‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚରେ ହଙ୍ଗାମା, ଦିପକେଙ୍କ ଘରେ ପୋଲିସ, ଗିରଫ ହୋଇପାରନ୍ତି CJP ନେତା
ଦିଲ୍ଲୀରେ CJPର ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚକୁ ନେଇ ଉତ୍ତେଜନା; ଦୁଇ ଦିନ ପାଇଁ ବନ୍ଦ ସେଣ୍ଟ୍ରାଲ ପାର୍କ
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟିର ପ୍ରସ୍ତାବିତ ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚକୁ ନେଇ ଦିଲ୍ଲୀର କନଟ୍ ପ୍ଲେସ୍ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅକ୍ଟୋବର ୧୬ ଓ ୧୭ ତାରିଖରେ ସେଠାକାର ସେଣ୍ଟ୍ରାଲ ପାର୍କକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖିବାକୁ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନ୍ସିଲ୍ ଘୋଷଣା କରିଛି। ଏହି ମାର୍ଚ୍ଚ ଶୁକ୍ରବାର ସନ୍ଧ୍ୟାରେ ଆୟୋଜନ କରିବାକୁ CJP ପକ୍ଷରୁ ଆହ୍ୱାନ ଦିଆଯାଇଛି।
ମାର୍ଚ୍ଚ ନକରିବାକୁ ଅଭିଜିତ ଦିପକେଙ୍କୁ ନୋଟିସ୍: CJPର ପ୍ରତିଷ୍ଠାତା ଅଭିଜିତ ଦିପକେ ଏହି ମାର୍ଚ୍ଚରେ ଜାତୀୟ ପତାକା ଧରି ସାମିଲ ହେବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି। ଅନ୍ୟପଟେ, ଅଞ୍ଚଳରେ ନିଷେଧାଜ୍ଞା ଲାଗୁ ଥିବାରୁ ଦିଲ୍ଲୀ ପୁଲିସ ଲୋକଙ୍କୁ ସେଣ୍ଟ୍ରାଲ ପାର୍କକୁ ନଯିବାକୁ ପରାମର୍ଶ ଦେଇଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ନକରିବାକୁ ଅନୁରୋଧ କରି ପୁଲିସ ଦିପକେଙ୍କୁ ନୋଟିସ୍ ଦେଇଛି। କନଟ୍ ପ୍ଲେସ୍ ଓ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ କଟକଣା ଲାଗୁ ରହିଛି। ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି।
କାହିଁକି ଆୟୋଜନ ହେଉଛି ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ: CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଥିବା ଘଟଣାକୁ ନେଇ ଏହି ମାର୍ଚ୍ଚର ଆହ୍ୱାନ ଦିଆଯାଇଛି। ଜନ୍ତର ମନ୍ତର ଅଞ୍ଚଳକୁ ପ୍ରତିବାଦ ସ୍ଥଳ ଭାବେ ବ୍ୟବହାର କରିବା ଓ ସେଠାରେ ସ୍ଲୋଗାନ୍ ଦେବା ଘଟଣା ପରେ ଦୁଇ ନେତାଙ୍କୁ ହେପାଜତକୁ ନିଆଯାଇଥିବା ରିପୋର୍ଟରେ କୁହାଯାଇଛି।
CJP ଏହା ସହିତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ଦେଶବ୍ୟାପୀ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟାରେ ଅନିୟମିତତା ହେଉଥିବା ଦଳର ଅଭିଯୋଗ।
ସୀମିତ ଗୋଷ୍ଠୀକୁ ପତାକା ଉଡ଼ାଇବାକୁ ଅନୁମତି: ଦିଲ୍ଲୀ ପୁଲିସ କହିଛି ଯେ, ଉପଯୁକ୍ତ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଛୋଟ ଗୋଷ୍ଠୀକୁ ଜାତୀୟ ପତାକା ଉଡ଼ାଇବା ଓ ଜାତୀୟ ସଙ୍ଗୀତ ଗାଇବାର ସୁଯୋଗ ଦିଆଯାଇପାରେ। ତେବେ ଲାଗୁ ଥିବା କଟକଣାକୁ ଉଲ୍ଲଂଘନ ନକରିବାକୁ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।
ଯାତାୟାତରେ ପ୍ରଭାବ ପଡ଼ିବା ଆଶଙ୍କା: ମାର୍ଚ୍ଚକୁ ଦୃଷ୍ଟିରେ ରଖି କନଟ୍ ପ୍ଲେସ୍ ଓ କେନ୍ଦ୍ରୀୟ ଦିଲ୍ଲୀର କିଛି ରାସ୍ତାରେ ଯାତାୟାତ କଟକଣା ଏବଂ ଭିଡ଼ ହେବାର ଆଶଙ୍କା ରହିଛି। ତେଣୁ ଏହି ଅଞ୍ଚଳ ଦେଇ ଯାତ୍ରା କରୁଥିବା ଲୋକଙ୍କୁ ଅତିରିକ୍ତ ସମୟ ରଖି ବାହାରିବା ଏବଂ ଟ୍ରାଫିକ୍ ପୁଲିସର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।


