ପାଠ୍ୟକ୍ରମ ଭାବେ ପ୍ରେମକୁ କରାଗଲା ଅନ୍ତର୍ଭୁକ୍ତ, ଆଉ ଭାଙ୍ଗିବନି ହୃଦୟ
ହୃଦୟ ବିଦାରକ ପରିସ୍ଥିତିକୁ ସାମ୍ନା କରିବାକୁ ସ୍ନାତକ ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଇଲେକ୍ଟିଭ୍ କୋର୍ସ
ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ ଯୁଗରେ ଯୁବକମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ପ୍ରେମ କରି ଭାବପ୍ରବଣତାର ଶିକାର ହୋଇ ଅନୈତିକ କାମ କରୁଥିବାର ପ୍ରାୟତଃ ଦେଖିବାକୁ ମିଳୁଛି।
ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରେମକୁ ଏକ ପାଠ୍ୟକ୍ରମ ଭାବେ 2025-26 ଶିକ୍ଷାବର୍ଷରୁ ସ୍ନାତକ ଛାତ୍ରଙ୍କ ପାଇଁ “ନିଗୋସିଆଟିଂ ଇନ୍ଟିମେଟ୍ ରିଲେସନ୍ସିପ୍ସ” ନାମକ ଏକ ନୂତନ ଇଲେକ୍ଟିଭ୍ କୋର୍ସ ଆରମ୍ଭ କରିବାକୁ ଯାଉଛି।
ମନସ୍ତତ୍ତ୍ୱ ବିଭାଗ ଦ୍ୱାରା ପରିଚାଳିତ ଏହି କୋର୍ସ 2023 ମସିହାରୁ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟରେ ତାଲିକାଭୁକ୍ତ ହୋଇଛି। ଏହା ଡେଟିଂ ଆପ୍ସ ଏବଂ ସୋସିଆଲ ମିଡିଆ ଯୁଗରେ ବନ୍ଧୁତା ଏବଂ ପ୍ରେମ ସମ୍ପର୍କର ବାସ୍ତବିକ ଅର୍ଥ ବୁଝିବାକୁ ଛାତ୍ରମାନଙ୍କୁ ସାହାର୍ଯ୍ୟ କରିବ।
ପାଠ୍ୟକ୍ରମରେ ରହିଛି 4 ଟି ପ୍ରସଙ୍ଗ: ପ୍ରେମ ବା ଭଲପାଇବାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଦେଖାଯାଉଥିବା ଖରାପ ଚିନ୍ତାଧାରା ଏବଂ ହିଂସା ଦ୍ୱାରା ଘଟୁଥିବା ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ପାଠ୍ୟକ୍ରମଟି ଚାରୋଟି ପ୍ରମୁଖ ପ୍ରସଙ୍ଗକୁ ନେଇ ଆଧାରିତ। ପ୍ରଥମେ ଏହା ବନ୍ଧୁତାର ଗୁରୁତ୍ୱ ବୁଝାଇଥାଏ।
ତା’ ପରେ ପ୍ରେମ ଏବଂ ଯୌନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ସୂଚନା ଦେଇଥାଏ, ଯେଉଁଥିରେ ରବର୍ଟ ଷ୍ଟର୍ଣ୍ଣବର୍ଗଙ୍କ ଦ୍ୱାରା ପ୍ରଦତ୍ତ ତ୍ରିକୋଣୀୟ ପ୍ରେମ ତତ୍ତ୍ୱ ଅନ୍ତର୍ଭୁକ୍ତ। ତୃତୀୟ କଥା ହେଉଛି, ଏହା ଈର୍ଷା, ଭାବପ୍ରବଣ ଆଦାନପ୍ରଦାନ ଏବଂ ହିଂସା ଭଳି ସମ୍ପର୍କ ବିଷୟରେ ସଚେତନ କରିଥାଏ। ଆଉ ଶେଷରେ ଦୀର୍ଘସ୍ଥାୟୀ ସମ୍ପର୍କକୁ କିପରି ଭଲରେ ରଖାଯାଇ ପାରିବ ତା ଉପରେ ଶିକ୍ଷା ଦେଇଥାଏ।
ଅନେକ ବିଷୟବସ୍ତୁ ଉପରେ ଆଲୋଚନା: ଏହି ସବୁ ବିଷୟରେ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ପ୍ରତି ସପ୍ତାହରେ ତିନୋଟି ବକ୍ତୃତା ଏବଂ ଗୋଟିଏ ଟ୍ୟୁଟୋରିଆଲରେ ଯୋଗଦେବେ। ଯେଉଁଠି ପ୍ରେମ ଏବଂ ହିଂସା ସହିତ ଜଡିତ ଅନେକ ବିଷୟବସ୍ତୁ ଉପରେ ଆଲୋଚନା ହେବା ସହିତ ଡେଟିଂ କଲଚର ଉପରେ ତର୍କ ହେବ। ଖାଲି ସେତିକି ନୁହେଁ କବୀର ସିଂହ ଏବଂ ଟାଇଟାନିକ୍ ଭଳି ପ୍ରେମ ପ୍ରସଙ୍ଗ ଥିବା ଚଳଚିତ୍ରର ମଧ୍ୟ ସମୀକ୍ଷା କରାଯିବ।
ଏହାର ଉଦ୍ଦେଶ୍ୟ: ଯାହାର ଉଦ୍ଦେଶ୍ୟ ରହିଛି, ଛାତ୍ର ଛାତ୍ରୀ ମାନେ ସମ୍ପର୍କର ପ୍ରକୃତ ଅର୍ଥ ବୁଝିପାରିବା ସହିତ ଭାବପ୍ରବଣତା, ଏବଂ ଭୁଲ ବୁଝାବଣାର ଶିକାର ହେବେନି। କେବଳ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉତ୍ତୀର୍ଣ୍ଣ କରିଥିବା ଛାତ୍ର ଛାତ୍ରୀ ମାନେ ହିଁ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ।