fbpx

ଆଇଡିବିଆଇ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବ ଏଲଆଇସି

ନୂଆ ଦିଲ୍ଲୀ, ୦୫/୦୫: କରୋନାର ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ସହ ସରକାରଙ୍କ ରାଜକୋଷ ଉପରେ ମଧ୍ୟ ପଡିଛି । ଏଭଳି ସ୍ଥିତିରେ ସରକାର ନିଜର ବିନିବେଶ ଜାରି ରଖିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାର ଆଇଡିବିଆଇ ବ୍ୟାଙ୍କର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ସହ ପରିଚାଳନା ନିୟନ୍ତ୍ରଣ ହସ୍ତାନ୍ତରକୁ ନୀତିଗତ ମଞ୍ଜୁରୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଆର୍ଥିକ ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଇଡବିଆଇର ବ୍ୟାଙ୍କର ରଣନୈତିକ ପୁଞ୍ଜି ବିନିଯୋଗର ନୀତିଗତ ମଞ୍ଜୁରୀ ଦିଆଯାଇଛି । ସେହିଭଳି ବ୍ୟାଙ୍କର ପରିଚାଳନା ନିୟନ୍ତ୍ରଣ ହସ୍ତାନ୍ତରକୁ ନୀତିଗତ ମଞ୍ଜୁରୀ ଦିଆଯାଇଛି ।
ବର୍ତ୍ତମାନ ଆଇଡିବିଆଇ ବ୍ୟାଙ୍କରେ ଭାରତ ସରକାରଙ୍କ ୪୫.୪୮% ଏବଂ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ୪୯.୨୪% ଅଂଶଧନ ରହିଛି । କହିବାକୁ ଗଲେ ଏହିଭଳି ଭାବରେ ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କର ୯୪% ଅଂଶଧନ ରହିଛି । ବିନିବେଶ ସମୟରେ କିଏ କେତେ ଅଂଶଧନ ବିକ୍ରି କରିବ ସେନେଇ ଆଇଡିବିଆଇ ବ୍ୟାଙ୍କ ପୁର୍ନଗଠନ ସମୟରେ ବିଚାର କରାଯିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମଧ୍ୟ ପରାମର୍ଶ କରାଯିବ ।
ଏଲଆଇସି ବୋର୍ଡ ଆଇଡିବିଆଇ ବ୍ୟାଙ୍କରେ ଏହାର ଅଂଶୀଦାର କମ କରିବା ନେଇ ଏକ ପ୍ରସ୍ତାବ ପାସ କରିଛି । ଏଲଆଇସି ବୋର୍ଡର କହିବା ଅନୁସାରେ ଆଇଡିବିଆଇ ବ୍ୟାଙ୍କ ନିଜର ସେୟାର ହୋଲ୍ଡିଙ୍ଗ କମ କରିବ । ସେୟାରରୁ ମିଳୁଥିବା ମୂଲ୍ୟ, ବଜାର ପରିଦୃଶ୍ୟ ଏବଂ ଏହାର ବୀମା ଗ୍ରାହକଙ୍କ ହିତକୁ ମଧ୍ୟ ଧାନ ରଖିବାକୁ ପଡିବ । ବର୍ତ୍ତମାନ ଏଲଆଇସି ଆଇଡିବିଆଇ ବ୍ୟାଙ୍କର ପ୍ରମୋଟର ରହିଛି ଏବଂ ଏହା ପାଖରେ ଆଇଡିବିଆଇ ବ୍ୟାଙ୍କର ପରିଚଳାନା ନିୟନ୍ତ୍ରଣ ମଧ୍ୟ ରହିଛି । ସେହିଭଳି ଭାରତ ସରକାର ଆଇଡିବିଆଇ ବ୍ୟାଙ୍କର ସହ ପ୍ରମୋଟର ଅଛନ୍ତି ।
ରଣନୈତିକ କ୍ରେତା ଆଇଡିବିଆଇ ବ୍ୟାଙ୍କ୍ରେ ପୁଞ୍ଜି ଏବଂ ନୂତନ ଜ୍ଞାନକୌଶଳର ନିବେଶ କରିବେ । ରଣନୈତିକ କ୍ରେତା ଆଇଡିବିଆଇର ବ୍ୟାଙ୍କ ଲିମିଟେଡର କାରବାର କ୍ଷମତାକୁ ସର୍ବୋତ୍ତମ ବିକାଶ ସହିତ ବ୍ୟାଙ୍କର ବିକାଶ ଲାଗି ଆବଶ୍ୟକ ଅର୍ଥ ରାଶି ବିନିଯୋଗ କରିବେ । ସେହିଭଳି ବ୍ୟାଙ୍କର ପରିଚାଳନା ସହ ଜହିତ ସର୍ବୋତ୍ତମ ପ୍ରଚଳନକୁ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି । ଏହାଛଡା ଏଲଆଇସି ଏବଂ ସରକାରଙ୍କ କୌଣସି ନିର୍ଭରଶୀଳତା ବିନା ରଣନୈତିକ କ୍ରେତା ଏଥିରେ ଅଧିକାରୁ ଅଧିକ କାରବାର ସୃଷ୍ଟି କରିବେ । ଏହି ରଣନୈତିକ ବିନିବେଶ ଦ୍ୱାରା ସରକାରଙ୍କୁ ପ୍ରାପ୍ତ ହେବାକୁ ଥିବା ସମ୍ବଳ ସରକାର ବିଭିନ୍ନ ଜନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରିବେ । ଏହାଦ୍ୱାରା ଦେଶବାସୀ ଲାଭ ପାଇପାରିବେ ।

Get real time updates directly on you device, subscribe now.