ଆଜିଠୁ ଭୁବନେଶ୍ୱର-ବ୍ୟାଙ୍କକ୍ ସିଧା ଫ୍ଲାଇଟ୍
ଆଜିଠାରୁ ପୁଣି ଭୁବନେଶ୍ୱର ଓ ବ୍ୟାଙ୍କକ୍ ମଧ୍ୟରେ ସିଧା ବିମାନ ସେବା ଆରମ୍ଭ ହେଉଛି।
ଭୁବନେଶ୍ୱର: ଭୁବନେଶ୍ୱରରୁ ଥାଇଲାଣ୍ଡର ବ୍ୟାଙ୍କକ୍କୁ ସିଧା ବିମାନ ସେବା ଆଜିଠାରୁ ପୁଣି ଆରମ୍ଭ ହେଉଛି। ଶୀତ ଋତୁକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏହି ଅନ୍ତର୍ଜାତୀୟ ରୁଟ୍ରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି। ଗତ ଜୁଲାଇରୁ ଏହି ସେବା ସାମୟିକ ଭାବେ ବନ୍ଦ ରହିଥିଲା। ଏହା ପୁଣି ଆରମ୍ଭ ହେବା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧା ବିଦେଶ ଯାତ୍ରା ସୁବିଧା ପୁଣି ସ୍ୱାଭାବିକ ହେବ।
ଇଣ୍ଡିଗୋର 6E-1065 ବିମାନ ଆଜି ରାତି ୧୧ଟା ୫ ମିନିଟ୍ରେ ଭୁବନେଶ୍ୱରରୁ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ ଭରିବ। ବ୍ୟାଙ୍କକ୍ରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ ଏହି ବିମାନ ଭୁବନେଶ୍ୱର ଫେରିବ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-ବ୍ୟାଙ୍କକ୍ ମଧ୍ୟରେ ସପ୍ତାହକୁ ଦୁଇ ଦିନ ସିଧା ବିମାନ ଚଳାଚଳ କରିବ। ଭୁବନେଶ୍ୱରରୁ ଶୁକ୍ରବାର ଓ ସୋମବାର ବିମାନ ଉଡ଼ିବ। ସେହିପରି ବ୍ୟାଙ୍କକ୍ରୁ ଶନିବାର ଓ ମଙ୍ଗଳବାର ବିମାନ ଭୁବନେଶ୍ୱର ଫେରିବ।
ତେବେ ଅକ୍ଟୋବର ୨୫ରୁ ଏହି ବିମାନର ସମୟରେ ପରିବର୍ତ୍ତନ ହେବ। ବର୍ତ୍ତମାନ ବିମାନ ରାତିରେ ଚଳାଚଳ କରୁଥିବାବେଳେ ଅକ୍ଟୋବର ୨୫ରୁ ଦିନ ସମୟରେ ବିମାନ ସେବା ଉପଲବ୍ଧ ହେବ।
ଗତ କିଛି ମାସ ଧରି ଭୁବନେଶ୍ୱରରୁ ସିଧା ଅନ୍ତର୍ଜାତୀୟ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା। ଅନ୍ତର୍ଜାତୀୟ ବିମାନବନ୍ଦରର ମାନ୍ୟତା ଥିଲେ ମଧ୍ୟ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଦେଶକୁ ସିଧା ବିମାନ ନଥିବାରୁ ଯାତ୍ରୀମାନେ ନିରାଶ ହୋଇଥିଲେ। ଏବେ ବ୍ୟାଙ୍କକ୍ ବିମାନ ସେବା ପୁଣି ଆରମ୍ଭ ହେବାରୁ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ମିଳିଛି।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁସାରେ, ଭୁବନେଶ୍ୱର-ବ୍ୟାଙ୍କକ୍ ରୁଟ୍ରେ ଯାତ୍ରୀଙ୍କ ଚାହିଦା ଭଲ ରହିଛି। ସିଧା ବିମାନ ସେବା ଥାଇଲାଣ୍ଡ ଯାଉଥିବା ଓଡ଼ିଶାର ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ ପାଇଁ ଯାତ୍ରାକୁ ଅଧିକ ସୁବିଧାଜନକ କରିବ।
ପରିସ୍ଥିତି ସ୍ୱାଭାବିକ ହେବା ପରେ ଭୁବନେଶ୍ୱରରୁ ଦୁବାଇକୁ ମଧ୍ୟ ବିମାନ ସେବା ପୁଣି ଆରମ୍ଭ କରିବାକୁ ପ୍ରୟାସ ଚାଲିଛି। ଅନ୍ୟପକ୍ଷରେ, ବର୍ତ୍ତମାନ ସିଙ୍ଗାପୁର ରୁଟ୍ରେ ପର୍ଯ୍ୟାପ୍ତ ଯାତ୍ରୀ ଚାହିଦା ନଥିବା ଜଣାପଡ଼ିଛି। ଆଗାମୀ ଦିନରେ ଯାତ୍ରୀ ସଂଖ୍ୟା ବଢ଼ିବା ସହ ବିମାନ କମ୍ପାନୀଗୁଡ଼ିକ ଏହି ରୁଟ୍ରେ ବିମାନ ଚଳାଇବାକୁ ରାଜି ହେଲେ ସିଙ୍ଗାପୁରକୁ ମଧ୍ୟ ବିମାନ ସେବା ଆରମ୍ଭ ହୋଇପାରେ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

