ଆକାଶରେ ମୃତ୍ୟୁର ଛାୟା! ସ୍ମିତ ମଚ୍ଛାରଙ୍କ ଆକ୍ରମଣକାରୀଙ୍କୁ ଛାଡ଼ିଦେବାକୁ ଚାହୁଁଥିଲା ଫ୍ଲାଇଟ୍ କ୍ରୁ? ହେଲା ବଡ଼ ଖୁଲାସା

କକପିଟ୍‌ରେ କୋ-ପାଇଲଟ୍‌ଙ୍କ ଆକ୍ରମଣ! ରକ୍ତାକ୍ତ ଅବସ୍ଥାରେ ଦ୍ୱାର ଖୋଲିଲେ ଭାରତୀୟ କ୍ୟାପ୍ଟେନ୍।

ଦୁବାଇ: ଉଡ଼ାଣ ଭରିଥିଲା ବିମାନ। କିଛି ସମୟ ପରେ ହଠାତ୍ କକପିଟ୍ ଭିତରୁ ଆସିଲା ଆତଙ୍କଜନକ ଖବର। ନିଜ ସହଯୋଗୀ ପାଇଲଟ୍‌ଙ୍କ ଆକ୍ରମଣରେ ଗୁରୁତର ଆହତ ହେବା ସତ୍ତ୍ୱେ ହାର ମାନିନଥିଲେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର।

ବିମାନ ଦ୍ରୁତ ଗତିରେ ତଳକୁ ଖସୁଥିବା ବେଳେ ଆହତ ଅବସ୍ଥାରେ ସେ କକପିଟ୍‌ର ଦ୍ୱାର ଖୋଲିବାକୁ ସକ୍ଷମ ହୋଇଥିଲେ। ଏହାପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଭିତରକୁ ପହଞ୍ଚି ଆକ୍ରମଣକାରୀ କୋ-ପାଇଲଟ୍‌ଙ୍କୁ କାବୁ କରିଥିବା ଜଣାପଡ଼ିଛି।

ଘଟଣାଟି ସେପ୍ଟେମ୍ବର ୩୦ରେ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ଘଟିଥିଲା। ବିମାନରେ ପ୍ରାୟ ୧୭୪ ଜଣ ଯାତ୍ରୀ ଥିଲେ।

କକପିଟ୍‌ରେ କୋ-ପାଇଲଟ୍‌ଙ୍କ ଆକ୍ରମଣ: UAE ଅଧିକାରୀଙ୍କ ସୂଚନା ଅନୁସାରେ, ଓମାନର ନାଗରିକ ତଥା ବିମାନର କୋ-ପାଇଲଟ୍ ହମାମ ଅଲ୍-ହମାମି କକପିଟ୍‌ରେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ବିମାନର ନିୟନ୍ତ୍ରଣ ନେବାକୁ ଚେଷ୍ଟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।

ଆକ୍ରମଣରେ କକପିଟ୍‌ରେ ଥିବା ଜରୁରୀକାଳୀନ କ୍ରାସ୍ ଆକ୍ସ ବ୍ୟବହାର ହୋଇଥିବା ନେଇ ମଧ୍ୟ ସୂଚନା ସାମ୍ନାକୁ ଆସିଛି। ତେବେ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ତଦନ୍ତ ଜାରି ରହିଛି।

ହଠାତ୍ ତଳକୁ ଖସିଲା ବିମାନ: ଆକ୍ରମଣ ସମୟରେ ବିମାନ ହଠାତ୍ ଦ୍ରୁତ ଗତିରେ ତଳକୁ ଖସିବା ଆରମ୍ଭ କରିଥିଲା। ଏହି ସମୟରେ ଗୁରୁତର ଆହତ ହୋଇଥିବା କ୍ୟାପ୍ଟେନ୍ ସ୍ମିତ ମାଛର କକପିଟ୍‌ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ।

ଦ୍ୱାର ଖୋଲିବା ପରେ ବାହାରେ ଥିବା ଲୋକମାନେ କକପିଟ୍‌ ଭିତରର ସ୍ଥିତି ବିଷୟରେ ଜାଣିପାରିଥିଲେ। ଏହାପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ମିଶି ହମାମ ଅଲ୍-ହମାମିଙ୍କୁ କାବୁ କରିଥିଲେ।

