‘ବିଜୟଙ୍କୁ ସମର୍ଥନ ଦେଇ ପିଠିରେ ଛୁରୀ ମାରିଛି କଂଗ୍ରେସ’
ଟିଆର ବାଲୁ କହିଛନ୍ତି, କଂଗ୍ରେସର ଅସଲ ଚେହେରା ସାମ୍ନାକୁ ଆସିଛି
ଚେନ୍ନାଇ: ଫିଲ୍ମଷ୍ଟାରରୁ ରାଜନେତା ହୋଇଥିବା ଟିଭିକେ ମୁଖ୍ୟ ବିଜୟଙ୍କୁ ସମର୍ଥ ଦେଲା କଂଗ୍ରେସ। ବିଜୟଙ୍କ ବାପାଙ୍କ ଅପିଲ୍ ପରେ କଂଗ୍ରେସ ଆଜି ଘୋଷଣା କରିଛି। ଅର୍ଥାତ କଂଗ୍ରେସର ୫ ବିଧାୟକ ବିଜୟଙ୍କୁ ସମର୍ଥନ ଦେବେ। ଏହି ଖବର ପ୍ରକାଶ ପାଇବା ଚିହିଁକି ଉଠିଛି କଂଗ୍ରେସର ସହଯୋଗୀ ଡିଏମ୍କେ। ଦଳ ପକ୍ଷରୁ କୁହାଯାଇଛି, ବିଜୟକୁ ସମର୍ଥ କରି କଂଗ୍ରେସ ଆମ ପିଠିରେ ଛୁରୀ ଭୁଷିଛି।
ପାର୍ଟି କୋଷାଧ୍ୟକ୍ଷ ଟିଆର ବାଲୁ କହିଛନ୍ତି, କଂଗ୍ରେସର ଅସଲ ଚେହେରା ସାମ୍ନାକୁ ଆସିଛି। ଯେତେବେଳେ କଂଗ୍ରେସ କୌଣସି କଠିନ ପରିସ୍ଥିତିରେ ସମ୍ମୁଖୀନ ହେଉଥିଲା, ସେତେବେଳେ ସହଯୋଗୀ ହିସାବରେ ଡିଏମ୍କେ ସମର୍ଥନ ଦେଉଥିଲା। ଏଥିପାଇଁ ଡିଏମ୍କେ ବହୁ କ୍ଷତି ସହିଛି।
ସେ ଆହୁରି ମଧ୍ୟ କହିଛନ୍ତି, ଆମର ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ସହିତ ଭଲ ବନ୍ଧୁତା ରହିଛି। ରାହୁଲ ଗାନ୍ଧୀ ସବୁବେଳେ କହୁଥିଲେ ଷ୍ଟାଲିନ୍ ଏପରି ଜଣେ ବ୍ୟକ୍ତି, ଯାହାଙ୍କୁ ଭାଇ ବୋଲି ମାନେ। ଏପରି ସ୍ଥିତିରେ କଂଗ୍ରେସ ସମ୍ପର୍କ ଛିନ୍ନ କରିଦେଇଛି। କେଉଁ କାରଣ ପାଇଁ ଏ ସମ୍ପର୍କ ଛିନ୍ନ କରାଗଲା, ତାହା ମୋତେ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ବାଲୁ କହିଛନ୍ତି।
ସୂଚନାରୁ ପ୍ରକାଶ, ତାମିଲନାଡ଼ୁରେ ସରକାର ଗଠନ କରିବା ପାଇଁ ସଂଖ୍ୟା ଗରିଷ୍ଠ ୧୧୮ ଦରକାର। ହେଲେ ନିର୍ବାଚନ ଫଳାଫଳରେ କାହାକୁ ସଂଖ୍ୟା ଗରିଷ୍ଠ ମିଳିନି। କିନ୍ତୁ ସଂଖ୍ୟା ଖେଳରେ ଆଗରେ ଅଛନ୍ତି ବିଜୟଙ୍କ ଟିଭିକେ। ଟିଭିକେକୁ ୧୦୮ଟି ଆସନ ମିଳିଛି। ତାଙ୍କୁ ସଂଖ୍ୟା ଗରିଷ୍ଠ ହାସଲ ପାଇଁ ଆଉ ୧୦ ଦରକାର। ଏପରି ସ୍ଥିତିରେ ସରକାରରେ ସାମିଲ ହେବା ପାଇଁ ବିଜୟଙ୍କ ବାପା କଂଗ୍ରେସକୁ ଅପିଲ କରିଥିଲେ। ଆଜି କଂଗ୍ରେସର ୫ ବିଧାୟକ ଟିଭିକେକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। ଏହା ପରେ ସହଯୋଗୀ ଦଳ ଡିଏମ୍କେ ଚିହିଁକି ଉଠିଛି।
