NEET ରି-ଏଗ୍ଜାମ୍ ପାଇଁ ଡ୍ରେସ କୋଡ ଲାଗୁ, NTA ଅନେକ ଜିନିଷ ଉପରେ ଲଗାଇଲା ବ୍ୟାନ; ଜାଣନ୍ତୁ କେଉଁ କେଉଁ ଜିନିଷ ଉପରେ ଲାଗିଛି କଟକଣା?
ଜୁନ୍ ୨୧ରେ ହେବାକୁ ଥିବା ନୀଟ୍ (NEET) ରି-ଏଗ୍ଜାମ୍ ଦିନ ସେଣ୍ଟରରେ ପରୀକ୍ଷାର୍ଥୀମାନଙ୍କୁ କିଛି ନିୟମ ପାଳନ କରିବାକୁ ପଡ଼ିବ। ଡ୍ରେସ୍ କୋଡ୍ ମଧ୍ୟ ଫଲୋ କରିବାକୁ ହେବ। NTA ରିମାଇଣ୍ଡର ପଠାଇ ଆଲର୍ଟ କରିଦେଇଛି। ଡ୍ରେସ କୋଡ, ପ୍ରତିବନ୍ଧିତ ଜିନିଷ ଏବଂ ନିୟମ ଗୁଡ଼ିକ ବିଷୟରେ କୁହାଯାଇଛି, ଆସନ୍ତୁ ଜାଣିବା...
NEET Re-Exam 2026 : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ୨୧ ଜୁନ୍ ୨୦୨୬ ରବିବାର ଦିନ ହେବାକୁ ଥିବା NEET UG ରି-ଏଗ୍ଜାମ୍ (ପୁନଃ ପରୀକ୍ଷା) ପାଇଁ ଗାଇଡଲାଇନ୍ ଜାରି କରିଛି। ଦେଶସାରାର ପରୀକ୍ଷାର୍ଥୀମାନଙ୍କୁ ଇମେଲ୍, ହ୍ୱାଟ୍ସଆପ୍ ଏବଂ SMS ଜରିଆରେ ରିମାଇଣ୍ଡର ପଠାଇ କିଛି ନିୟମ ବିଷୟରେ ଜଣାଇ ଦିଆଯାଇଛି, ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଦିନ କେନ୍ଦ୍ରକୁ ଆସୁଥିବା ପରୀକ୍ଷାର୍ଥୀମାନଙ୍କୁ ଡ୍ରେସ୍ କୋଡ୍ ପାଳନ କରିବାକୁ ହେବ। ସେହିପରି କିଛି ଜିନିଷ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୦ଟି ନିୟମ ପାଳନ କରିବାକୁ ପଡ଼ିବ।
ଗୁଜବ ଉପରେ ଧ୍ୟାନ ନଦେବାକୁ ଅପିଲ
ଜୁନ୍ ୨୧ରେ ଗୋଟିଏ ଶିଫ୍ଟରେ ଦିନ ୨ଟାରୁ ନେଇ ସଞ୍ଜ ୫.୧୫ ପର୍ଯ୍ୟନ୍ତ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନଙ୍କୁ ସକାଳ ୧୧ଟାରେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବାକୁ ପଡ଼ିବ। ଦିନ ୧.୩୦ ମିନିଟରେ ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର (ଏଣ୍ଟ୍ରି ଗେଟ୍) ବନ୍ଦ କରିଦିଆଯିବ। ଦେଶସାରାର ପ୍ରାୟ ୨୨.୭ ଲକ୍ଷ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷାର୍ଥୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ସୋସିଆଲ ମିଡିଆରେ ଚାଲୁଥିବା ଗୁଜବ ଉପରେ ଧ୍ୟାନ ନଦେବାକୁ ଅପିଲ୍ କରାଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ୫ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ, ୬୦୦୦ରୁ ଅଧିକ ସୁପରିଟେଣ୍ଡେଣ୍ଟ ଏବଂ ୬୪ କୋ-ଅର୍ଡିନେଟର ମୁତୟନ ରହିବେ।
