ହାଇକୋର୍ଟଙ୍କ ଅନୁମତିକୁ ଦିଲ୍ଲୀ ପୋଲିସର ନା’: ତିରଙ୍ଗା କାର୍ଯ୍ୟକ୍ରମକୁ ନେଇ ଟଣାଓଟରା, ବଢ଼ିଲା ବିବାଦ!

‘ଲହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମକୁ ନେଇ ହାଇକୋର୍ଟଙ୍କ ଅନୁମତି ଓ ପୋଲିସର ଆପତ୍ତି ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ହୃଦୟସ୍ଥଳୀ କନଟ୍ ପ୍ଲେସ୍‌ରେ ଥିବା ସେଣ୍ଟ୍ରାଲ୍ ପାର୍କରେ ‘କକରୋଚ୍ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ହେବାକୁ ଥିବା ‘ଲହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନିକ ଏବଂ ଆଇନଗତ ସ୍ତରରେ ବେଶ୍ ଉତ୍ତେଜନା ଦେଖାଦେଇଛି। ଦିଲ୍ଲୀର ହାଇକୋର୍ଟ ଏହାର ଅନୁମତି ଦେଇଥିବା ବେଳେ, ସୁରକ୍ଷା ତଥା ଆଇନଶୃଙ୍ଖଳାର ଆଡ଼ରେ, ଦିଲ୍ଲୀ ପୋଲିସ୍ ଏହି ବିବାଦୀୟ ‘ତିରଙ୍ଗା ଯାତ୍ରା’ ପାଇଁ ଅନୁମତି ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛି। ପୋଲିସ୍ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ, ଉକ୍ତ ସଂଗଠନର ପୂର୍ବ ଆଚରଣ ଏବଂ ବର୍ତ୍ତମାନର ସମ୍ବେଦନଶୀଳ ପରିସ୍ଥିତିକୁ ବିଚାରକୁ ନେଲେ, ଯଦି ପୂର୍ବରୁ ଅନୁମତି ମଗା ଯାଇଥାନ୍ତା ତଥାପି ପ୍ରଶାସନ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇ ନଥାନ୍ତା।

ଦୁଇ କର୍ମୀ ହେପାଜତରେ: ସିଜେପିର ଦୁଇଜଣ ପ୍ରମୁଖ ସଦସ୍ୟ, ଆଶୁତୋଷ ରଙ୍କା ଏବଂ ସୌରଭ ଦାସ, ଜାମିନ୍ ସର୍ତ୍ତ ଉଲ୍ଲଘଂନ କରିଥିବା ଅଭିଯୋଗରେ ତିହାଡ଼ ଜେଲକୁ ପଠାଯିବା ପରେ ଏହି ସମ୍ପୂର୍ଣ୍ଣ ବିବାଦ ସୃଷ୍ଟି ହୋଇଥିଲା। ଏ ବିଷୟରେ ଜାଣିବା ପରେ, ସଂଗଠନର ପ୍ରତିଷ୍ଠାତା ଅଭିଜିତ ଦୀପକେ ମହାରାଷ୍ଟ୍ରରୁ ଦିଲ୍ଲୀ ଆସିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ନିଜ ସହଯୋଗୀମାନଙ୍କ ଗିରଫଦାରୀ ବିରୋଧରେ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସମଗ୍ର ନୂଆଦିଲ୍ଲୀ ଅଞ୍ଚଳକୁ ଏକ ସୁରକ୍ଷା ବଳୟରେ ପରିଣତ କରାଯାଇଛି।

ଏହି ସମୟରେ, ସ୍ଥାନୀୟ ବ୍ୟବସାୟୀ ଏବଂ ରାସ୍ତାକଡ଼ ବିକ୍ରେତାମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ପର୍ବପର୍ବାଣି ସମୟରେ ବ୍ୟବସାୟିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇପାରେ। ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ପୋଲିସ ସ୍ପଷ୍ଟ କରିଛି ଯେ, ବିନା ଅନୁମତିରେ ଆଇନଶୃଙ୍ଖଳା ଭଙ୍ଗ କରିବାକୁ ଉଦ୍ୟମ କରିଥିବାରୁ ସିଜେପି ଏବଂ ଅଭିଜିତ ଦିପକେଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟ ସମସ୍ତ ପକ୍ଷଙ୍କ ମତାମତକୁ ଗ୍ରହଣ କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୩ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।