ଓଡ଼ିଶାର କଟକଣାକୁ ଖାତିର ନାହିଁ, ରାତି ଅଧରୁ ଯାଇ ଆନ୍ଧ୍ରରେ ଭୋଟ୍ ଦେଇ ଫେରିଲେ କୋଟିଆବାସୀ
କୋଟିଆରେ ଥମିଲାନି ଆନ୍ଧ୍ରର ଦାଦାଗିରି! ସାରିକାରେ ଭୋଟ୍ ଦେଇ ଫେରିଲେ ଭୋଟର। ଏତେ କଟକଣା ସତ୍ତ୍ୱେ କେମିତି ହେଲା ମତଦାନ? ତାକୁ ନେଇ ଚାଲିଛି ତୁମ୍ୱି ତୋଫାନ।
ଭୁବନେଶ୍ୱର: ଓଡ଼ିଶାର ବିରୋଧ, ପ୍ରଶାସନର କଟକଣା ଆଉ ରାଜନୈତିକ ଦଳଗୁଡ଼ିକର ଆପତ୍ତି- କିଛି ବି କାମ ଦେଲାନି! ଶେଷରେ ଆନ୍ଧ୍ରପ୍ରଦେଶରେ ହିଁ ଭୋଟ୍ ଦେଲେ କୋଟିଆବାସୀ।
କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘଦିନର ସୀମା ବିବାଦ ଚାଲିଥିବା ବେଳେ ଆଜି ଆନ୍ଧ୍ରରେ ଅନୁଷ୍ଠିତ ନିର୍ବାଚନରେ କୋଟିଆ ଅଞ୍ଚଳର ଭୋଟରଙ୍କ ସାମିଲ ହେବା ଘଟଣା ପୁଣିଥରେ ବିବାଦକୁ ତୀବ୍ର କରିଛି।
ଓଡ଼ିଶା ପ୍ରଶାସନ ପକ୍ଷରୁ ରୋକିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଅନେକ ଭୋଟର ଆନ୍ଧ୍ର ସୀମାରେ ଥିବା ସାରିକାରେ ପହଞ୍ଚି ମତଦାନ କରି ଫେରିଥିବା ସୂଚନା ମିଳିଛି। ଏହାକୁ ନେଇ ଏବେ କୋଟିଆରେ ରାଜନୈତିକ ମାହୋଲ ସରଗରମ ହୋଇଛି।
କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ରୋକିବା ପାଇଁ ଓଡ଼ିଶା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ୧୬ ଜଣ ମାଜିଷ୍ଟ୍ରେଟ୍ଙ୍କୁ ନିୟୋଜିତ କରାଯାଇଥିଲା।
ଏପରିକି କୋଟିଆର ୨୧ଟି ବିବାଦୀୟ ଗାଁରେ ନିଷେଧାଦେଶ ମଧ୍ୟ ଜାରି ହୋଇଥିଲା। ଆନ୍ଧ୍ରର ଅଧିକାରୀମାନେ କୋଟିଆ ଭିତରକୁ ପ୍ରବେଶ କରି ନିର୍ବାଚନ କରାଇବାକୁ ଉଦ୍ୟମ କରିବା ବେଳେ ଓଡ଼ିଶା ପ୍ରଶାସନ ସେମାନଙ୍କୁ ଅଟକାଇଥିଲା।
ଏହାପରେ ଆନ୍ଧ୍ର ପକ୍ଷରୁ ନେରେଡିବାଲସାରେ ହେବାକୁ ଥିବା ଭୋଟ୍ କେନ୍ଦ୍ରକୁ ସୀମା ଆରପାଖ ସାରିକାକୁ ସ୍ଥାନାନ୍ତର କରାଯାଇଥିଲା। ନେରେଡିବାଲସାଠାରୁ ସାରିକାର ଦୂରତା ପ୍ରାୟ ୧ କିଲୋମିଟର। ଏହି ଘଟଣା ପରେ ମଧ୍ୟ ଆନ୍ଧ୍ରରେ ମତଦାନ ପ୍ରକ୍ରିୟା ଜାରି ରହିଥିଲା।
ସବୁଠାରୁ ବଡ଼ କଥା ହେଉଛି, ଅନେକ ଭୋଟରଙ୍କୁ ଆନ୍ଧ୍ର ଯାଇ ଭୋଟ୍ ଦେବାରୁ ଅଟକାଇବା ପାଇଁ ଓଡ଼ିଶା ପ୍ରଶାସନ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇପାରିନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଅନେକ ଭୋଟର ରାତିରୁ ହିଁ ଆନ୍ଧ୍ର ଅଭିମୁଖେ ଚାଲିଯାଇଥିଲେ। ପରେ ସେମାନେ ସାରିକାରେ ପହଞ୍ଚି ଆନ୍ଧ୍ର ନିର୍ବାଚନରେ ନିଜର ମତଦାନ କରିଥିଲେ।
