fbpx

Disease-X ଭବିଷ୍ୟତରେ ତାଣ୍ଡବ ରଚିବ! କରୋନା ପରେ ପୁଣି ଏକ ଘାତକ ବିମାରୀକୁ ନେଇ ଚିନ୍ତା ପ୍ରକଟ କଲା WHO

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆରୁ କରୋନା ଭାଇରସର ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ । ଗତ କିଛି ମାସ ଧରି ଚୀନରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏଥିସହିତ ଅନ୍ୟ କିଛି ଦେଶରେ ମଧ୍ୟ ମାମଲା ଉପରମୁହାଁ ହେବାରେ ଲାଗିଛି । ତେବେ ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି । ଭବିଷ୍ୟତରେ କରୋନାଠାରୁ ଭୟଙ୍କର ଏକ ବିମାରୀ ଆସିପାରେ ବୋଲି ହୁ ପକ୍ଷରୁ କୁହାଯାଇଛି ।

ଆଗାମୀ ଦିନରେ ଭୟଙ୍କର ଆଶଙ୍କା ନେଇ ହୁ ପକ୍ଷରୁ କିଛି ବିମାରୀର ଲିଷ୍ଟ ଜାରି କରାଯାଇଛି । ସେହି ଲିଷ୍ଟରେ ରହିଥିବା ସବୁଠାରୁ ଘାତକ ବିମାରୀର ନାମ ହେଉଛି ଡିଜିସ-ଏକ୍ସ । ଗତ ୨୦୨୧ରେ ବୈଜ୍ଞାନିକମାନେ ଡିଜିସ-ଏକ୍ସକୁ ନେଇ ମତ ଦେଇଥିଲେ । ଇବୋଲାଠାରୁ ଏହା ଅଧିକ ଘାତକ ହେବ ବୋଲି କୁହାଯାଇଥିଲା । ପଶ୍ଚିମ ଆଫ୍ରିକାରେ ଏହି ବୀମାରୀର ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ପ୍ରାଣହାନୀ ଘଟୁଥିବା ଦେଖାଯାଉଛି ।

ଡିଜିସ-ଏକ୍ସର ଚର୍ଚ୍ଚା କୋଭିଡ-୧୯ ପୂର୍ବରୁ ହୋଇଥିଲା । ବୈଜ୍ଞାନିକମାନେ ଏହାର ଭୟାବହତା ନେଇ ସୂଚନା ଦେଇଥିଲେ । ମାତ୍ର ଏହା ମଧ୍ୟରେ ୨ ବର୍ଷ ଧରି କରୋନା ତାଣ୍ଡବ ରଚିଥିଲା । ବର୍ତ୍ତମାନ ଚୀନକୁ ଛାଡ଼ି ସାରା ଦୁନିଆରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ଡିଜିସ-ଏକ୍ସକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି । ନିକଟରେ କଙ୍ଗୋରୁ ଏକ ରହସ୍ୟମୟ ବୁଖାର ମାମଲା ଆସିଥିଲା । ରୋଗୀଠାରେ ରକ୍ତସ୍ରାବ ସମସ୍ୟା ଦେଖାଦେବା ସହ ପରିସ୍ଥିତି ବିଗିଡ଼ି ଯାଇଥିଲା । ତାହା ଅନ୍ୟ ଏକ ରୋଗ ବୋଲି ଡାକ୍ତର ଅନୁମାନ କରିଥିଲେ । ମାତ୍ର ତାହା ଡିଜିସ-ଏକ୍ସ ହୋଇଥାଇପାରେ ବୋଲି ଏବେ ଡାକ୍ତରମାନେ ମତ ଦେଉଛନ୍ତି ।

ଡିଜିସ-ଏକ୍ସର ସଂକ୍ରମଣ ପ୍ରଥମେ ପଶୁପକ୍ଷୀଙ୍କ ଠାରେ ଦେଖାଦେଇଥିଲା । ଏହାର ଲକ୍ଷଣ ଅନ୍ୟ ବୀମାରୀରେ ମଧ୍ୟ ଦେଖାଯାଇଥିଲା । କରୋନା ଭାଇରସ୍ ଯେପରି ବାଦୁଡ଼ିଙ୍କ ଠାରୁ ଆସିଥିଲା, ସେହିପରି ଏଡସ୍ ଓ ହଳଦିଆ ଜ୍ୱର ମଧ୍ୟ ପଶୁଙ୍କଠାରୁ ଆସିଥିବା କୁହାଯାଉଛି । ଡିଜିଜ-ଏକ୍ସର ଭବିଷ୍ୟତର ମହାମାରୀ ନେଇ ବିଶ୍ୱର ୩୦୦ରୁ ଅଧିକ ବୈଜ୍ଞାନିକ ୨୫ରୁ ଅଧିକ ଭାଇରସ ଓ ବ୍ୟାକ୍ଟେରିଆକୁ ଏହି ଶ୍ରେଣୀରେ ରଖିଛନ୍ତି ।

Get real time updates directly on you device, subscribe now.