‘ଲାଡଲା’ର ନାୟିକା ଥିଲେ ଦିବ୍ୟା ଭାରତୀ: କ୍ଲାଇମାକ୍ସ ବାକିଥିଲା, ହେଲେ…
ଦିବ୍ୟା ଭାରତୀଙ୍କ ମୃତ୍ୟୁର ଠିକ ଗୋଟିଏ ଦିନ ପୂର୍ବରୁ ଆମେ ଚେନ୍ନାଇରେ ଏକ ଦୃଶ୍ୟର ସୁଟିଂ କରୁଥିଲୁ।
ମୁମ୍ବାଇ: ଚୁଲବୁଲି ନାୟିକା ଦିବ୍ୟା ଭାରତୀ। ଅଳ୍ପ ବୟସରେ ଅଭିନୟର ଯାଦୁ ଦେଖାଇଥିଲେ। ଛାଇ ଯାଇଥିଲେ ମାୟାନଗରୀରେ। ସିନେ ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ଘର କରିପାରିଥିଲେ। ଦୁର୍ଭାଗ୍ୟର ବିଷୟ ୧୯ ବର୍ଷ ବୟସରେ ଅଫେରା ପଥରେ ଚାଲିଗଲେ। ହେଲେ ଆପଣ ଜାଣିଛନ୍ତି, ଏହି ହିରୋଇନ୍ ଶେଷ ଡାଇଲଗ କଣ ଥିଲା? ନିର୍ଦ୍ଦେଶକ ଓ ଲେଖକ ଅନୀସ ବାଜମୀଙ୍କ କହିବା ଅନୁସାରେ ଦିବ୍ୟା ଭାରତୀଙ୍କ ଶେଷ ଡାଇଲଗ ଥିଲା ମୋତେ ବଞ୍ଚାଅ ମୋତେ ବଞ୍ଚାଅ…।
ଦିବ୍ୟା ଭାରତୀଙ୍କ ସହ କଟାଇଥିବା ଶେଷ ସୁଟିଂ ଦିନକୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଥିଲେ ଅନୀସ ବାଜମୀ। ସେ କହିଛନ୍ତି, ଦିବ୍ୟା ଭାରତୀଙ୍କ ମୃତ୍ୟୁର ଠିକ ଗୋଟିଏ ଦିନ ପୂର୍ବରୁ ଆମେ ଚେନ୍ନାଇରେ ଏକ ଦୃଶ୍ୟର ସୁଟିଂ କରୁଥିଲୁ। ସେହି ଦୃଶ୍ୟରେ କିଛି ଅଜ୍ଞାନ ଲୋକେ ମୁଖା ପିନ୍ଧି ତାଙ୍କୁ ଟାଣି ନେଉଥିଲେ। ସେ କ୍ୟାମେରାର ଫୋକସରୁ ଧୀରେ ଧୀରେ ଦୂରେଇ ଯାଉଥିଲେ। ସେହି ଦୃଶ୍ୟରେ ତାଙ୍କର ଶେଷ ସଂଳାପ ଥିଲା, ମୋତେ ବଞ୍ଚାଅ…! ପରଦିନ ସକାଳେ ଆମେ ଖବର ପାଇଲୁ ସେ ଆଉ ଆମ ମଧ୍ୟରେ ନାହାନ୍ତି। ଆଜି ମଧ୍ୟ ସେହି ସ୍ମୃତି ମୋତେ ଥରାଇ ଦେଉଛି ବୋଲି ଅନୀସ କହିଛନ୍ତି।
‘ଲାଡଲା’ ଫିଲ୍ମର ନାୟୀକା ଥିଲେ ଦିବ୍ୟା ଭାରତୀ: ନିର୍ଦ୍ଦେଶକ ଅନୀସ ବାଜମୀ କହିଛନ୍ତି; ‘ଲାଡଲା’ ଫିଲ୍ମ ନାୟିକା ଥିଲେ ଦିବ୍ୟା ଭାରତୀ। ସେ ଏହି ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମର ପ୍ରାୟ ୯୦ରୁ ୯୫ ପ୍ରତିଶତ ଭାଗ ସୁଟିଂ ଶେଷ ହୋଇଥିଲା। କେବଳ କ୍ଲାଇମାକ୍ସ ସୁଟିଂ ବାକି ଥିଲା। ହେଲେ ଦିବ୍ୟା ଭାରତୀଙ୍କ ମୃତ୍ୟୁ ଘଟିଥିଲା। ୧୯୯୩ ମସିହା ଏପ୍ରିଲ ୫ ତାରିଖରେ ମାତ୍ର ୧୯ ବର୍ଷ ବୟସରେ ସେ ନିଜ ଆପାର୍ଟମେଣ୍ଟର ବାଲକୋନୀରୁ ଖସି ପଡ଼ିଥିଲେ। ଯାହାଫଳରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା।
Uttarakhand Govt.
