ସେମିନାର ବାହାନାରେ ଡାକିଲେ; ୨ ଦିନ ବନ୍ଦୀ ରଖିଲେ, ବନ୍ଧୁକ ମୁନରେ ଟଙ୍କା ମାଗିଥିଲେ

ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ କୋଚିଂ ସେଣ୍ଟର ପୂର୍ବତନ ଛାତ୍ର ପ୍ରିୟଙ୍କ ଶର୍ମା ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରିଥିଲା

ଭୋପାଳ: ବିଚିତ୍ର ଏ ଦୁନିଆ । ଯେଉଁ ଗୁରୁମାଆଙ୍କ ହାତ ଧରି ପାଠ ପଢ଼ିଥିଲେ, ଆଜି ତାଙ୍କୁ କଲେ ଅପହରଣ । ଦୁଇ ଦିନ କାଳ ବନ୍ଦୀ ରଖି ବନ୍ଧୁକ ମୁନରେ ମାଗିଲେ ୧.୮୯ କୋଟି । ଏପରି ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଘଟିଛି । ଏହି ଘଟଣାରେ ପୋଲିସ ମୁଖ୍ୟଅଭିଯୁକ୍ତ ଗୁରୁମାଆଙ୍କ ଶିଷ୍ୟ ତଥା କୋଚିଂ ସେଣ୍ଟରର ପୂର୍ବତନ ଛାତ୍ରଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ।

ଆଇଏଏସ୍ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ହେଉଛନ୍ତି ଶୁଭ୍ରା ରଞ୍ଜନ । ଅର୍ଥ କାରବାରକୁ ନେଇ ତାଙ୍କ ସହିତ ତାଙ୍କର ଜଣେ ପୂର୍ବତନ ଛାତ୍ର ପ୍ରିୟଙ୍କ ଶର୍ମାଙ୍କର ବିବାଦ ଲାଗି ରହିଥିଲା । ଏହାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ ପ୍ରିୟଙ୍କ । ତେଣୁ ସେ ବନ୍ଧୁଙ୍କ ସହ ମିଶି ଶୁଭ୍ରା ମାଡ଼ାମଙ୍କୁ ଅପହରଣ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ଅଭିଯୁକ୍ତମାନେ ଶୁଭ୍ରା ରଞ୍ଜନଙ୍କୁ ସେମିନାର ଓ ନୂଆ ବ୍ରାଞ୍ଚ ଖୋଲିବା ବାହାନାରେ ଦିଲ୍ଲୀରୁ ଭୋପାଳ ଡକାଇଥିଲେ । ଡାକରା ପାଇ ଶୁଭ୍ରା ଧାଇଁ ଆସିଥିଲେ ।

ଶୁଭ୍ରା ଏକ ହୋଟେଲରେ ବିଶ୍ରାମ ନେଇଥିଲେ । କିଛି ସମୟରେ ଅଭିଯୁକ୍ତମାନେ ତାଙ୍କୁ ନେଇଯାଇଥିଲେ । ଭୋପାଳରେ ଏକ ଫ୍ଲାଟରେ ରଖି ଭୟଭୀତ କରାଇଥିଲେ । ବନ୍ଧୁକ ମୁନରେ ୧.୮୯ କୋଟି ଟଙ୍କା ମାଗିଥିଲେ । ଦୁଇ ଦିନ ପର୍ଯ୍ୟନ୍ତ ସେହି ଫ୍ଲାଟ୍‌ରେ ବନ୍ଦୀ ରଖିଥିଲେ । ଶୁଭ୍ରା ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକ ବିଭିନ୍ନ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିଥିଲେ। ଏଥିସହ ଭୋପାଳ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ କୋଚିଂ ସେଣ୍ଟର ପୂର୍ବତନ ଛାତ୍ର ପ୍ରିୟଙ୍କ ଶର୍ମା ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରିଥିଲା । ପରେ ପୋଲିସ ପ୍ରିୟଙ୍କଙ୍କୁ ଉଠାଇ ଆଣି ଘନଘନ ପଚରାଉଚରା କରିଥିଲେ । ପରେ ସେ ନିଜ ଦୋଷ ସ୍ୱୀକାର କରିଥିଲା । ନିଜ ସାଥୀଙ୍କ ସହ ମିଶି ଅପହରଣ କରିଥିଲା ବୋଲି କହିଥିଲା । ଏହା ପରେ ପୋଲିସ ଅନ୍ୟ ୫ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି । ଏହି ଘଟଣାରେ ମୋଟ ୬ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ପୋଲିସ ଖୋଜୁଛି । ଏଥିସହ ଟ୍ରାନ୍ସଫର ହୋଇଥିବା ଟଙ୍କା ହୋଲ୍‌ଡ କରିବା ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭୋପାଳ ପୋଲିସ କମିଶନର ସଞ୍ଜୟ କୁମାର ।