ପ୍ରକୃତିର ସବୁଠାରୁ ବଡ଼ ରହସ୍ୟ, ଅଧା ବାଟରୁ ଗାଏବ ହୋଇଯାଏ ଝରଣା ପାଣି, ଆଜି ପର୍ଯ୍ୟନ୍ତ କେହି ପାଇନାହାନ୍ତି ଖୋଜ୍

ପ୍ରକୃତିର ସବୁଠାରୁ ବଡ଼ ରହସ୍ୟ, ଅଧା ବାଟରୁ ଗାଏବ ହୋଇଯାଏ ଝରଣା ପାଣି

ଓଡ଼ିଶା ଭାସ୍କର ଡେସ୍କ: ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯାହା ନିଜର ଅଜବ ଏବଂ ଅଲୌକିକ ରହସ୍ୟ ପାଇଁ ଲୋକଙ୍କୁ ଚକିତ କରିଥାଏ । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ବହୁଥିବା ଏକ ପ୍ରାକୃତିକ ଝରଣାର ଅଧା ପାଣି ହଠାତ୍ କେଉଁଆଡ଼େ ଗାଏବ ହୋଇଯାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଝରଣାର ଅଧା ପାଣି ବହିଯାଇ ପ୍ରକୃତରେ କେଉଁ ସ୍ଥାନକୁ ଯାଉଛି, ସେ ବିଷୟରେ ଆଜି ପର୍ଯ୍ୟନ୍ତ ସଠିକ୍ ତଥ୍ୟ ମିଳିପାରି ନାହିଁ ।

କେଉଁଠାରେ ଅଛି ଏହି ରହସ୍ୟମୟ ଝରଣା?

ଆମେ ଆମେରିକାର ମିନେସୋଟା ରାଜ୍ୟରେ ଅବସ୍ଥିତ ‘ଡେଭିଲ୍ସ କେଟଲ ଫଲ୍ସ’ ବିଷୟରେ କହୁଛୁ । ଦେଖିବାକୁ ଏହା ଅନ୍ୟ ସାଧାରଣ ଝରଣା ଭଳି ମନେହୁଏ, ମାତ୍ର ଏହାର ଅଦ୍ଭୁତ ବୈଶିଷ୍ଟ୍ୟ ଏହାକୁ ବିଶ୍ୱର ସବୁଠାରୁ ରହସ୍ୟମୟ ଝରଣା ଭାବେ ଗଣନା କରାଏ ।

ଅଧା ପାଣି ଯାଉଛି କେଉଁଆଡ଼େ?

ଏହି ଝରଣାର ପାଣି ଯେତେବେଳେ ପାହାଡ଼ ଉପରୁ ତଳକୁ ପଡ଼େ, ସେତେବେଳେ ତାହା ଦୁଇଟି ଭାଗରେ ବିଭକ୍ତ ହୋଇଯାଏ । ଝରଣାର ପ୍ରଥମ ଭାଗଟି ସାଧାରଣ ଭାବେ ନଦୀରେ ବହିଯାଏ । ମାତ୍ର ଦ୍ୱିତୀୟ ଭାଗଟି ପାଖରେ ଥିବା ଏକ ବିଶାଳ ଓ ଗଭୀର ଗୋଲାକାର ଗାତ ବା କଣା ଭିତରକୁ ଚାଲିଯାଏ । ଏହି ଗାତ ଭିତରେ ପଡ଼ୁଥିବା ପାଣି ପ୍ରକୃତରେ କେଉଁଠିକୁ ଯାଉଛି, ତାହା ବହୁ ବର୍ଷ ଧରି ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ପ୍ରହେଳିକା ହୋଇ ରହିଛି ।

ପିଙ୍ଗ୍-ପଙ୍ଗ୍ ବଲ୍ ଓ ରଙ୍ଗୀନ ପାଣିର ପରୀକ୍ଷା

Uttarakhand Govt.

ଏହି ରହସ୍ୟର ପର୍ଦ୍ଦାଫାଶ କରିବା ପାଇଁ ଦଶନ୍ଧି ଦଶନ୍ଧି ଧରି ଅନେକ ପ୍ରୟାସ କରାଯାଇଛି । ଲୋକମାନେ ଏହି ଗଭୀର ଗାତ ଭିତରକୁ କାଠ ଗଣ୍ଡି ପକାଇଛନ୍ତି, ରଙ୍ଗୀନ ପାଣି ଢାଳିଛନ୍ତି ଏବଂ ଶହ ଶହ ପିଙ୍ଗ୍-ପଙ୍ଗ୍ ବଲ୍ ମଧ୍ୟ ପକାଇଛନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥା, ଏହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ନଦୀର ଅନ୍ୟ କୌଣସି ପାର୍ଶ୍ୱରେ କେବେହେଲେ ଦେଖିବାକୁ ମିଳିନାହିଁ । ଏହି କାରଣରୁ ସ୍ଥାନୀୟ ଲୋକେ ଏହାକୁ “ପ୍ରକୃତିର ରହସ୍ୟମୟ ଦ୍ୱାର” ବୋଲି କହିବାକୁ ଲାଗିଲେ ।

ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ବୈଜ୍ଞାନିକଙ୍କ ମତ

ପରବର୍ତ୍ତୀ ସମୟରେ ବୈଜ୍ଞାନିକମାନେ ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ଏହି ଝରଣାର ବିଶେଷ ଅଧ୍ୟୟନ କରିଥିଲେ । ସେମାନେ ଝରଣାର ଉପର ଭାଗ ଏବଂ ତଳ ଭାଗରେ ବହୁଥିବା ପାଣିର ପରିମାଣକୁ ମାପିଥିଲେ ।

ବୈଜ୍ଞାନିକ ରିପୋର୍ଟ

ଯାଞ୍ଚରୁ ଜଣାପଡ଼ିଛି ଯେ, ଉପରୁ ଯେତିକି ପରିମାଣର ପାଣି ଆସୁଛି, ତଳେ ପ୍ରାୟ ସେତିକି ପରିମାଣର ପାଣି ହିଁ ପ୍ରବାହିତ ହେଉଛି । ଏଥିରୁ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ, ଗାତ ଭିତରକୁ ଯାଉଥିବା ପାଣି ମାଟି ତଳେ ଥିବା କୌଣସି ପ୍ରାକୃତିକ ଗୁପ୍ତ ରାସ୍ତା ଦେଇ ପୁଣି ଥରେ ଆଗକୁ ଯାଇ ମୁଖ୍ୟ ନଦୀରେ ମିଶିଯାଉଛି ।

ତେବେ ପାଣି ସମ୍ପୂର୍ଣ୍ଣ ଗାଏବ ହେଉ ନଥିଲେ ମଧ୍ୟ, ଭୂତଳର କେଉଁ ନିର୍ଦ୍ଦିଷ୍ଟ ପଥ ଦେଇ ଏହି ପାଣି ଗତି କରୁଛି, ତାହାର ସଠିକ୍ ମାର୍ଗ ଆଜି ପର୍ଯ୍ୟନ୍ତ କେହି ଆବିଷ୍କାର କରିପାରି ନାହାନ୍ତି । ଏହି କାରଣରୁ ‘ଡେଭିଲ୍ସ କେଟଲ ଫଲ୍ସ’ ଆଜି ବି ବିଶ୍ୱର ସବୁଠାରୁ ରହସ୍ୟମୟ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ । ପ୍ରତିବର୍ଷ ଏହି ଅଲୌକିକ ଦୃଶ୍ୟକୁ ନିଜ ଆଖିରେ ଦେଖିବା ପାଇଁ ଏଠାକୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସନ୍ତି ।