fbpx

ଗୁଣ୍ଡାଗିରି ପରେ ମାଗିଲେ କ୍ଷମା: ଷ୍ଟମ୍ପ ଉପାଡି ଫିଙ୍ଗିବା ସହ ଅମ୍ପାୟରଙ୍କୁ ଗାଳି ଦେଲେ ସାକିବ ଅଲ ହାସନ

ନୂଆଦିଲ୍ଲୀ : କ୍ରିକେଟ୍ ପରି ଭଦ୍ର ଲୋକଙ୍କ ଖେଳରେ ଖେଳାଳିଙ୍କ ଅଭଦ୍ର ଆଚରଣ। ପଡିଆରେ ଅଭଦ୍ରାମୀର ସମସ୍ତ ସୀମା ଲଙ୍ଘିଲେ। ଏଭଳି ଆଶାଳୀନ ଆଚରଣ କରିଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ସାକିବ ଅଲ ହାସନ। ତେବେ ସେ ନିଜର ଏହି ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି। ସେ ନିଜର ଏହି ଦୁର୍ଭାଗ୍ୟପୂର୍ଣ୍ଣ ଆଚରଣ ପାଇଁ ଫେସବୁକ ପେଜରେ କ୍ଷମା ମାଗିଛନ୍ତି।
ସେ ଲେଖିଛନ୍ତି ପ୍ରିୟ ପ୍ରଶଂସକ ଏବଂ ମୋର ଶୁଭଚିନ୍ତକ, ମୁଁ ସେହି ସମସ୍ତ ଲୋକଙ୍କୁ କ୍ଷମା ମାଗୁଛି, ଯେଉଁମାନେ ଆଜିର ମ୍ୟାଚ୍ରେ ମୋର ବ୍ୟବହାର ପାଇଁ ଦୁଃଖିତ, ମର୍ମାତ ଏବଂ କ୍ରୋଧିତ। ମୋ ପରି ଜଣେ ଅନୁଭବୀ ଖେଳାଳିଙ୍କ ପାଇଁ ଏହି ପରି ବ୍ୟବହାର ଶୋଭା ପାଏ ନାହିଁ। ମାତ୍ର ବେଳେ ବେଳେ ମ୍ୟାଚ୍ରେ ଏମିତି ଭୁଲ୍ ହୋଇଯାଏ। ମୁଁ ସମସ୍ତ ଟିମ୍, ଟୁର୍ଣ୍ଣାମେଣ୍ଟରେ ସାମିଲ ସମସ୍ତ ଅଧିକାରୀ ଓ ଆୟୋଜନ କମିଟିକୁ ମୋ ଭୁଲ୍ ପାଇଁ କ୍ଷମା ମାଗୁଛି। ମୁଁ ଆଶା କରୁଛି, ଭବିଷ୍ୟତରେ ଏହି ଧରଣର କାମ କରିବି ନାହିଁ।
ସାକିବ ଢାକା ପ୍ରିମିୟର ଲିଗ୍(ଡିପିଏଲ)ର ୪୦ତମ ମୁକାବିଲା ଚାଲିଥିବା ବେଳେ ପଡିଆରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହି ମୁକାବିଲା ମୋହମଡମ ସ୍ପୋର୍ଟିଂ ଓ ଅବାହାମୀ ଲିମିଟେଡ୍ କ୍ଲବ ମଧ୍ୟରେ ଢାକାର ସେର ଏ ବାଙ୍ଗଲା ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ମୋହମଡମ ସ୍ପୋର୍ଟିଂ ୨୦ ଓଭରରେ ୧୪୫ ରନ କରିଥିଲା। ଏହି ମ୍ୟାଚ୍ରେ ସାକିବ ୩୭ ରନ କରିଥିବା ବେଳେ ମହମୁଦୁଲ ହସନ ୨୨ ବଲରୁ ୩୦ ରନ କରିଥିଲେ। ଜବାବରେ ଆବାହାମୀ କ୍ଲବ ତିନି ଓଭରରେ ୯ ରନରେ ୩ଟି ଓ୍ଵିକେଟ୍ ହରାଇଥିଲା।


ଅମ୍ପାୟରଙ୍କ ସାମ୍ନାରେ ଷ୍ଟମ୍ପ ଉଖାଡି ଫିଙ୍ଗିଲେ
ଏହା ପରେ ସାକିବ ଅଲ ହସନ ବୋଲିଂ ପାଇଁ ଆସିଥିଲେ। କ୍ରିଜରେ ବ୍ୟାଟିଂ କରୁଥିଲେ ମୁସଫିକର ରହିମ। ତାଙ୍କର ଏକ ସିଧା ବଲ ମୁସଫିକର ରହିମଙ୍କ ପ୍ୟାଡରେ ଯାଇ ବାଜିଥିଲା। ସାକିବ ଏଲବିଡବ୍ଲ୍ୟୁ ପାଇଁ ଜୋରଦାର ଅପିଲ୍ କରିଥିଲେ। ମାତ୍ର ଅମ୍ପାୟର ରହିମଙ୍କୁ ନଟଆଉଟ୍ ଦେଇଥିଲେ। ଏଥିରେ ସାକିବ ଏତେ କ୍ଷୁବ୍ଧ ଥିଲେ ଯେ, ଷ୍ଟମ୍ପକୁ ଗୋଇଠା ମାରିଥିଲେ। କେବଳ ଏତିକି ନୁହେଁ ନିଷ୍ପତ୍ତିକୁ ନେଇ ଅମ୍ପାୟରଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ। ହେଲେ ଏହାର ପରବର୍ତ୍ତୀ ଓଭରରେ ସାକିବ ପୁଣି ଥରେ ନିଜ କ୍ରୋଧ ସମ୍ଵରଣ କରି ପାରିନଥିଲେ ଏବଂ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏଥର ସହ ଅମ୍ପାୟରଙ୍କ ପାଖକୁ ଦୌଡି ଯାଇଥିଲେ। ଲାଗୁଥିଲା ସେ ଅମ୍ପାୟରଙ୍କୁ ପିଟି ପକାଇବେ। କିନ୍ତୁ ସେ ତିନି ଷ୍ଟମ୍ପ ଉପାଡି ଫିଙ୍ଗି ଦେଇଥିଲେ। ତାଙ୍କର ଏହି ବ୍ୟବହାର ଦେଖି ସମସ୍ତେ ହତବାକ ହୋଇ ପଡିଥିଲେ।
ପଡିଆରେ ତାଙ୍କର ଏହି ଅଶୋଭନୀୟ ବ୍ୟବହାର ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି। ପ୍ରଶଂସକ ସାକିବଙ୍କ ଏମିତି ବ୍ୟବହାର ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିଛି ପ୍ରଶଂସକ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ ଦେଇଥିଲେ କାରଣ ସେ ନିକଟରେ ବାସନ୍ଦ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଛନ୍ତି।

Get real time updates directly on you device, subscribe now.