ଭାଇରାଲ୍ ଜ୍ୱର ନା ଡେଙ୍ଗୁ, ଜାଣନ୍ତୁ ଆପଣଙ୍କୁ ହୋଇଛି କେଉଁ ଜ୍ଵର ଏବଂ ଏହି ୨ଟି ମଧ୍ୟରେ ଫରକ୍ କଣ
ଭାଇରାଲ୍ ଜ୍ୱର ନା ଡେଙ୍ଗୁ, ଜାଣନ୍ତୁ ଆପଣଙ୍କୁ ହୋଇଛି କେଉଁ ଜ୍ଵର
ଓଡ଼ିଶା ଭାସ୍କର ଡେସ୍କ: ବର୍ଷା ଦିନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ବିପଦ ବୃଦ୍ଧି ପାଇଥାଏ। ଯଦି ଜଣେ ବ୍ୟକ୍ତି ଟିକିଏ ବି ଓଦା ହୋଇଯାଏ, ତେବେ ଥଣ୍ଡା, କାଶ, ସର୍ଦ୍ଦି ଏବଂ ଜ୍ୱର ହେବାକୁ ବେଶି ସମୟ ଲାଗିନଥାଏ। ଏହି ଋତୁରେ ଡେଙ୍ଗୁର ବିପଦ ମଧ୍ୟ ବଢ଼ିଯାଏ ଏବଂ ଡେଙ୍ଗୁର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର ଅନ୍ୟତମ।
ଏପରି ପରିସ୍ଥିତିରେ ପ୍ରାୟତଃ ଲୋକମାନେ ଭାଇରାଲ୍ ଜ୍ୱର ଏବଂ ଡେଙ୍ଗୁ ଜ୍ୱର ମଧ୍ୟରେ ଫରକ୍ ବୁଝିପାରନ୍ତି ନାହିଁ ଏବଂ ଦ୍ୱନ୍ଦ୍ୱରେ ପଡ଼ିଯାନ୍ତି। କିନ୍ତୁ ଆପଣ ଏହି ଭୁଲ୍ କରନ୍ତୁ ନାହିଁ। ଡେଙ୍ଗୁ ଜ୍ୱର ଓ ଭାଇରାଲ୍ ଜ୍ୱର ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି, ଆସନ୍ତୁ ଜାଣିବା ସେ ବିଷୟରେ…
ଡେଙ୍ଗୁର ୩ଟି ଲକ୍ଷଣ: ଡାକ୍ତରଙ୍କ କହିବା ଅନୁସାରେ, ଡେଙ୍ଗୁ ବ୍ୟାପୁଥିବା ଏହି ଋତୁରେ ମୁଖ୍ୟତଃ ୩ଟି ଲକ୍ଷଣକୁ କେବେବି ଅବହେଳା କରିବା ଉଚିତ୍ ନୁହେଁ । ପ୍ରଥମତଃ ଜ୍ୱର ସହିତ ଗଣ୍ଠି ବିନ୍ଧା/ବ୍ୟଥା ହେବା, ଆଖି ପଛପଟେ ଯନ୍ତ୍ରଣା ଅନୁଭବ ହେବା ସହ ଶରୀରରେ ରାସେସ୍ ହେବା।
ଏହି ୩ଟି ସଙ୍କେତ ଦର୍ଶାଏ ଯେ ଆପଣଙ୍କୁ ସାଧାରଣ ଭାଇରାଲ୍ ଜ୍ୱର ହୋଇନାହିଁ, ବରଂ ହୋଇପାରେ ଆପଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ଯଦି ଜ୍ୱର ୨ ଦିନରୁ ଅଧିକ ସମୟ ରହେ, ତେବେ ନିଶ୍ଚିତ ଭାବେ ରକ୍ତ ପରୀକ୍ଷା କରାନ୍ତୁ।
ଡେଙ୍ଗୁ ହେଲେ ଶରୀରରେ ଦେଖାଯାଏ ଏସବୁ ଲକ୍ଷଣ:
Uttarakhand Govt.
ଆସୁଥିବା-ଯାଉଥିବା ଜ୍ୱର: ଡେଙ୍ଗୁରେ ଜ୍ୱର ଆସୁଥାଏ ଏବଂ ଯାଉଥାଏ। ହଠାତ୍ ପ୍ରବଳ ଜ୍ୱର ହୁଏ, ପୁଣି କମିଯାଏ ଏବଂ ପୁଣି ଥରେ ତୀବ୍ର ଜ୍ୱର ଆସିଯାଏ। ଏହି ଜ୍ୱର ୨-୩ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ରହେ।
ମୁଣ୍ଡବିନ୍ଧା ଏବଂ ଆଖିରେ ଯନ୍ତ୍ରଣା: ଡେଙ୍ଗୁ ହେଲେ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୁଏ ଏବଂ ଆଖିରେ କିମ୍ବା ଆଖିର ପଛ ଭାଗରେ ଯନ୍ତ୍ରଣା ହେବାକୁ ଲାଗେ।
ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା: ଡେଙ୍ଗୁ ଜ୍ୱରରେ ଗଣ୍ଠି ଏବଂ ମାଂସପେଶୀରେ ବହୁତ ଯନ୍ତ୍ରଣା ହୁଏ। ଏହାକୁ ‘ବ୍ରେକ୍ବୋନ୍ ଫିଭର୍’ ମଧ୍ୟ କୁହାଯାଏ। ଏପରି ଅନୁଭବ ହୁଏ ଯେପରି ଗୋଡ଼-ହାତ ଭାଙ୍ଗି ହୋଇଯାଉଛି।
ଚର୍ମରେ ରାସେସ୍ ହେବା: ସାଧାରଣ ଜ୍ୱରରେ ଏପରି ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ଡେଙ୍ଗୁ ଜ୍ୱର ହେଲେ ଚର୍ମରେ ରାସେସ୍ ଦେଖାଯାଇପାରେ। ହାତ, ଗୋଡ଼, ମୁହଁ ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ ଏହି ରାସେସ୍ ଦେଖାଯାଇପାରେ। ଏହି ରାସେସ୍ଗୁଡ଼ିକ ଜ୍ୱର ଆସିବା ପରେ ଦେଖାଯାଇପାରେ।
ପେଟ ବିନ୍ଧା ଏବଂ ବାନ୍ତି: ଡେଙ୍ଗୁ ଜ୍ୱର ସହିତ ପେଟରେ ଯନ୍ତ୍ରଣା ହୋଇପାରେ, ଝାଡ଼ା-ବାନ୍ତି କିମ୍ବା ମନ ଅସ୍ଥିର ହୋଇପାରେ।