ପେନ ପରୀକ୍ଷା କେନ୍ଦ୍ର ଭିତରେ ହିଁ ମିଳିବ
ପରୀକ୍ଷାର୍ଥୀମାନଙ୍କୁ ପରିଚୟ ପତ୍ର ଯାଞ୍ଚ, ଫେସ ଆଇଡେଣ୍ଟିଫିକେସନ ଏବଂ ଲାଇଭ ଫଟୋ କ୍ଲିକ୍ ହେବା ପରେ ହିଁ କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଦିଆଯିବ। ପରୀକ୍ଷାର୍ଥୀମାନଙ୍କୁ ନିଜ ସାଙ୍ଗରେ ପେନ୍ ଆଣିବାକୁ ପଡ଼ିବ ନାହିଁ, କାରଣ ପେନ୍ ପରୀକ୍ଷା କେନ୍ଦ୍ରରେ ହିଁ ଯୋଗାଇ ଦିଆଯିବ। ପରୀକ୍ଷାର୍ଥୀମାନେ ନିଜର ଓରିଜିନାଲ୍ ଆଇଡି (Original ID) ଯେପରିକି ଆଧାର କାର୍ଡ, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ କିମ୍ବା ଅନ୍ୟ କୌଣସି ସରକାରୀ ପରିଚୟ ପତ୍ର ସାଙ୍ଗରେ ଆଣିବା ଆବଶ୍ୟକ। ପରୀକ୍ଷା ପ୍ରଶ୍ନପତ୍ର ସମାଧାନ କରିବା ପାଇଁ ୧୯୫ ମିନିଟ୍ ସମୟ ମିଳିବ। ରଫ୍ ୱାର୍କ ପାଇଁ ୨ଟି ବଦଳରେ ୪ଟି ପେଜ ମିଳିବ, ଯାହା ଆଗପଛ ହୋଇ ରହିବ, ଯଦ୍ୱାରା ବାମହାତୀ ଲେଖାଳିମାନଙ୍କୁ ସୁବିଧା ହେବ।
ପରୀକ୍ଷା ସମ୍ବନ୍ଧୀୟ ନିୟମ ଏବଂ ଗାଇଡଲାଇନ
୧. ଡ୍ରେସ୍ କୋଡ୍ ପାଳନ କରିବାକୁ ହେବ। ପୁଅମାନେ ଅଧା ହାତର (Half sleeve) ସାର୍ଟ କିମ୍ବା ଟି-ସାର୍ଟ ପିନ୍ଧି ଆସନ୍ତୁ। ପୂରା ହାତର କିମ୍ବା ପଶମ (ଉଲ୍) ପୋଷାକ ପିନ୍ଧିବା ପାଇଁ ଅନୁମତି ନେବାକୁ ପଡ଼ିବ। ଟ୍ରାଉଜର କିମ୍ବା ସିମ୍ପଲ୍ ପ୍ୟାଣ୍ଟ ପିନ୍ଧି ଆସନ୍ତୁ। ପ୍ୟାଣ୍ଟରେ ପକେଟ୍ ଥାଇପାରେ, କିନ୍ତୁ ଅଧିକ ଚେନ୍ କିମ୍ବା ବଡ଼ ବଡ଼ ବୋତାମ ଥିବା ପୋଷାକ ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ। ମେଟାଲିକ୍ ଆଇଟମ୍, ମେଟାଲ୍ ବୋତାମ ଥିବା ଜିନ୍ସ କିମ୍ବା ଅନ୍ୟ କୌଣସି ପୋଷାକ ପିନ୍ଧିବା ମନା।
ଝିଅମାନେ ଅଧା ହାତର କୁର୍ତ୍ତି କିମ୍ବା ଟପ୍ ପିନ୍ଧନ୍ତୁ। ଜୋତା ପିନ୍ଧି ଆସନ୍ତୁ ନାହିଁ। ଚପଲ କିମ୍ବା କମ୍ ହିଲ୍ ଥିବା ସ୍ୟାଣ୍ଡେଲ୍ ପିନ୍ଧିପାରିବେ। ମହିଳାମାନେ ମଧ୍ୟ କମ୍ ହିଲ୍ ଥିବା ସ୍ୟାଣ୍ଡେଲ୍ ପିନ୍ଧିପାରିବେ। ଗହଣା, ସନ୍ ଗ୍ଲାସେସ୍, ଘଣ୍ଟା, ଟୋପି, ହେୟାର୍ ବ୍ୟାଣ୍ଡ୍, କଡ଼ା, ତାବିଜ, ବେଲ୍ଟ, ସ୍କାର୍ଫ, ମୁଦି, କାନଫୁଲ, ନୋଥ, ଚେନ୍, ବ୍ୟାଜ୍, ହାତ ଘଣ୍ଟା, ବ୍ରେସଲେଟ୍, କମରପଟା ପିନ୍ଧି ଆସିବା ଉପରେ କଟକଣା ରହିବ।
