“ନିଆଁ ସହିତ ଖେଳ ନାହିଁ, ବଳିଦାନ ତ ହେବ, ଗାଈ, ଛେଳି…”, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହୁମାୟୁଁ କବୀରଙ୍କ ଚେତାବନୀ
ବଙ୍ଗଳାରେ ଖୋଲା ସ୍ଥାନରେ ନମାଜ ପାଠ ଏବଂ ବଳିଦାନକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ହୁମାୟୁଁ କବୀର ବିଜେପି ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁସଲମାନ ସମ୍ପ୍ରଦାୟ ବଳିଦାନ ପ୍ରସଙ୍ଗରେ କୌଣସି ପ୍ରକାର ବୁଝାମଣା କରିବ ନାହିଁ।
ଓଡିଶା ଭାସ୍କର : ପଶ୍ଚିମବଙ୍ଗରେ ଖୋଲା ସ୍ଥାନରେ ନମାଜ ପାଠ ଏବଂ ବଳିଦାନକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ‘ଆମ ଜନତା ଉନ୍ନୟନ ପାର୍ଟି’ର ଅଧ୍ୟକ୍ଷ ହୁମାୟୁଁ କବୀର ବିଜେପି ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁସଲମାନ ସମ୍ପ୍ରଦାୟ କୋର୍ବାନୀ ପ୍ରସଙ୍ଗରେ କୌଣସି ପ୍ରକାର ବୁଝାମଣା କରିବ ନାହିଁ।
ନ୍ୟୁଜ ଏଜେନ୍ସି IANS ସହିତ କଥାବାର୍ତ୍ତା ବେଳେ ହୁମାୟୁଁ କବୀର କହିଛନ୍ତି, “ସମ୍ବିଧାନକୁ ସମ୍ମାନ ଦେବା ଉଚିତ, କିନ୍ତୁ କୋର୍ବାନୀ ହେବ। ଗାଈର ବି ହେବ, ଛେଳିର ବି ହେବ ଏବଂ ଓଟର ବି ହେବ। କୋର୍ବାନୀ ପାଇଁ ଯେଉଁ ପଶୁମାନେ ଯାଏଜ୍ (ଧର୍ମ ଅନୁସାରେ ଅନୁମତିପ୍ରାପ୍ତ) ସେମାନଙ୍କର କୋର୍ବାନୀ ହେବ। ମୁଁ ବିଜେପି ସରକାରକୁ ଚେତାବନୀ ଦେଉଛି। ଶୁଭେନ୍ଦୁ ଅଧିକାରୀଙ୍କୁ ସିଧାସଳଖ କହୁଛି ଯେ ନିଆଁ ସହିତ ଖେଳ ନାହିଁ।”
ହୁମାୟୁଁ କବୀର ଆଉ କ’ଣ କହିଲେ?
ସେ ଆହୁରି କହିଛନ୍ତି, “ଯଦି ସେମାନେ କୋର୍ବାନୀ ଉପରେ କଟକଣା ଲଗାଇବାକୁ ଚେଷ୍ଟା କରନ୍ତି, ତେବେ ଏହା ସେମାନଙ୍କ ପାଇଁ ହିଁ ଅସୁବିଧା ସୃଷ୍ଟି କରିବ। ମୁସଲମାନ ସମ୍ପ୍ରଦାୟ କୌଣସି ପରିସ୍ଥିତିରେ କୋର୍ବାନୀ ମାମଲାରେ କୌଣସି ବୁଝାମଣା କରିବ ନାହିଁ।”
ହୁମାୟୁଁ କବୀର କହିଛନ୍ତି ଯେ, ୩୭ ପ୍ରତିଶତରୁ ଅଧିକ ମୁସଲମାନ ଗାଈ ମାଂସ ଖାଆନ୍ତି। ସେ କହିଛନ୍ତି, “ସର୍ବପ୍ରଥମେ ସ୍ଲଟର ହାଉସ (କତଲଖାନା) ବନ୍ଦ କରିବା ଉଚିତ୍। ସେଗୁଡ଼ିକୁ ଲାଇସେନ୍ସ ଦିଆଯାଇଛି। ଭାରତ ସରକାର ତ ବିଫ୍ (ଗୋମାଂସ) ବାହାରକୁ ପଠାଇ ଟଙ୍କା ରୋଜଗାର କରୁଛନ୍ତି। ସରକାର କ’ଣ ଏହାକୁ ବନ୍ଦ କରିବେ?”
ଖୋଲା ସ୍ଥାନରେ ନମାଜ ପାଠ ସମ୍ପର୍କରେ ଏହି କଥା କହିଲେ:
ହୁମାୟୁଁ କବୀର କହିଛନ୍ତି, “ଇଦ୍ ନମାଜ ପାଠ ପାଇଁ ସରକାର ଆମକୁ ବଡ଼ ପଡ଼ିଆ ଯୋଗାଇ ଦେବା ଉଚିତ୍। ଯଦି ପଡ଼ିଆର ବ୍ୟବସ୍ଥା ନହୁଏ, ତେବେ ରାସ୍ତାରେ ନମାଜ ପାଠ କରିବା ପାଇଁ ବାଧ୍ୟ ହେବାକୁ ପଡ଼ିବ।” ଅନ୍ୟପକ୍ଷରେ, ରାସ୍ତାରେ ନମାଜ ପାଠକୁ ବିରୋଧ କରୁଥିବା ବିଜେପି ନେତାଙ୍କ କହିବା କଥା ଯେ, ଏହି ଲଢ଼େଇ କୌଣସି ଧର୍ମ ବିରୋଧରେ ନୁହେଁ, ବରଂ ତୁଷ୍ଟୀକରଣ ନୀତି ବିରୋଧରେ। ଯେତେବେଳେ ରାସ୍ତାରେ ନମାଜ ପାଠର ପ୍ରସଙ୍ଗ ଆସେ, ସେତେବେଳେ ୟୁଏଇ, ସାଉଦି ଆରବ କିମ୍ବା ଇରାନ ଭଳି ଇସଲାମିକ ଦେଶରେ ମଧ୍ୟ ରାସ୍ତାରେ ନମାଜ ପାଠ ଉପରେ କଟକଣା ରହିଛି। ତେଣୁ, ଏହାକୁ କେବଳ ଧାର୍ମିକ ଦୃଷ୍ଟିକୋଣରୁ ଦେଖିବା ଉଚିତ୍ ନୁହେଁ।
ପଶ୍ଚିମବଙ୍ଗ ସରକାର ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଫିଟନେସ ସାର୍ଟିଫିକେଟ ବିନା ଗାଈ ଓ ମଇଁଷି ବଳି ଦେବା ଉପରେ କଡ଼ା କଟକଣାକୁ ପୁନର୍ବାର ଦୋହରାଇ ଦିଆଯାଇଛି। ମେ’ ୨୭ ତାରିଖରେ ହେବାକୁ ଥିବା ବକରିଦ୍ ପୂର୍ବରୁ ସରକାର ଏହି ନୋଟିସ୍ ଜାରି କରିଛନ୍ତି। ନୋଟିସରେ କୁହାଯାଇଛି ଯେ, ପ୍ରମାଣପତ୍ର ବିନା କୌଣସି ବଳଦ, ବାଛୁରୀ, ଗାଈ କିମ୍ବା ମଇଁଷିକୁ ବଳି ଦିଆଯାଇପାରିବ ନାହିଁ।
ଏହି ପ୍ରମାଣପତ୍ରରେ ଦୁଇଜଣ ଭିନ୍ନ ଭିନ୍ନ ଅଧିକାରୀଙ୍କ ଦସ୍ତଖତ ରହିବା ଆବଶ୍ୟକ। ଏହି ନିୟମ ଉଲ୍ଲଂଘନ କଲେ ତାହା ଅପରାଧ ବୋଲି ବିବେଚନା କରାଯିବ, ଯେଉଁଥିପାଇଁ ଛଅ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ଦଣ୍ଡବିଧାନ ରହିଛି।

