ଦୁର୍ଗାପୁର ଗଣଦୁଷ୍କର୍ମ: ଝିଅର ସ୍ଵପ୍ନ ଭାଙ୍ଗିଦେଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ, ଏବେ ପଶ୍ଚିମବଙ୍ଗ ଛାଡିବାକୁ ଚାହୁଁଛୁ…!

ଝିଅର ସ୍ଵପ୍ନ ଭାଙ୍ଗିଦେଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ, ଏବେ ପଶ୍ଚିମବଙ୍ଗ ଛାଡିବାକୁ ଚାହୁଁଛୁ…

ଦୁର୍ଗାପୁର: ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାକୁ ନେଇ ପଶ୍ଚିମବଙ୍ଗ ସହ ଓଡିଶାରେ ହଇଚଇ ସୃଷ୍ଟି ହୋଇଛି । ହସ୍ପିଟାଲରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ପୀଡିତାଙ୍କ ପିତାଙ୍କ ଏକ ହୃଦୟ ବିଦାରକ ବୟାନ ଏବେ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ସେ ଏବେ ବଙ୍ଗଳା ଛାଡି ତାଙ୍କ ରାଜ୍ୟ ଓଡ଼ିଶାକୁ ଫେରିବାକୁ ଚାହାଁନ୍ତି।

ପୀଡିତାଙ୍କ ପିତା କହିଛନ୍ତି, “ଅନ୍ୟମାନଙ୍କ ପାଇଁ ବଙ୍ଗଳା ସୁନାର ରାଜ୍ୟ ହୋଇପାରେ, କିନ୍ତୁ ମୋ ପାଇଁ ଏହା ସବୁଠାରୁ ଯନ୍ତ୍ରଣାର ରାଜ୍ୟ ପାଲଟିଛି। ମୁଁ ଯଥାଶୀଘ୍ର ଏଠାରୁ ଚାଲିଯିବାକୁ ଚାହୁଁଛି।” ସେପଟେ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିବା ସହ ତାକୁ କୋର୍ଟରେ ହାଜର କରିଥିଲା ପୋଲିସ । ଏବେ ତାଙ୍କୁ ସାତ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ପୀଡିତାଙ୍କ ପିତା କହିଛନ୍ତି, “ମୋ ଝିଅର ପୁରୁଷ ବନ୍ଧୁକୁ ଗିରଫ କରାଯାଇଛି। ମୁଁ କହିଛି ଯେ ସେ ଦୋଷୀ, କିନ୍ତୁ ପରବର୍ତ୍ତୀ ତଦନ୍ତ ଯାହା ପ୍ରକାଶ କରିବ ତାହା ସତ୍ୟ ହେବ।”

କାହା ସହ ଏମିତି ନହେଉ: ସେ ଆହୁରି କହିଛନ୍ତି, CBI ତଦନ୍ତ ହୁଏତ ଭଲ ଫଳାଫଳ ଦେବ, କିନ୍ତୁ ସେହି ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ନେବାକୁ ପଡିବ। ପୀଡିତାଙ୍କ ପିତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ନିବେଦନ କରି କହିଛନ୍ତି, “ମମତା ଦିଦି, ଆପଣ ମୋ ପାଇଁ ଜଣେ ମାଆ ପରି। ଯଦି ମୁଁ ଭୁଲ କରିଛି କିମ୍ବା କିଛି ଭୁଲ କହିଛି, ଦୟାକରି ମୋତେ କ୍ଷମା କରନ୍ତୁ । ମୋ ଝିଅର ସମସ୍ତ ସ୍ୱପ୍ନ ଶେଷ ହୋଇଯାଇଛି। ମୋ ଝିଅ ଯେଉଁ ଯନ୍ତ୍ରଣା ସହିଛି, ତାହା କୌଣସି ଝିଅ ନସହୁ ।”

ଘଟଣାକ୍ରମ: କହିରଖୁଛୁ ଯେ, ଦୁର୍ଗାପୁର ନିକଟସ୍ଥ ଏକ ଘରୋଇ ମେଡିକାଲ କଲେଜ ବାହାରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ପୋଲିସ ପୀଡିତାଙ୍କ ପୁରୁଷ ବନ୍ଧୁ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି, ଏବଂ ଫରେନସିକ୍ ପରୀକ୍ଷା ପାଇଁ ପୋଷାକ ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସିନ୍ ରିକ୍ରିଏସନ୍ ହୋଇଛି । ଆଗକୁ ତଦନ୍ତ ଚାଲିଛି ।