ଚାନ୍ଦିପୁରରୁ ‘ପ୍ରଳୟ’ର ପ୍ରଚଣ୍ଡ ପ୍ରହାର: ଗୋଟିଏ ମିସାଇଲ୍, ଦୁଇ ଟାର୍ଗେଟ୍, ଶତ୍ରୁଙ୍କୁ କଡ଼ା ଚେତାବନୀ!
ଚାନ୍ଦିପୁର ITRରୁ DRDOର ସଫଳ ପରୀକ୍ଷଣ। ପ୍ରାୟ ୫୦୦ କିମି ଦୂରରେ ଦୁଇଟି ଟାର୍ଗେଟ୍କୁ ସଠିକ୍ ଭାବେ ହିଟ୍ କରି ଭାରତର ସ୍ୱଦେଶୀ ମିସାଇଲ୍ ଶକ୍ତି ଦେଖାଇଲା ପ୍ରଳୟ।
ଚାନ୍ଦିପୁର: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ଦିଗରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି। ମଙ୍ଗଳବାର ଦିନ, ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ତଥା DRDO ଓଡ଼ିଶାର ଚାନ୍ଦିପୁର ସ୍ଥିତ ‘ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ’ ରୁ ‘ପ୍ରଳୟ’ ନାମକ ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହା ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ, ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ଏବଂ ‘କ୍ୱାସି-ବ୍ୟାଲିଷ୍ଟିକ୍’ ଶ୍ରେଣୀର କ୍ଷେପଣାସ୍ତ୍ର ଅଟେ।
ଲାଞ୍ଚ କମ୍ପ୍ଲେକ୍ସ-୩ ରୁ ଉତକ୍ଷେପଣ କରାଯାଇଥିବା ଏହି କ୍ଷେପଣାସ୍ତ୍ରଟି ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ଦୁଇଟି କୃତ୍ରିମ ଲକ୍ଷ୍ୟବସ୍ତୁକୁ ସଫଳତାର ସହ ଚିହ୍ନଟ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା। ଏହି ପରୀକ୍ଷଣ କ୍ଷେପଣାସ୍ତ୍ରର ସଠିକ୍ ଦିଗ ନିର୍ଣ୍ଣୟ, ମାର୍ଗଦର୍ଶନ ଏବଂ ଆକ୍ରମଣ କ୍ଷମତାର ସଫଳ ବୈଧିକରଣ ଭାବରେ କାର୍ଯ୍ୟ କରିଥିଲା।
ଶତ୍ରୁକୁ ଧ୍ୱଂସ କରିବା ପାଇଁ ଉଡ଼ାଣ ମଧ୍ୟରେ ଏହାର ଗତିପଥ ପରିବର୍ତ୍ତନ କରିବାରେ ଉଦ୍ଧିଷ୍ଟ ‘ପ୍ରଳୟ’ ଏକ କ୍ଷୁଦ୍ରରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଯାହା ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଉଡ଼ାଣ ମଧ୍ୟରେ କୌଶଳ ପ୍ରଦର୍ଶନ କରିବାର କ୍ଷମତା, ଆକାଶରେ ଥିବା ସମୟରେ ଏହାର ଗତିପଥ ପରିବର୍ତ୍ତନ କରିବା ଶତ୍ରୁ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଏଡାଇବା ଏବଂ ଉଚ୍ଚ-ମୂଲ୍ୟ ଲକ୍ଷ୍ୟଗୁଡ଼ିକୁ ସଠିକ୍ ଭାବରେ ନଷ୍ଟ କରିବା।
ସୁରକ୍ଷା ଦୃଷ୍ଟିରୁ ୨,୫୦୦ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି, କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଯେମିତିକି, ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳରୁ ୨,୫୦୦ରୁ ଅଧିକ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଆକାଶମାର୍ଗ ଏବଂ ସାମୁଦ୍ରିକ ପଥରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୫୯୫ କିଲୋମିଟର ପରିଧି ମଧ୍ୟରେ ଏକ ‘ନୋଟାମ୍’ ବା ବାୟୁଚାଳକମାନଙ୍କ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ, ଓଡ଼ିଶାର ଚାନ୍ଦିପୁର ପୁଣି ଥରେ ଭାରତର ରଣନୀତିକ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରମାଣିତ କରିଛି।