ଭୋଟ୍ ଦେବା ପରେ ସେମାନେ ନିଜ ଅଞ୍ଚଳକୁ ଫେରିଥିବା ଖବର ମିଳିଛି। ତେବେ କେତେ ଜଣ କୋଟିଆବାସୀ ଭୋଟ୍ ଦେଇଛନ୍ତି, ସେନେଇ କୌଣସି ସରକାରୀ ସଂଖ୍ୟା ସାମ୍ନାକୁ ଆସିନାହିଁ।
ଅନ୍ୟପଟେ ଆନ୍ଧ୍ରରେ ଭୋଟ୍ ଦେଇ ଫେରିଥିବା ଲୋକଙ୍କୁ ସ୍ଥାନୀୟ ନେତୃତ୍ୱଙ୍କ ପକ୍ଷରୁ ବିରୋଧ କରାଯାଇଥିବା ଜଣାପଡ଼ିଛି। କୋଟିଆ ଓଡ଼ିଶାର ଅଂଶ ହୋଇଥିବା ବେଳେ ଏଠାକାର ଲୋକେ ଆନ୍ଧ୍ରରେ କାହିଁକି ଭୋଟ୍ ଦେଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ସ୍ଥାନୀୟ ରାଜନୈତିକ ନେତାମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି।
ଏପଟେ କୋଟିଆ ପ୍ରସଙ୍ଗରେ ପୁଣିଥରେ ଏକାଠି ହୋଇଛନ୍ତି ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ। ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ଦଳୀୟ ମତଭେଦକୁ ପଛରେ ପକାଇ କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ କରିଥିଲେ।
ସମସ୍ତେ ଏକାଠି ହୋଇ ଓଡ଼ିଶାର ସ୍ୱାର୍ଥ ଓ କୋଟିଆର ଅଧିକାର ପ୍ରସଙ୍ଗ ଉଠାଇଥିଲେ। ନିର୍ବାଚନ ପୂର୍ବରୁ ମଧ୍ୟ ସର୍ବଦଳୀୟ ବୈଠକରେ ଏନେଇ ଏକମତ ହୋଇଥିଲେ ନେତାମାନେ।
ସୂଚନାଯୋଗ୍ୟ, କୋଟିଆର ୨୮ଟି ଗାଁ ମଧ୍ୟରୁ ୨୧ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଲାଗିରହିଛି। ଉଭୟ ରାଜ୍ୟ ଏହି ଗାଁଗୁଡ଼ିକ ଉପରେ ନିଜର ଅଧିକାର ଦାବି କରୁଛନ୍ତି। ଏହି ବିବାଦ ସୁପ୍ରିମକୋର୍ଟରେ ମଧ୍ୟ ବିଚାରାଧୀନ ରହିଛି।
୨୦୦୬ ମସିହାରେ ଉଭୟ ରାଜ୍ୟକୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ଓଡ଼ିଶା ପକ୍ଷରୁ ଉଠାଯାଇଛି। ତଥାପି ଆନ୍ଧ୍ର ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ କରାଯିବାକୁ ନେଇ ଓଡ଼ିଶାରେ ତୀବ୍ର ଆପତ୍ତି ପ୍ରକାଶ ପାଇଛି।
ତେବେ ଆଜିର ଘଟଣା ପୁଣିଥରେ କୋଟିଆ ସୀମା ବିବାଦକୁ ଚର୍ଚ୍ଚାକୁ ଆଣିଛି। ଓଡ଼ିଶା ପ୍ରଶାସନର କଟକଣା, ରାଜନୈତିକ ଦଳଗୁଡ଼ିକର ମିଳିତ ବିରୋଧ ଏବଂ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କୋଟିଆର ଭୋଟର ଆନ୍ଧ୍ରରେ ମତଦାନ କରିବା ଘଟଣା ଏବେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।


