍ଲାନ୍କୁ ମାଟିରେ ମିଶାଇ ଦେଇଛି ଦିଲ୍ଲୀ ପୋଲିସ। ମଥୁରା ରେଳ ଷ୍ଟେସନରୁ ଅଭିଯୁକ୍ତକୁ ଗିରଫ କରାଯାଇଛି।
ରକ୍ତମୁଖା ସାଜିଲା ସ୍ୱାମୀ: ଗଗନ ବିହାରର ରହୁଥିବା ଅଭିଯୁକ୍ତ କମଲ ସିଂହ ଜଣେ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଞ୍ଜିନିୟର ତଥା ସଫ୍ଟୱେର୍ କନସଲଟାଣ୍ଟ। ଜୁଲାଇ ୩୦ ସକାଳେ ଜଗତପୁରୀ ଘରକୁ ନେଇ ତା’ର ସ୍ତ୍ରୀ କୋମଲ ସିଂହଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ପୁଅ (MBBS ଡାକ୍ତର) ଓ ଝିଅ (ଜର୍ମାନ ଲାଙ୍ଗୁଏଜ୍ ଟ୍ରେନର) ନିଜ ନିଜ କାମରେ ବାହାରକୁ ଚାଲିଯାଇଥିଲେ।
Uttarakhand Govt.
ପୁଅ-ଝିଅ ଘରୁ ବାହାରିଯିବା ପରେ କମଲ ପୂର୍ବରୁ କିଣି ରଖିଥିବା ଧାରୁଆ ଅସ୍ତ୍ରରେ ସ୍ତ୍ରୀ କୋମଲଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ରାତିରେ ପୁଅ ଘରକୁ ଫେରି ଚାବିରେ କବାଟ ଖୋଲିବା ପରେ ଡ୍ରଇଂ ରୁମ୍ରେ ମା’ଙ୍କ ରକ୍ତାକ୍ତ ଶବ ଦେଖି ସ୍ତବ୍ଧ ହୋଇଯାଇଥିଲା।
ହଲିଉଡ୍ ଫିଲ୍ମରୁ ନେଇଥିଲା ଆଇଡିଆ: ପୋଲିସର ଜେରା ସମୟରେ ଅଭିଯୁକ୍ତ ଚାଞ୍ଚଲ୍ୟକର ଖୁଲାସା କରିଛି । ପୋଲିସ୍ ସିସିଟିଭି ଫୁଟେଜ୍ରୁ ଦେଖିବାକୁ ପାଇଥିଲା ଯେ ପୁଅ-ଝିଅ ଯିବା ପରେ ମହିଳାଙ୍କ ଚିତ୍କାର ଶୁଣାଯାଇଥିଲା ଏବଂ କିଛି ସମୟ ପରେ କମଲ ବ୍ୟାଗ୍ରେ ଅସ୍ତ୍ର ଲୁଚାଇ ବାହାରି ଯାଉଛି।
ହତ୍ୟା ପରେ ସେ ଗୋରଖପୁର ଦେଇ ନେପାଳ ଖସିଯିବାକୁ ଚାହୁଁଥିଲା। ପୋଲିସ କାବୁ କରିବା ଆଶଙ୍କାରେ ସେ ରୂଟ୍ ବଦଳାଇ ମଥୁରା ଚାଲିଯାଇଥିଲା, ଯାହା ପରେ ପୋଲିସ ତାକୁ ସେଠାରୁ ଦବୋଚିଥିଲା। ଖସିଯିବା ପୂର୍ବରୁ ସେ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା ଉଠାଇଥିଲା। ଗିରଫ ବେଳେ ତା’ ପାଖରୁ ମୋଟ ୧୨ ଲକ୍ଷ ୭୫ ହଜାର ଟଙ୍କା ନଗଦ ଓ ସ୍କୁଟି ଜବତ କରାଯାଇଛି।
ସମ୍ପତ୍ତି ନିଜ ନାଁରେ କରିବାର ଅନ୍ଧ ଲୋଭରେ ଜଣେ ବାପା ଆଜି ସ୍ତ୍ରୀର ହତ୍ୟାକାରୀ ସାଜି ଜେଲ୍ରେ। ଅନ୍ୟପଟେ ହଠାତ୍ ମା’ଙ୍କୁ ହରାଇ ଏବଂ ବାପା ଜେଲ୍ ଯିବା ପରେ ଦୁଇ ହସଖୁସିର ଶିକ୍ଷିତ ସନ୍ତାନଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

