ଇଜରାଏଲ ଆକ୍ରମଣ ପରେ ଭାଙ୍ଗିଯିବ କି ଆମେରିକା ଓ ଇରାନ୍ ଶାନ୍ତି ଚୁକ୍ତି?
ରବିବାର ଇଜରାଏଲ ପୁଣି ଥରେ ବେରୁତର ଦାହିୟା ଅଞ୍ଚଳ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି
ୱାସିଂଟନ୍: ଇଜରାଏଲ ରବିବାର ଲେବାନନର ରାଜଧାନୀ ବେରୁତ ଉପରେ ବୋମା ବର୍ଷା କରିଛି। ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। କିନ୍ତୁ ଏହି ଆକ୍ରମଣ ଏଭଳି ଏକ ସମୟରେ ହୋଇଛି, ଯେତେବେଳେ ଆମେରିକା ଓ ଇରାନ ମଧ୍ୟରେ ଏକ ବଡ଼ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆକ୍ରମଣ ଯୋଗୁଁ ଇରାନ ଏତେ ରାଗି ଯାଇଛି। ଆଉ ଚୁକ୍ତି ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି; ଏହି ଆକ୍ରମଣ ହେବା ଉଚିତ ନଥିଲା। ଟ୍ରମ୍ପ ଏହାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଡୋନାଲ୍ଡ ଟ୍ରମ୍ପ କଣ କହିଲେ?
ଇଜରାଏଲର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଇଦାନକୁ ଓହ୍ଲାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି; ଆଜି ସକାଳେ ବେରୁତ ଉପରେ ଯେଉଁ ଆକ୍ରମଣ ହେଲା, ତାହା ହେବା ଉଚିତ ନଥିଲା। ବିଶେଷ କରି ସେହି ସମୟରେ ଯେତେବେଳେ ଆମେ ଆମେରିକା ଓ ଇରାନ ଶାନ୍ତି ଚୁକ୍ତିର ଏତେ ନିକଟତର ଅଛୁ। ରାଷ୍ଟ୍ରପତି ଟ୍ରମ୍ପ ଏହା ମଧ୍ୟ ସ୍ୱୀକାର କରିଛନ୍ତି, ଇଜରାଏଲ ନିଜକୁ ରକ୍ଷା କରିବାର ଅଧିକାର ଅଛି। କିନ୍ତୁ ଯେଉଁ ଆକ୍ରମଣର ଜବାବରେ ଇଜରାଏଲ ଏହି ପଦକ୍ଷେପ ନେଇଛି, ତାହା ବହୁତ ଛୋଟ ଥିଲା।
ରାଷ୍ଟ୍ରପତି ଟ୍ରମ୍ପ ଇଜରାଏଲକୁ ସିଧାସଳଖ କହିଛନ୍ତି; ଲେବାନନରେ ଏବେ ଆଉ କୌଣସି ଆକ୍ରମଣ ହେବା ଉଚିତ ନୁହେଁ। ଏହା ସହ ସେ ହିଜବୁଲ୍ଲାକୁ ମଧ୍ୟ ଚେତାବନୀ ଦେଇଛନ୍ତି; ଇଜରାଏଲ ଉପରେ ମଧ୍ୟ କୌଣସି ଆକ୍ରମଣ କରାଯିବ ନାହିଁ। ଟ୍ରମ୍ପ କହିଛନ୍ତି; ଏହା ଏକ ଦୀର୍ଘ ଓ ଭଲ ଶାନ୍ତିର ଆରମ୍ଭ ହୋଇପାରେ। ଏହାକୁ ନଷ୍ଟ କରନ୍ତୁ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।
ବେରୁତ ଆକ୍ରମଣ ପରେ ଇରାନ ହେଲା କ୍ରୋଧିତ
ବେରୁତ ଉପରେ ଆକ୍ରମଣ ପରେ ଇରାନ ବହୁତ କ୍ରୋଧିତ ହୋଇଯାଇଛି। ଇରାନ ସେନାର ଡେପୁଟି କମାଣ୍ଡର କହିଛନ୍ତି; ଲେବାନନରେ ଇଜରାଏଲର ଏହି କାର୍ୟ୍ୟର ଜବାବ ନିଶ୍ଚୟ ଦିଆଯିବ। ବିନା ଜବାବରେ ରହିବୁ ନାହିଁ।
ଇରାନର ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ କହିଛନ୍ତି; ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ଏହି ନିଷ୍କର୍ଷରେ ପହଞ୍ଚିଛି, ଆଲୋଚନାର ମାର୍ଗ ଆପଣାଯିବା ଉଚିତ। ଦେଶକୁ “ନୋ ୱାର୍, ନୋ ପିସ୍”ର କ୍ଲାନ୍ତିକର ସ୍ଥିତିରୁ ବାହାର କରିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲି। ତାଙ୍କୁ ସମ୍ମାନଜନକ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ଅନୁମତି ମିଳିଛି।
ରବିବାର ଦିନ କଣ ଘଟିଲା?
ରବିବାର ଇଜରାଏଲ ପୁଣି ଥରେ ବେରୁତର ଦାହିୟା ଅଞ୍ଚଳ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ବେରୁତର ଆକାଶରେ କଳା ଧୂଆଁର ବଡ଼ ବାଦଲ ଦେଖିବାକୁ ମିଳିଥିଲା। ଇଜରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ନିଜେ ସୋସିଆଲ ମିଡିଆରେ ଲେଖିଛନ୍ତି; ହିଜବୁଲ୍ଲା ପ୍ରଥମେ ଉତ୍ତର ଇଜରାଏଲ ଉପରେ ଆକ୍ରମଣ କରିଥିଲା। ତେଣୁ ଏହା ତାହାର ପାଲଟା ଜବାବ ବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା।