ଅନୀସ ବାଜମୀ କହିବା ଅନୁସାରେ ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ମୁଁ ପୂରା ଭାଙ୍ଗି ପଡ଼ିଥିଲି। ପ୍ରାୟ ଦୁଇ ମାସ ପର୍ୟ୍ୟନ୍ତ ସୁଟିଂ ସେଟ୍ରେ ନିରବତା ଛାଇ ହୋଇଯାଇଥିଲା। ପ୍ରଯୋଜକ ଓ ସମଗ୍ର ଟିମ ଭିତରୁ ଭାଙ୍ଗି ପଡ଼ିଥିଲେ। ଏତେ ବଡ଼ ଆର୍ଥିକ କ୍ଷତି ଓ ଜଣେ ପ୍ରତିଭାବାନ ଅଭିନେତ୍ରୀଙ୍କୁ ହରାଇବାର ଦୁଃଖ ସହିବା ସହଜ ନଥିଲା। ପରେ ଆମେ ନିଷ୍ପତ୍ତି ନେଲୁ ଫିଲ୍ମକୁ ପୁଣି ଥରେ ଆରମ୍ଭରୁ ତିଆରି କରିବୁ। ହେଲେ ଏଥିରେ ହିରୋଇନ୍ କିଏ ହେବେ? ଏହାକୁ ନେଇ ଚାଲିଲା ଚର୍ଚ୍ଚା ଓ ପର୍ଯ୍ୟାଲୋଚନା।
‘ଲାଡ଼ଲା’ ଅଭିନୟ ପାଇଁ ଶ୍ରୀଦେବୀ ରାଜି ନଥିଲେ: ଅନୀସ ବାଜମୀଙ୍କ କହିବା ଅନୁସାରେ ଶ୍ରୀଦେବୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ପୂର୍ବରୁ ‘ଲାଡଲା’ର ତାମିଲ ସଂସ୍କରଣ ‘ମନ୍ନାନ’ ଓ ‘ତେଲୁଗୁ’ ସଂସ୍କରଣ ‘ଘରାନା ମୋଗୁଡୁ’ରେ କାମ କରିବାକୁ ମନା କରିଥିଲେ।
ତେଣୁ ସେ ହିନ୍ଦୀ ସଂସ୍କରଣର ସ୍କ୍ରିପ୍ଟରେ ଅନେକ ବଡ଼ ପରିବର୍ତ୍ତନ କରିଥିଲେ। ଏଥିସହ ନୂଆ ସ୍କ୍ରିପ୍ଟ ଶ୍ରୀଦେବୀଙ୍କୁ ଶୁଣାଇଥିଲେ। ସ୍କ୍ରିପ୍ଟରେ ହୋଇଥିବା ପରିବର୍ତ୍ତନ ଓ ନିଜର ଶକ୍ତିଶାଳୀ ଚରିତ୍ରକୁ ଦେଖି ଶ୍ରୀଦେବୀ ଏତେ ପ୍ରଭାବିତ ହୋଇଥିଲେ। ଫିଲ୍ମ ପାଇଁ ସହମତି ଜଣାଇଥିଲେ। ଶ୍ରୀଦେବୀଙ୍କ ବଳିଷ୍ଠ ଅଭିନୟ ଯୋଗୁ ଫିଲ୍ମ ସୁପର ଡୁପର ହିଟ୍ ହୋଇଥିଲା ବୋଲି ଅନୀସ କହିଛନ୍ତି।
ସୂଚନାରୁ ପ୍ରକାଶ; ୧୯୯୪ ମସିହାରେ ମୁକ୍ତିଲାଭ କରିଥିଲା ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଲାଡଲା’। ଏଥିରେ ଅନିଲ କପୁର, ଶ୍ରୀଦେବୀ ଓ ରବୀନା ଟଣ୍ଡନଙ୍କ ପରି କଳାକାର ଅଭିନୟ କରିଥିଲେ।

