fbpx

ଡି.ୱାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ ସିଜେଆଇ, ନାମ ସୁପାରିଶ କଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଭାରତର ସର୍ବୋଚ୍ଚ କୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ୟୁ.ୟୁ ଲଲିତ ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିଶ କରିଛନ୍ତି । ଆସନ୍ତା ନଭେମ୍ବର ମାସ ୮ ତାରିଖରେ ସିଜେଆଇ ଲଲିତ ଅବସର ଗ୍ରହଣ କରିବେ । ତେଣୁ ପରବର୍ତ୍ତୀ ସିଜେଆଇଙ୍କ ନାମ ସୁପାରିଶ କରିବାକୁ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।

ଦେଶର ପ୍ରତ୍ୟେକ ସିଜେଆଇ ତାଙ୍କର ଉତ୍ତରାଧିକାରୀଙ୍କ ସୁପାରିଶ ପାଇଁ କେନ୍ଦ୍ର ସରକାରଙ୍କୁ ଔପଚାରିକ ପତ୍ର ପଠାଇଥାନ୍ତି । କେନ୍ଦ୍ର ସରକାରଙ୍କୁ ଏହି ପତ୍ର ପଠାଇବା ପୂର୍ବରୁ ଜଷ୍ଟିସ ଲଲିତ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ନେଇ ଏକ ବୈଠକ ଡକାଇଥିଲେ । ପରବର୍ତ୍ତୀ ସିଜେଆଇଙ୍କ ନାମ ସୁପାରିଶ କରିବାକୁ ଜଷ୍ଟିସ ଲଳିତଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଜଷ୍ଟିସ ଲଳିତଙ୍କ ପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ହେଉଛନ୍ତି ଦ୍ୱିତୀୟ ବରିଷ୍ଠତମ ବିଚାରପତି ।

ମୁଖ୍ୟ ବିଚାରପତି ସବୁଠାରୁ ବରିଷ୍ଠ ବିଚାରପତିଙ୍କ ନାମ ସିଜେଆଇ ପଦବୀ ପାଇଁ ସୁପାରିଶ କରିଥାନ୍ତି । ଏହା ପରେ କେନ୍ଦ୍ର ସରକାର ଉକ୍ତ ବରିଷ୍ଠ ବିଚାରପତିଙ୍କୁ ଦେଶର ପରବର୍ତ୍ତୀ ସିଜେଆଇ ଭାବେ ନିଯୁକ୍ତି ଦେଇଥାନ୍ତି । ଆସନ୍ତା ମାସ ୮ ତାରିଖରେ ନିଜର ୭୪ ଦିନର କାର୍ଯ୍ୟକାଳ ସମାପ୍ତ କରିବେ ଜଷ୍ଟିସ ଲଲିତ । ୯ ତାରିଖରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ପରବର୍ତ୍ତୀ ସିଜେଆଇ ହେବେ । ନଭେମ୍ବର ୧୧ରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ୬୫ତମ ଜନ୍ମଦିବସ ହୋଇଥିବା ବେଳେ ୨୦୨୪ ମସିହା ନଭେମ୍ବର ୧୦ ତାରିଖରେ ସେ ଅବସର ଗ୍ରହଣ କରିବେ ।

Get real time updates directly on you device, subscribe now.