୨. ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ , ସେଲ୍ଫ ଡିକ୍ଲେରେସନ, ଫଟୋ ଆଇଡି ପ୍ରୁଫ ଏବଂ ଫ୍ରିସ୍କିଂ ବିନା ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ମିଳିବ ନାହିଁ କି ପରୀକ୍ଷାରେ ବସିବାକୁ ଦିଆଯିବ ନାହିଁ, ତେଣୁ ସମସ୍ତ ଜିନିଷ ସାଙ୍ଗରେ ନେଇ ଆସିବା ଭଲ ହେବ।
୩. ଯଦି କୌଣସି ପରୀକ୍ଷାର୍ଥୀ ସାଂସ୍କୃତିକ, ପାରମ୍ପରିକ ପୋଷାକ କିମ୍ବା ନିଜ ଧର୍ମ ଓ ବିଶ୍ୱାସର ପ୍ରତୀକ ସ୍ୱରୂପ କିଛି ଜିନିଷ ପିନ୍ଧନ୍ତି, ତେବେ ସେମାନଙ୍କୁ ରିପୋର୍ଟିଂ ସମୟର ଅତିକମରେ ଦେଢ଼ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିନ ୧୨.୩୦ ମିନିଟ୍ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବାକୁ ପଡ଼ିବ।
୪. ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ନିଜ ଆଡମିଟ୍ କାର୍ଡର ୨ଟି କପି ଆଣନ୍ତୁ। ଆଡମିଟ୍ କାର୍ଡରେ ପାସପୋର୍ଟ ସାଇଜ୍ ଫଟୋ ଲାଗିବା ଆବଶ୍ୟକ। ଆଟେଣ୍ଡାନ୍ସ ସିଟ୍ ରେ ଲଗାଇବା ପାଇଁ ଆଉ ଏକ ପାସପୋର୍ଟ ସାଇଜ୍ ଫଟୋ ସାଙ୍ଗରେ ଆଣନ୍ତୁ, ଯାହାର ବ୍ୟାକଗ୍ରାଉଣ୍ଡ୍ (ପୃଷ୍ଠଭୂମି) ଧଳା ହୋଇଥିବା ଦରକାର। ଆଡମିଟ୍ କାର୍ଡ ସହିତ ଡାଉନଲୋଡ୍ ହୋଇଥିବା ପ୍ରୋଫର୍ମା (Performa) ରେ ୪*୬ ସାଇଜର ପୋଷ୍ଟ କାର୍ଡ ଫଟୋ ଲଗାନ୍ତୁ। ପରୀକ୍ଷାର୍ଥୀମାନେ ଗୋଟିଏ ସ୍ୱଚ୍ଛ ପାଣି ବୋତଲ (Transparent water bottle) ସାଙ୍ଗରେ ନେଇପାରିବେ। ଏହି ସବୁ ଜିନିଷ ବିନା ପ୍ରବେଶ ମିଳିବ ନାହିଁ।
୫. ନୀଟ୍ ପରୀକ୍ଷାର ଆଡମିଟ୍ କାର୍ଡ ସହିତ ସେଲ୍ଫ ଡିକ୍ଲେରେସନ୍ (ସ୍ୱୟଂ ଘୋଷଣାନାମା) ଫର୍ମ ଏବଂ ଅଣ୍ଡରଟେକିଂ (Undertaking) ଫର୍ମ ନିଶ୍ଚିତ ଭାବେ ସାଙ୍ଗରେ ଆଣନ୍ତୁ। ଏହି ଦୁଇଟିଯାକ ଫର୍ମ ପୂର୍ବରୁ ପୂରଣ ହୋଇ ରହିବା ଆବଶ୍ୟକ। ପରୀକ୍ଷା କେନ୍ଦ୍ରରେ ଏଥିପାଇଁ ସମୟ ଦିଆଯିବ ନାହିଁ।
