fbpx

ଓଡିଶାର ୧୫ଟି ଜିଲ୍ଲାରେ ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ ବସାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬/୦୫(ଓଡିଶା ଭାସ୍କର) : ଓଡିଶାରେ କ୍ରମାଗତ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶାର ନାମ ମଧ୍ୟ ସାମିଲ ଅଛି । ତେଣୁ ରାଜ୍ୟ ସରକାର ଏନେଇ କଟକଣାକୁ ମଧ୍ୟ ସଂକ୍ରମଣ ସହ ତାଳ ଦେଇ ବଢ଼ାଇବାରେ ଲାଗିଛନ୍ତି । ଅନ୍ୟପଟେ ଓଡିଶାରେ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପ୍ରେସର୍ ସ୍ୱିଙ୍ଗ ଆଡଜର୍ପସନ୍ ବା ପିଏସଏ ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟର ବ୍ୟବସ୍ଥା କରିବାରେ ହସ୍ତକ୍ଷେପ କରିବାକୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଆଦେଶାନୁସାରେ, ଓଡିଶାରେ ୨୧ଟି ପିଏସଏ ପ୍ଲାଣ୍ଟ ସ୍ଥାପନ କରାଯାଉଥିବା ବେଳେ ଏଭଳି ଆହୁରି ୧୫ ଜିଲ୍ଲାରେ ସ୍ଥାପନ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ମାସରେ ଜନସ୍ୱାସ୍ଥ୍ୟ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତ ବର୍ଷରେ ପିଏମ କେୟାର୍ସ ଫଣ୍ଡରୁ ୫୫୧ ସମର୍ପିତ ପିଏସଏ ମେଡ଼ିକାଲ ଅମ୍ଳଜାନ ପ୍ରତିଷ୍ଠା ପାଇଁ ଜରୁରୀକାଳୀନ ମଞ୍ଜୁରୀ ଦେଇଥିଲେ । ପୂର୍ବରୁ ମଧ୍ୟ ଅତିରିକ୍ତ ୧୬୨ ପିଏସଏ ପ୍ଲାଣ୍ଟ ସ୍ଥାପନା ପାଇଁ ଆବଣ୍ଟନ କରିଥିଲେ । ତନ୍ମଧ୍ୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ୨୧ଟି ପିଏସଏ ପ୍ଲାଣ୍ଟ ସ୍ଥାପନା ପାଇଁ ନିଷ୍ପତି ନିଆଯାଇଥିଲା। ଏଥିରୁ ଡ଼ିଆରଡ଼ିଓ ଦ୍ୱାରା ୭ଟି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ୭ଟି ଏବଂ ଭାରତ ସରକାରଙ୍କ ପିଏମ କେୟାର୍ସ ଫଣ୍ଡରୁ ୭ଟି ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା ହେବା ପାଇଁ ନିଷ୍ପତି ନିଆଯାଇଥିଲା ।

ହେଲେ ରାଜ୍ୟରେ କୋଭିଡ୍ ର ଦ୍ୱିତୀୟ ଲହର ଭୟଙ୍କର ସାବ୍ୟସ୍ତ ହେଉଥିବାରୁ ଅନ୍ୟ ୧୫ଟି ଜିଲ୍ଳାରେ ପ୍ଲାଣ୍ଟ ବସାଇବା ନେଇ ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅତିରିକ୍ତ ୧୯ ପିଏସଏ ମେଡ଼ିକାଲ ଅମ୍ଳଜାନ ପ୍ଲାଣ୍ଟ ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଁଏ ଏବଂ କଟକ, ଦେବଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁରରେ ଗୋଟିଏ ଗୋଟିଏ ଲେଖାଁଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.