ମହିଳା ଖେଳାଳିଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ନିର୍ଦ୍ଦୋଷରେ ଖଲାସ ହେଲେ ବୃଜଭୂଷଣ
୨୦୨୩ ମସିହାରେ ଏହି ମାମଲା ଦେଶର କ୍ରୀଡ଼ା ଓ ରାଜନୀତିର ସବୁଠୁ ଚର୍ଚ୍ଚିତ ବିଷୟ ହୋଇଥିଲା
ନୂଆଦିଲ୍ଲୀ: ‘ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ’ର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ମହିଳା ଖେଳାଳିଙ୍କ ସହ କଥିତ ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଅଦାଲତ ବୃଜଭୂଷଣ ଓ ତାଙ୍କ ସହଯୋଗୀ ବିନୋଦ ତୋମରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ପେଶାଲ ଜଜ ଅଶ୍ୱିନୀ ପାୱାର ଏହି ରାୟ ଶୁଣାଇଛନ୍ତି।
ନିର୍ଦ୍ଦୋଷ ଘୋଷିତ ହେବା ପରେ କ’ଣ କହିଲେ ବୃଜଭୂଷଣ?: ଅଦାଲତଙ୍କ ରାୟ ପରେ ବୃଜଭୂଷଣ ଶରଣ ସିଂହ କହିଛନ୍ତି, ମୁଁ ଏବେ ଏହି ବିଷୟରେ ଅଧିକ କିଛି କହିବି ନାହିଁ। ତିନି ବର୍ଷ ପରେ ଅଦାଲତ ମୋତେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଯେଉଁଦିନ ମୋ ବିରୋଧରେ ଅଭିଯୋଗ ହୋଇଥିଲା, ସେହି ଦିନ ମୁଁ କହିଥିଲି ଏହା ଏକ ଷଡ଼ଯନ୍ତ୍ର। ଆଜି ସେହି କଥା ସତ ପ୍ରମାଣିତ ହୋଇଛି।
Uttarakhand Govt.
ଶରଣ ସିଂହ କହିଛନ୍ତି, ମୋର ନିଜ ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା। ମୁଁ କେବେ ନିଜକୁ ଅପରାଧୀ ବୋଲି ମାନିନଥିଲି। ଯେଉଁମାନଙ୍କ ଅଧିକାର ନଷ୍ଟ ହେଉଥିଲା, ସେମାନଙ୍କ ପାଇଁ ଆମେ ଲଢ଼ୁଥିଲୁ। ଆମର ଲଢ଼େଇ ଜାରି ରହିବ। ଖେଳାଳିମାନେ ଦେଶ ପାଇଁ ଗୌରବ ଆଣିବେ ବୋଲି ସେ କହିଛନ୍ତି।
ମହିଳା ଖେଳାଳି ଲଗାଇଥିଲେ ଗୁରୁତର ଅଭିଯୋଗ: ୨୦୨୩ ମସିହାରେ ଏହି ମାମଲା ଦେଶର କ୍ରୀଡ଼ା ଓ ରାଜନୀତିର ସବୁଠୁ ଚର୍ଚ୍ଚିତ ବିଷୟ ହୋଇଥିଲା। ଅନେକ ମହିଳା ଖେଳାଳି ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ‘ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ’ ଅଧ୍ୟକ୍ଷ ଥିବା ସମୟରେ ଯୌନ ଉତ୍ପୀଡ଼ନ, ଧମକ ଦେବା ଓ ପିଛା କରିବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ନେଇ ଦିଲ୍ଲୀ ଜନ୍ତର-ମନ୍ତରରେ ମାସ ମାସ ଧରି ଆନ୍ଦୋଳନ କରିଥିଲେ ଖେଳାଳି।
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା। ଜୁନ୍ ୨୦୨୩ରେ ପୋଲିସ ପ୍ରାୟ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଅଦାଲତରେ ଦାଖଲ କରିଥିଲା। ଏହା ପରେ ମେ ୨୦୨୪ରେ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

