fbpx

ଇଭେଣ୍ଟ୍ ଆଙ୍କରଙ୍କ ସହ ହୋଟେଲରେ ଗଣଦୁଷ୍କର୍ମ, ମୁହଁ ଖୋଲିଲେ ଜୀବନରୁ ମାରିଦେବା ନେଇ ଧମକ

ପାଟନା: ଦେଶରେ ଦୁଷ୍କର୍ମ ମାମଲା ଥମିବାର ନାଁ ଧରୁନି । ଏବେ ପୁଣି ଜଣେ ମହିଳାଙ୍କ ସହିତ ଗଣ ଦୁଷ୍କର୍ମ ହୋଇଥିବାର ଖବର ସାମନାକୁ ଆସିଛି । ବିହାରର ରାଜଧାନୀ ପାଟନାରୁ ଜଣେ ହାଇପ୍ରୋଫାଇଲ୍ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି । ଏହି ଗଣଦୁଷ୍କର୍ମ ପାଟନାର ଏକ ହୋଟେଲ ରୁମ୍ ରେ ହୋଇଥିବା ଖବର ମିଳିଛି । ଜୁଲାଇ ୨ ତାରିଖରେ ଜଣେ ଇଭେଣ୍ଟ ଆଙ୍କର୍ ଙ୍କ ସହିତ ଏହି ଘଟଣା ଘଟିଥିବା ବେଳେ ଯଦି ସେ କାହାକୁ ଏ ସମ୍ପର୍କରେ କୁହନ୍ତି ତେବେ ତାଙ୍କୁ ଜୀବନରୁ ମାରିଦେବା ନେଇ ଧମକ ଦେଇଛନ୍ତି ।

ସୂଚନା ଅନୁସାରେ, ମୁଜଫରପୁରର ହର୍ଷ ରଞ୍ଜନ ଓ ତାର ସାଙ୍ଗ ବିକ୍ରାନ୍ତ କେଜ୍ରିୱାଲ୍ କୋଲକାତାର ଜଣେ ଇଭେଣ୍ଟ ଆଙ୍କର୍ ସହିତ ହୋଟେଲରେ ଗଣଦୁଷ୍କର୍ମ କରିଥିଲେ । ଏହାପରେ ଜୁଲାଇ ୩ ତାରିଖରେ ହୋଟେଲ ଛାଡ଼ିବା ସମୟରେ ପୀଡ଼ିତାଙ୍କୁ ଗର୍ଭନିରୋଧକ ଔଷଧ ଖୁଆଇଥିଲେ । ଏହାସହିତ ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ନେଇ ଧମକ ଦେଇଥିଲେ ।

ଜୁଲାଇ ୩ ତାରିଖରେ ପାଟନା ଜଙ୍କସନ୍ ରୁ ଟ୍ରେନ୍ ଯୋଗେ ପୀଡ଼ିତା ହାୱଡା ରେ ପହଞ୍ଚି ଜୁଲାଇ ୪ ତାରିଖରେ ଜାଧବପୁର ଥାନାରେ ଦୁଇ ଅଭିଯୁକ୍ତ ବିରୋଧରେ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି କୋଲକାତା ପୋଲିସ୍ ଏହି କେସ୍ ପାଟନାର ଗାନ୍ଧି ମୈଦାନ୍ ଥାନାକୁ ଟ୍ରାନ୍ସଫର୍ କରିଛି । ତେବେ ଅଭିଯୁକ୍ତ ଦୁଇଜଣ ଏବେ ଫେରାର୍ ଅଛନ୍ତି । ସେମାନଙ୍କ ମୋବାଇଲ୍ ବି ବନ୍ଦ ଅଛି । ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ିନାହାନ୍ତି ।

Get real time updates directly on you device, subscribe now.