ଦୁଇ ଅଫ୍-ଡ୍ୟୁଟି ପାଇଲଟ୍ ଧରିଲେ ବିମାନର ନିୟନ୍ତ୍ରଣ: ଏହି ଘଟଣାରେ ବିମାନରେ ଥିବା ଦୁଇ ଜଣ ଅଫ୍-ଡ୍ୟୁଟି ପାଇଲଟ୍ ମଧ୍ୟ ସାହାଯ୍ୟ କରିଥିଲେ। ସେମାନେ କକପିଟ୍‌କୁ ଆସି ବିମାନର ନିୟନ୍ତ୍ରଣ ସମ୍ଭାଳିବାରେ ସହଯୋଗ କରିଥିଲେ।

ପରେ ବିମାନଟି ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।

ରକ୍ତାକ୍ତ କ୍ୟାପ୍ଟେନ୍‌ଙ୍କୁ ପ୍ରାଥମିକ ଚିକିତ୍ସା ଦେଲେ ଡେଣ୍ଟିଷ୍ଟ: ଆକ୍ରମଣରେ କ୍ୟାପ୍ଟେନ୍ ସ୍ମିତ ମାଛରଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଥିବା ରିପୋର୍ଟରେ କୁହାଯାଇଛି। ତାଙ୍କ ଶରୀରରୁ ଅଧିକ ରକ୍ତସ୍ରାବ ହେଉଥିଲା।

ବିମାନରେ ଥିବା ଡେଣ୍ଟିଷ୍ଟ ଶୋଟା ମୁସାଏଭ ଆହତ କ୍ୟାପ୍ଟେନ୍‌ଙ୍କୁ ପ୍ରାଥମିକ ଚିକିତ୍ସା ଦେବାରେ ସହଯୋଗ କରିଥିଲେ। ପ୍ରଥମେ ସାଉଦି ଆରବରେ ତାଙ୍କର ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ UAE ନିଆଯାଇଥିଲା।

ଭାରତୀୟ ଦୂତାବାସର ସୂଚନା ଅନୁସାରେ, କ୍ୟାପ୍ଟେନ୍ ସ୍ମିତ ମାଛରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଆହତ ହୋଇ ବି କାହିଁକି ଚର୍ଚ୍ଚାରେ କ୍ୟାପ୍ଟେନ୍ ସ୍ମିତ: ଏହି ଘଟଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି କ୍ୟାପ୍ଟେନ୍ ସ୍ମିତ ମାଛରଙ୍କ ସାହସ। ନିଜେ ଗୁରୁତର ଆହତ ହୋଇଥିଲେ ମଧ୍ୟ ବିମାନର ସ୍ଥିତି ଗୁରୁତର ହେଉଥିବା ସେ ବୁଝିପାରିଥିଲେ। ଏହାପରେ କକପିଟ୍‌ର ଦ୍ୱାର ଖୋଲି ବାହାରେ ଥିବା ଯାତ୍ରୀ ଓ କ୍ରୁଙ୍କୁ ଭିତରର ସ୍ଥିତି ଜାଣିବାର ସୁଯୋଗ ଦେଇଥିଲେ।

ଏହାପରେ ଯାତ୍ରୀ ଓ କ୍ରୁ ମିଶି କୋ-ପାଇଲଟ୍‌ଙ୍କୁ କାବୁ କରିଥିଲେ ଏବଂ ଦୁଇ ଅଫ୍-ଡ୍ୟୁଟି ପାଇଲଟ୍ ବିମାନ ନିୟନ୍ତ୍ରଣରେ ସହଯୋଗ କରିଥିଲେ। ଶେଷରେ ବିମାନଟି ତାବୁକ୍‌ରେ ସୁରକ୍ଷିତ ଅବତରଣ କରିଥିଲା।

ଏହି ପୂରା ଘଟଣାକ୍ରମରେ କ୍ୟାପ୍ଟେନ୍ ସ୍ମିତ ମାଛରଙ୍କ ସାହସିକ ପଦକ୍ଷେପ ସହ ବିମାନର ଯାତ୍ରୀ, କ୍ରୁ ଓ ଅନ୍ୟ ପାଇଲଟ୍‌ମାନଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ ରହିଛି।