ଧନତେରସ୍ ଦିନ ଭୁଲରେ ବି କିଣନ୍ତୁନି ଏହି ୫ଟି ଜିନିଷ, ନହେଲେ ରାଗିଯିବେ ମା’ ଲକ୍ଷ୍ମୀ, ମାଡ଼ିଆସିବ ଦାରିଦ୍ର୍ୟ
ଧନତେରସ୍ରେ କିଣାକିଣି କରିବା ପୂର୍ବରୁ ସାବଧାନ! ଏହି ୫ ଜିନିଷଠାରୁ ରୁହନ୍ତୁ ଦୂରେଇ।
ନୂଆଦିଲ୍ଲୀ: ରାତି ପାହିଲେ ଧନତେରସ୍। ଆଉ ଚଳିତ ବର୍ଷ ନଭେମ୍ୱର ୬ ତାରିଖରେ ପଡୁଛି ଧନତେରସ୍। ଏହିଦିନ ସବୁ ଲୋକ ନିଜ ସକ୍ଷମ ଅନୁସାରେ କିଛି ନା କିଛି ଶୁଭ ଜିନିଷ ନିଜ ଘରକୁ ଆଣିଥାନ୍ତି।
ଧନତେରସ୍ରେ କିଣାକିଣି କରିବାକୁ ନେଇ ଲୋକଙ୍କ ମଧ୍ୟରେ ରହିଥାଏ ବେଶ୍ ଉତ୍ସାହ। କିଏ ସୁନା କିଣିବାକୁ ଯୋଜନା କରିଥାଏ ତ ଆଉ କିଏ ରୁପା, ନୂଆ ବାସନକୁସନ ଏବଂ ଝାଡ଼ୁ କିଣିଥାନ୍ତି।
ଧାର୍ମିକ ମାନ୍ୟତା ଅନୁସାରେ, ଏହି ଦିନ ଶୁଭ ସାମଗ୍ରୀ କିଣିଲେ ଘରେ ସୁଖ, ସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ହେଲେ ଆପଣ ଜାଣନ୍ତି କି, ଏମିତି କିଛି ଜିନିଷ ରହିଛି ଯାହାକୁ ଧନତେରସ୍ରେ କିଣିବାକୁ ଅଶୁଭ ବୋଲି ମନେ କରାଯାଏ?
ମାନ୍ୟତା ରହିଛି ଯେ, ଏହି ଜିନିଷଗୁଡ଼ିକ କିଣିବା ଦ୍ୱାରା ଘରର ସୁଖସମୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଚଳିତ ବର୍ଷ ନଭେମ୍ବର ୬ ତାରିଖରେ ପାଳନ ହେବ ଧନତେରସ୍। ଏହି ଦିନଠାରୁ ଆରମ୍ଭ ହୋଇଥାଏ ୫ ଦିନିଆ ଦୀପୋତ୍ସବ। ତେଣୁ ପର୍ବ ପୂର୍ବରୁ ଜାଣି ରଖନ୍ତୁ, କେଉଁ ୫ଟି ଜିନିଷ କିଣିବାଠାରୁ ଦୂରେଇ ରହିବାକୁ କୁହାଯାଏ।
୧. ଧାରୁଆ ଜିନିଷ କିଣନ୍ତୁ ନାହିଁ: ଧନତେରସ୍ ଦିନ ଛୁରୀ, କଇଁଚି, ବ୍ଲେଡ୍ କିମ୍ବା ଅନ୍ୟ କୌଣସି ଧାରୁଆ ଜିନିଷ କିଣିବାକୁ ଅଶୁଭ ବୋଲି ଧରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଏହି ସାମଗ୍ରୀଗୁଡ଼ିକ କାଟିବା, ଅଲଗା କରିବା ଏବଂ ବିବାଦର ପ୍ରତୀକ। ତେଣୁ ଏହି ଶୁଭ ଦିନରେ ଏଭଳି ଜିନିଷ କିଣିବାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ।
