ପାକିସ୍ତାନ ପ୍ରେମୀଙ୍କ ବିରୋଧ ସତ୍ତ୍ବେ ବକ୍ସ ଅଫିସରେ ରାଜ୍ କରୁଛି ‘ଧୁରନ୍ଧର’; ୩୦୦ କୋଟି ଆୟ କରିବାରେ ସଫଳ ହୋଇଛି…

ଛଅଟି ଗଲ୍ଫ ଦେଶରେ ବ୍ଯାନ ହେଲା 'ଧୁରନ୍ଧର'...

ଓଡିଶା ଭାସ୍କର: ୩୦୦ କୋଟି କ୍ଲବରେ ପ୍ରବେଶ କଲା “ଧୁରନ୍ଧର”। ଫିଲ୍ମ ରିଲିଜ ହେବାର ୧୦ ଦିନ ବିତି ଯାଇଥିଲେ ମଧ୍ୟ କମୁନାହିଁ କ୍ରେଜ୍। ଏବେ ବି ସିନେମା ହଲରେ ଫିଲ୍ମ ଦେଖିବା ପାଇଁ ଲାଗୁଛି ଅସମ୍ଭାଳ ଭିଡ଼। ମୋହିତ ଶର୍ମା ନାମକ ଜଣେ ରିଅଲ ସ୍ପାଏଙ୍କ କାହାଣୀକୁ ନେଇ କରାଯାଇଥିବା ଏହି ଫିଲ୍ମ ହିଟ ହୋଇଛି।

ବ୍ଯାନ ପରେ ମଧ୍ୟ କୋଟି କୋଟି ଆୟ କରୁଛି ଧୁରନ୍ଧର ଚଳଚ୍ଚିତ୍ର। ୬ ଦେଶରେ ବ୍ଯାନ ପରେ ମଧ୍ୟ ପଡିନାହିଁ ସେତେଟା ପ୍ରଭାବ। “ଧୁରନ୍ଧର” ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି। ରଣବୀର ସିଂହ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ, ଆର. ମାଧବନ ଏବଂ ଅର୍ଜୁନ ରାମପାଲ ଅଭିନୀତ ଏହି ଫିଲ୍ମଟି ୨୦୨୫ ମସିହାରେ ୩୦୦ କୋଟି କ୍ଲବରେ ପ୍ରବେଶ କରିବାରେ ସବୁଠାରୁ ଦ୍ରୁତତମ ବଲିଉଡ୍ ଫିଲ୍ମ ପାଲଟିଛି।

ଏହା ହିନ୍ଦୀ ସିନେମା ଇତିହାସରେ ଦ୍ୱିତୀୟ ରବିବାର ସର୍ବାଧିକ ଆୟ କରିବାର ରେକର୍ଡ ମଧ୍ୟ ସ୍ଥାପନ କରିଛି, ଭାରତରେ ଅନ୍ୟ ପାଞ୍ଚଟି ରେକର୍ଡ ଭାଙ୍ଗିଛି। ଆସନ୍ତୁ ଆଦିତ୍ୟ ଧରଙ୍କ “ଧୁରନ୍ଧର” ର ୧୦ମ ଦିନର ବକ୍ସ ଅଫିସ ରିପୋର୍ଟ ଉପରେ ନଜର ପକାଇବା।

୧୦ମ ଦିନରେ କେତେ ଆୟ କରିଛି :

ରିପୋର୍ଟ ଅନୁଯାୟୀ ଧୁରନ୍ଧର ଦଶମ ଦିନରେ ୫୮ କୋଟିରୁ ଅଧିକ ଟଙ୍କା ଆୟ କରିଛି। ହିନ୍ଦୀ ସିନେମା ଇତିହାସରେ ଆଜି ଯାଏଁ କୌଣସି ଫିଲ୍ମ ରିଲିଜ ହେବାର ଦ୍ବିତୀୟ ରବିବାର ଏତେ ମାତ୍ରାରେ ଆୟ କରିନାହିଁ।

ଆଗରୁ ରିଲିଜ ହୋଇଥିବା ପୁଷ୍ପା-୨ ଫିଲ୍ମ ଦ୍ବିତୀୟ ରବିବାରେ ୫୪  କୋଟି ଟଙ୍କା ଆୟ କରିଥିଲା।ଏହା ଦ୍ବିତୀୟ ସପ୍ତାହରେ ୧୪୦ କୋଟିରେ ଅଧିକ ଟଙ୍କା ମୋଟାମୋଟି ଲାଭ ପାଇଛି।

ରଣବୀରଙ୍କ ଫିଲ୍ମ ‘ଧୁରନ୍ଧର’ ପ୍ରଥମ ସପ୍ତାହରେ ୨୧୮ କୋଟି ଟଙ୍କା, ଦ୍ବିତୀୟ ଦିନରେ ୧୪୬.୫୦ କୋଟି ଟଙ୍କା ଆଦାୟ କରିଛି। ସେହି ହିସାବରେ ଦେଖିଲେ ମୋଟାମୋଟି ଭାବରେ ୧୦ ଦିନ ଭିତରେ ଏହା ୩୬୪.୬ କୋଟି ଟଙ୍କା ଆୟ କରିସାରିଲାଣି। ଯଦି ଦେଖିବା ୨୨୫ କୋଟି ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଏବେ ୬୨ ପ୍ରତିଶତ ଲାଭ କରିସାରିଲାଣି।

କବୀର ସିଂହ (୨୭୮.୨୪ କୋଟି)କୁ ପଛରେ ପକାଇ ଏହା ଏବେ ଭାରତୀୟ ସିନେମାରେ ତୃତୀୟ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇସାରିଛି।