ସକାଳେ ଖାଲିପେଟରେ କରନ୍ତୁ ପବନମୁକ୍ତ ଆସନ: ଗ୍ୟାସ୍ ଓ କୋଷ୍ଠକାଠିନ୍ୟରୁ ମିଳିବ ଆରାମ!

ପବନମୁକ୍ତ ଆସନକୁ ଇଂରାଜୀରେ 'Wind-Relieving Pose' କୁହାଯାଏ। ଏହି ଆସନରେ ଶୋଇ ଆଣ୍ଠୁକୁ ଛାତି ଆଡ଼କୁ ଟାଣି ଧରାଯାଏ

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ଯୋଗ ଏକ ଉତ୍ତମ ଅଭ୍ୟାସ। ନିୟମିତ ଯୋଗାଭ୍ୟାସ କେବଳ ଶରୀରକୁ ସକ୍ରିୟ ରଖିନଥାଏ, ବରଂ ମାନସିକ ଶାନ୍ତି ଓ ଶାରୀରିକ ନମନୀୟତା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ଏପରି ଏକ ସରଳ ଯୋଗାସନ ହେଉଛି ‘ପବନମୁକ୍ତ’ ଆସନ। ଏହି ଆସନ ପେଟର ମାଂସପେଶୀକୁ ସକ୍ରିୟ କରିବା ସହ ଗ୍ୟାସ ଜନିତ ଅସୁବିଧା ଓ ପେଟ ଫୁଲିବା ଭଳି ସମସ୍ୟାରୁ ଆରାମ ଦେବାରେ ସହାୟକ ହୋଇଥାଏ।

ପବନମୁକ୍ତ ଆସନକୁ ଇଂରାଜୀରେ ‘Wind-Relieving Pose’ କୁହାଯାଏ। ଏହି ଆସନରେ ଶୋଇ ଆଣ୍ଠୁକୁ ଛାତି ଆଡ଼କୁ ଟାଣି ଧରାଯାଏ। ଏହାଦ୍ୱାରା ପେଟ ଉପରେ ହାଲୁକା ଚାପ ପଡ଼ିଥାଏ ଏବଂ ଅଣ୍ଟା ଓ ନିତମ୍ବ ଅଞ୍ଚଳର ମାଂସପେଶୀ ପ୍ରସାରିତ ହୋଇଥାଏ। ଏହି ଆସନ ପେଟ ଓ ଅଣ୍ଟା ଅଞ୍ଚଳର ମାଂସପେଶୀକୁ ସକ୍ରିୟ କରିଥାଏ।

କେମିତି କରିବେ? ପ୍ରଥମେ ଏକ ସମତଳ ସ୍ଥାନରେ ଯୋଗ ମ୍ୟାଟ୍ ବିଛାଇ ଚିତ୍ ହୋଇ ଶୋଇପଡ଼ନ୍ତୁ। ଦୁଇ ଗୋଡ଼କୁ ସିଧା ରଖି ହାତକୁ ଶରୀରର ଦୁଇ ପାର୍ଶ୍ୱରେ ରଖନ୍ତୁ। ଧୀରେ ଧୀରେ ଡାହାଣ ଆଣ୍ଠୁକୁ ମୋଡ଼ି ଛାତି ଆଡ଼କୁ ଆଣନ୍ତୁ ଓ ଦୁଇ ହାତରେ ଆଣ୍ଠୁକୁ ଧରନ୍ତୁ। ଏହି ଅବସ୍ଥାରେ ସ୍ୱାଭାବିକ ଭାବେ ନିଶ୍ୱାସ ନେଇ ୧୫ରୁ ୨୦ ସେକେଣ୍ଡ ରୁହନ୍ତୁ। ପରେ ଧୀରେ ଧୀରେ ଗୋଡ଼କୁ ତଳକୁ ଆଣି ପୂର୍ବ ଅବସ୍ଥାକୁ ଫେରନ୍ତୁ। ସେହିପରି ବାମ ଗୋଡ଼ରେ ମଧ୍ୟ ଅଭ୍ୟାସ କରନ୍ତୁ। ଶେଷରେ ଉଭୟ ଆଣ୍ଠୁକୁ ଛାତି ଆଡ଼କୁ ଟାଣି ଧରି ଆସନ କରିପାରିବେ।

ପବନମୁକ୍ତ ଆସନର ଉପକାରିତା: ପେଟ ଫୁଲିବା, ଗ୍ୟାସ୍ ଜନିତ ଅସ୍ୱସ୍ତି ଓ ହଜମ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ମିଳିଥାଏ। ଏହା ସହ ଅଣ୍ଟା ଓ ନିତମ୍ବର ମାଂସପେଶୀକୁ ହାଲୁକା ଭାବେ ପ୍ରସାରିତ କରିଥାଏ। ଦୀର୍ଘ ସମୟ ବସି ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଆସନ ଶରୀରକୁ ହାଲୁକା ଓ ନମନୀୟ ରଖିବାରେ ସହାୟକ ହୋଇପାରେ।

କେଉଁମାନେ ସତର୍କ ରହିବେ?: ପେଟରେ ଅସ୍ତ୍ରୋପଚାର ହୋଇଥିଲେ, ଅଣ୍ଟା କିମ୍ବା ବେକରେ ଗୁରୁତର ଯନ୍ତ୍ରଣା ଥିଲେ ଏବଂ ଆଣ୍ଠୁଜନିତ ସମସ୍ୟା ଥିଲେ ଏହି ଆସନ କରିବା ପୂର୍ବରୁ ଡାକ୍ତର କିମ୍ବା ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଆସନ କରିବା ସମୟରେ ଯନ୍ତ୍ରଣା କିମ୍ବା ଅସ୍ୱସ୍ତି ଅନୁଭବ ହେଲେ ତୁରନ୍ତ ବନ୍ଦ କରନ୍ତୁ। ଗର୍ଭବତୀ ମହିଳାମାନେ ମଧ୍ୟ ବିଶେଷଜ୍ଞଙ୍କ ପରାମର୍ଶ ବିନା ଏହି ଆସନ କରିବା ଉଚିତ ନୁହେଁ।

ପବନମୁକ୍ତ ଆସନ ଏକ ସରଳ ଯୋଗାଭ୍ୟାସ ହୋଇଥିଲେ ମଧ୍ୟ ଏହାକୁ ଧୀରେ ଧୀରେ ଓ ସଠିକ୍ ପଦ୍ଧତିରେ କରିବା ଜରୁରୀ। ଏହା କୌଣସି ରୋଗର ଚିକିତ୍ସାର ବିକଳ୍ପ ନୁହେଁ। ପେଟରେ ଲଗାତାର ଯନ୍ତ୍ରଣା କିମ୍ବା ଦୀର୍ଘସ୍ଥାୟୀ କୋଷ୍ଠକାଠିନ୍ୟ ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।