୨. ଲୁହାରେ ତିଆରି ଜିନିଷ: ଧନତେରସ୍ ଦିନ ଲୁହାରେ ତିଆରି ସାମଗ୍ରୀ କିଣିବାକୁ ମଧ୍ୟ ଅଶୁଭ ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଲୁହାର ସମ୍ପର୍କ ଶନିଦେବଙ୍କ ସହ ରହିଛି। ତେଣୁ ଏହି ଦିନ ଲୁହା କିଣିବା ଦ୍ୱାରା ଘରର ସମୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ ବୋଲି ମାନ୍ୟତା ରହିଛି। ଏହା ବଦଳରେ ସୁନା, ରୁପା, ପିତ୍ତଳ ଏବଂ ତମ୍ବା ଭଳି ଧାତୁ କିଣିବା ଶୁଭ ବୋଲି ମନେ କରାଯାଏ।
୩. କଳା ରଙ୍ଗର ଜିନିଷ: ଧନତେରସ୍ରେ କଳା ରଙ୍ଗର ପୋଷାକ କିମ୍ବା ଅନ୍ୟ ସାମଗ୍ରୀ କିଣିବାଠାରୁ ମଧ୍ୟ ଦୂରେଇ ରହିବାକୁ କୁହାଯାଏ। ହିନ୍ଦୁ ଧାର୍ମିକ ପରମ୍ପରାରେ କେତେକ ଶୁଭ ଅବସରରେ କଳା ରଙ୍ଗକୁ ଅଶୁଭର ପ୍ରତୀକ ଭାବେ ଦେଖାଯାଏ।
ଏହି କାରଣରୁ ଧନତେରସ୍ରେ କଳା ରଙ୍ଗର ସାମଗ୍ରୀ ବଦଳରେ ଲାଲ, ହଳଦିଆ କିମ୍ବା ସବୁଜ ରଙ୍ଗର ଜିନିଷ କିଣିବାକୁ ଅଧିକ ପସନ୍ଦ କରାଯାଏ। ଏହି ରଙ୍ଗଗୁଡ଼ିକୁ ଶୁଭ, ସକାରାତ୍ମକତା ଓ ସମୃଦ୍ଧିର ପ୍ରତୀକ ବୋଲି ମନେ କରାଯାଏ।
୪. କାଚରେ ତିଆରି ସାମଗ୍ରୀ: ଧନତେରସ୍ ଦିନ କାଚରେ ତିଆରି ସାମଗ୍ରୀ କିଣିବାକୁ ମଧ୍ୟ ଶୁଭ ବୋଲି ଧରାଯାଏ ନାହିଁ। କାରଣ କାଚ ଅତ୍ୟନ୍ତ ଭଙ୍ଗୁର ହୋଇଥିବାରୁ ଏହା ସହଜରେ ଭାଙ୍ଗିଯାଇପାରେ।
ଧାର୍ମିକ ମାନ୍ୟତା ଅନୁସାରେ, ଏହି ଦିନ ଏଭଳି ଭଙ୍ଗୁର ଜିନିଷ କିଣିବା ଶୁଭ ନୁହେଁ। ଏଥିସହ କାଚରେ ତିଆରି ସାମଗ୍ରୀ ଅନ୍ୟକୁ ଉପହାର ଦେବାଠାରୁ ମଧ୍ୟ ଦୂରେଇ ରହିବାକୁ କୁହାଯାଏ।
୫. ଘିଅ ଓ ତେଲ କିଣନ୍ତୁ ନାହିଁ: ଧନତେରସ୍ ଦିନ ଘିଅ କିମ୍ବା ତେଲ କିଣିବାକୁ ମଧ୍ୟ କେତେକ ଧାର୍ମିକ ମାନ୍ୟତାରେ ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ଆସିପାରେ ବୋଲି ଲୋକବିଶ୍ୱାସ ରହିଛି। ତେଣୁ ଏହି ସାମଗ୍ରୀଗୁଡ଼ିକୁ ଧନତେରସ୍ର ଗୋଟିଏ ଦିନ ପୂର୍ବରୁ କିମ୍ବା ପରେ କିଣିବାକୁ ପରାମର୍ଶ ଦିଆଯାଏ।
ତେଣୁ ଯଦି ଆପଣ ମଧ୍ୟ ଧନତେରସ୍ରେ କିଣାକିଣି କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ୫ଟି ଜିନିଷ ସମ୍ପର୍କରେ ଜାଣି ରଖନ୍ତୁ। ତେବେ ମନେ ରଖନ୍ତୁ, ଏସବୁ କଥା ଧାର୍ମିକ ପରମ୍ପରା ଓ ଲୋକବିଶ୍ୱାସ ଉପରେ ଆଧାରିତ। ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।