୬. ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯେପରିକି ମୋବାଇଲ୍ ଫୋନ୍, ବ୍ଲୁଟୁଥ୍, ମାଇକ୍ରୋଫୋନ୍, କାଲକୁଲେଟର, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ଜ୍ୟାମିତି କିମ୍ବା ପେନ୍ସିଲ୍ ବାକ୍ସ ଏବଂ ଘଣ୍ଟା ଆଣନ୍ତୁ ନାହିଁ। କୌଣସି ପ୍ରକାରର ଖାଦ୍ୟ ପଦାର୍ଥ ମଧ୍ୟ ସାଙ୍ଗରେ ଆଣିବା ମନା।
୭. ଓଏମଆର (OMR) ସିଟ୍ ପାଇଁ ମଧ୍ୟ ନିୟମ ପ୍ରସ୍ତୁତ କରାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ଓଏମଆର ସିଟ୍ରେ ରୋଲ୍ ନମ୍ବର, ପେପର କୋଡ୍, ପ୍ରଶ୍ନପତ୍ର ବୁକଲେଟ୍ ନମ୍ବର ଏବଂ ନିଜର ବ୍ୟକ୍ତିଗତ ବିବରଣୀ ବହୁତ ସତର୍କତାର ସହ ପୂରଣ କରିବାକୁ ହେବ। ଗୋଲେଇ (Oval) ଭରିବା ସମୟରେ ପେନ୍ର କାଳି ଯେମିତି ଅନ୍ୟ ଗୋଲେଇ ଉପରେ ନ ମାଡ଼େ। ଓଭରରାଇଟିଂ (Overwriting), କାଟାକାଟି କିମ୍ବା ଲିଭାଇବା (Erasing) ଠାରୁ ଦୂରେଇ ରୁହନ୍ତୁ।
୮. ପରୀକ୍ଷା କେନ୍ଦ୍ରରେ ମିଳୁଥିବା କଳା ରଙ୍ଗର ବଲ୍ ପଏଣ୍ଟ ପେନ୍ରେ ହିଁ ସିଟ୍ ପୂରଣ କରନ୍ତୁ। ଗୋଲେଇକୁ ସମ୍ପୂର୍ଣ୍ଣ ଏବଂ ଗାଢ଼ ଭାବେ ଭରନ୍ତୁ। କେବଳ ଗୋଟିଏ ବିକଳ୍ପ ବାଛି ଗୋଲେଇ ଭରିବାକୁ ହେବ। ଚିହ୍ନ ଦେବା ପୂର୍ବରୁ ପ୍ରଶ୍ନ ନମ୍ବରକୁ ଓଏମଆର ସିଟ୍ର ନମ୍ବର ସହିତ ଭଲଭାବେ ମିଳାଇ ନିଅନ୍ତୁ। ସିଟ୍ ଉପରେ ଟିକ (✓) କିମ୍ବା କ୍ରସ୍ (✗) ଚିହ୍ନ ଲଗାନ୍ତୁ ନାହିଁ। ଅଧା-ଅଧୁରା ଭରାଯାଇଥିବା ଗୋଲେଇ ଛାଡ଼ନ୍ତୁ ନାହିଁ। ଏକରୁ ଅଧିକ ଉତ୍ତରର ଗୋଲେଇ ଭରନ୍ତୁ ନାହିଁ। ସିଟ୍ ଉପରେ କିଛି ବି ପୁନର୍ବାର ଲେଖନ୍ତୁ ନାହିଁ କିମ୍ବା ତାକୁ ଅପରିଷ୍କାର କରନ୍ତୁ ନାହିଁ।
୯. ପରୀକ୍ଷା ଚାଲିଥିବା ସମୟରେ ଟଏଲେଟ୍ ବ୍ରେକ ପାଇଁ ମଧ୍ୟ ନିୟମ ରହିବ। ଟଏଲେଟ ବ୍ରେକ ନେଲେ ପୁଣିଥରେ ଫ୍ରିସ୍କିଂ (ଯାଞ୍ଚ) କରାଯିବ। ପ୍ରଥମ ୩୦ ମିନିଟ ଏବଂ ଶେଷ ୩୦ ମିନିଟ୍ରେ ଟଏଲେଟ୍ ବ୍ରେକ୍ ମିଳିବ ନାହିଁ। ପାଣିପାଗର ଅବସ୍ଥା ଜାଣି ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପାଇଁ ଯୋଜନା କରନ୍ତୁ। ଘରୁ ଶୀଘ୍ର ବାହାରନ୍ତୁ, ଯଦ୍ୱାରା ରାସ୍ତାରେ ଟ୍ରାଫିକ୍ ଜାମ୍ ଯୋଗୁଁ ବିଳମ୍ବ ହେବ ନାହିଁ।


