TVKକୁ ସମର୍ଥନ କରି DMK ପଛରେ ଛୁରୀ ମାରିଛି କଂଗ୍ରେସ
ଅନ୍ନାଦୁରାଇ ଆହୁରୀ କହିଛନ୍ତି ଯେ, ନିର୍ବାଚନୀ ଫଳାଫଳ ଘୋଷଣା ହେବାର ଅଳ୍ପ ସମୟ ମଧ୍ୟ କଂଗ୍ରେସ ଜନମତ ବିରୋଧରେ ଯାଇଛି । ଏହି ନିଷ୍ପତି ଅନ୍ୟ ବିରୋଧୀ ଦଳ ନେତାଙ୍କ ବିଶ୍ୱାସ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଚେନ୍ନାଇ: ତାମିଲନାଡୁରେ ସରକାର ଗଠନ ପାଇଁ କଂଗ୍ରେସ, ବିଜୟଙ୍କ ଦଳ ‘ଟିଭିକେ’ (TVK) କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେବା ପରେ ଡିଏମକେ (DMK) ମୁଖପାତ୍ର ସରବନନ ଅନ୍ନାଦୁରାଇ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କଂଗ୍ରେସର ଏହି ପଦକ୍ଷେପକୁ “ପଛପଟୁ ଛୁରି ମାରିବା” ବୋଲି କହିବା ସହ ନିର୍ବାଚନ ଫଳାଫଳ ଆସିବା ମାତ୍ରେ ଦଳ ନିଜର ଆଭିମୁଖ୍ୟ ବଦଳାଇ ଦେଇଥିବା ଅଭିଯୋଗ କରିଛନ୍ତି। କଂଗ୍ରେସର ଏହି ଯୁକ୍ତିକୁ ସେ ଗ୍ରହଣ କରିପାରୁନାହାନ୍ତି, ଯେଉଁଥିରେ କୁହାଯାଇଛି ଯେ ବିଜେପି ଏବଂ ଆରଏସଏସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏହି ସମର୍ଥନ ଦିଆଯାଇଛି। ତାଙ୍କ ମତରେ, କଂଗ୍ରେସର ଏହି ନିଷ୍ପତ୍ତି ସାରା ଦେଶର ରାଜନୈତିକ ସହଯୋଗୀମାନଙ୍କ ପାଇଁ ଏକ “ଭୁଲ୍ ବାର୍ତ୍ତା” ଦେଉଛି।
ଅନ୍ନାଦୁରାଇ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ହେବାର ମାତ୍ର କିଛି ସମୟ ମଧ୍ୟରେ କଂଗ୍ରେସ ଜନମତର ବିରୋଧରେ ଯାଇଛି। ଏହିଭଳି ନିଷ୍ପତ୍ତି ଅନ୍ୟ ବିରୋଧୀ ନେତା ଯଥା ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଥିବା ବିଶ୍ୱାସ ଉପରେ ପ୍ରଭାବ ପକାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଡିଏମକେ କେବେ ବି ପୂର୍ବ ମେଣ୍ଟରେ କଂଗ୍ରେସକୁ ନିରାଶ କରିନାହିଁ, କିନ୍ତୁ କଂଗ୍ରେସର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ଦୀର୍ଘ ଦିନର ରାଜନୈତିକ ସମ୍ପର୍କକୁ କ୍ଷତି ପହଞ୍ଚାଇଛି।
ଅନ୍ୟପଟେ, ତାମିଲନାଡୁରେ ୫ ଜଣ ବିଧାୟକ ଥିବା କଂଗ୍ରେସ ଦଳ ଔପଚାରିକ ଭାବେ ଟିଭିକେ (TVK) କୁ ସମର୍ଥନ ଜଣାଇଛି। କଂଗ୍ରେସର ପଲିଟିକାଲ ଆଫେୟାର୍ସ କମିଟି (PAC) ଗତକାଲି ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ବୈଠକରେ ବିଜୟଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ତାମିଲନାଡୁର ଜନମତ ଏକ ଧର୍ମନିରପେକ୍ଷ ସରକାର ପାଇଁ ଆସିଛି ଏବଂ ବିଜେପି ତଥା ତା’ର ସହଯୋଗୀମାନଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସେମାନେ ପ୍ରତିବଦ୍ଧ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳ କହିଛନ୍ତି ଯେ, ବିଜୟ ନିଜେ ସରକାର ଗଠନ ପାଇଁ ସମର୍ଥନ ଲୋଡ଼ିଥିଲେ ଏବଂ ସେ ତାଙ୍କ ରାଜନୈତିକ ଯାତ୍ରାରେ ପେରୁମଥଲାଇଭର କାମରାଜଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି ପ୍ରକାଶ କରିଛନ୍ତି।
