fbpx

କମ୍ ବୟସରୁ ବିବାହ କାରଣରୁ ଯୁବତୀଙ୍କ ମଧ୍ୟରେ ବଢ଼ୁଛି ଅବସାଦ ଓ ଆତ୍ମହତ୍ୟା: Lancet Study

ନୂଆଦିଲ୍ଲୀ: ଆଜି ମଣିଷ ଆଧୁନିକ ଯୁଗରେ ପହଞ୍ଚିଥିଲେ ହେଁ ବିଭିନ୍ନ କ୍ଷେତ୍ରରେ ଏବେ ବି ଆମେ ପଛରେ ରହିଛେ । ଆଜି ବି ଅନେକ ସ୍ଥାନରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଛି । ବିଶେଷ କରି ଗ୍ରାମାଞ୍ଚଳ ଲୋକମାନେ ଝିଅମାନଙ୍କୁ କମ୍ ବୟସରୁ ବିବାହ କରିଦେଇଥାନ୍ତି । ତେବେ ଭାରତ ସହିତ ଦକ୍ଷିଣ ଏସିଆର ଏକତୃତୀୟାଂଶ ଯୁବତୀ ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି । ଏପରି ସ୍ଥଳେ ୮ ପ୍ରତିଶତ ଯୁବତୀ ୧୫ ବର୍ଷ ପୂର୍ବରୁ ବିବାହ କରୁଥିବା ଅନ୍ତର୍ଜାତୀୟ ଚିକିତ୍ସା ପତ୍ରିକା ଲାନସେଟ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ରିସର୍ଚ୍ଚ ଅନୁଯାୟୀ, କମ୍ ବୟସ୍କ ବା ନାବାଳିକାଙ୍କ ବିବାହ ପ୍ରଭାବ ସେମାନଙ୍କର ମାନସିକ ସ୍ଥିତିକୁ ବିଗାଡ଼ି ଦେଉଛି । ସେମାନେ ମାନସିକ ଅବସାଦରେ ରହିବା ସହ ଆତ୍ମହତ୍ୟା ପରି ଘଟଣା ଏହି କାରଣରୁ ବୃଦ୍ଧି ପାଉଥିବା ଦେଖାଯାଉଛି । ତେବେ ଉତ୍ତରପ୍ରଦେଶ ଓ ବିହାରରେ ୨୪ ପ୍ରତିଶତ କିଶୋରୀ କମ୍ ବୟସରୁ ବିବାହ କରିବା କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି । ଭାରତରେ ବିଶ୍ୱର ଏକତୃତୀୟାଂଶ ବାଳିକା ବଧୂ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ପ୍ରତିଶତ ଯୁବତୀ ୧୫-୧୯ ବର୍ଷ ମଧ୍ୟରେ ବିବାହ କରୁଥିବା ଦେଖାଯାଇଛି ।

ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସ୍ଥିତ କିଶୋର ସ୍ୱାସ୍ଥ୍ୟ କେନ୍ଦ୍ରର ଗବେଷକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଯେଉଁ ଯୁବତୀଙ୍କ ମନରେ ଆତ୍ମହତ୍ୟା ପ୍ରୟାସ କରିବାର ବିଚାର ଆସିଥିଲା, ସେମାନେ ଅନ୍ୟ ଯୁବତୀଙ୍କ ତୁଳନାରେ କମ୍ ବୟସରେ ବିବାହ କରିଥିଲେ । ଯେଉଁମାନଙ୍କ ମନରେ ଅବସାଦ ନଥିଲା, ସେମାନଙ୍କ ମନରେ ଆତ୍ମହତ୍ୟାର ବିଚାର ଆସିନଥିବା ଜଣାପଡ଼ିଥିଲା । ଏହି ରିସର୍ଚ୍ଚରେ ୭୮୬୪ କିଶୋରୀଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ପ୍ରତିଶତ ସର୍ଭେ ସମୟରେ ବିବାହ କରିଥିଲେ । ପାରିବାରିକ ଦୁର୍ବଳ ସ୍ଥିତି କାରଣରୁ ୧୧ ପ୍ରତିଶତ ନବବିବାହିତା ସ୍କୁଲକୁ ଯାଇ ପାରିନଥିବା କହିଥିଲେ । ୩୭ ପ୍ରତିଶତ ନବବିବାହିତା ଅବସାଦ କାରଣରୁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ।

Get real time updates directly on you device, subscribe now.