ଶ୍ରୀମନ୍ଦିରରେ ଖୋଲିବ ଇ-ହୁଣ୍ଡି; ଅନ୍‌ଲାଇନ୍‌ରେ ଦାନ କରିପାରିବେ ଶ୍ରଦ୍ଧାଳୁ

ଆଜିର ବୈଠକରେ ପ୍ରସ୍ତାବିତ ଇ-ହୁଣ୍ଡି ବ୍ୟବସ୍ଥାରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ନଯାଇ ନିଜର ଜନ୍ମଦିନ, ବିବାହ ବାର୍ଷିକୀ ଭଳି ସ୍ୱତନ୍ତ୍ର ଉତ୍ସବରେ କିମ୍ବା କୌଣସି ମାନସିକ ପୂରଣ ହେବା ପରେ ଅନ୍‌ଲାଇନରେ ଦାନ କରିପାରିବେ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପାଇଁ ଓଡ଼ିଶା ସରକାର ଡିଜିଟାଲ୍(ଇ-ହୁଣ୍ଡି) ଦାନ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛନ୍ତି। ଯାହା ଦ୍ୱାରା ଭାରତ ଓ ବିଦେଶରେ ରହୁଥିବା ଶ୍ରଦ୍ଧାଳୁମାନେ ଅନ୍‌ଲାଇନରେ ମନ୍ଦିରର ହୁଣ୍ଡିକୁ ଦାନ କରିପାରିବେ। ଏହି ବ୍ୟବସ୍ଥାର ପ୍ରଣୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆଜିର ବୈଠକରେ ପ୍ରସ୍ତାବିତ ଇ-ହୁଣ୍ଡି ବ୍ୟବସ୍ଥାରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ନଯାଇ ନିଜର ଜନ୍ମଦିନ, ବିବାହ ବାର୍ଷିକୀ ଭଳି ସ୍ୱତନ୍ତ୍ର ଉତ୍ସବରେ କିମ୍ବା କୌଣସି ମାନସିକ ପୂରଣ ହେବା ପରେ ଅନ୍‌ଲାଇନରେ ଦାନ କରିପାରିବେ। ଏହି ପ୍ଲାଟଫର୍ମ ମାଧ୍ୟମରେ ଦିଆଯାଉଥିବା ଦାନ ଆୟକର ରିହାତି ପାଇଁ ଯୋଗ୍ୟ ବିବେଚିତ ହେବ। ଏହି ଅର୍ଥ ପୁରୀ ଶ୍ରୀମନ୍ଦିରର ବିକାଶ ଓ ପରିଚାଳନା ପାଇଁ ବ୍ୟବହାର କରାଯିବ।

ଅନଲାଇନ୍ ଫ୍ରଡ୍‌ରୁ ରକ୍ଷା ପାଇବା ଓ କାରବାରର ସୁରକ୍ଷା ନିଶ୍ଚିତ କରିବା ପାଇଁ ଶ୍ରୀ ହରିଚନ୍ଦନ ସାଇବର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ଆଜିର ବୈଠକରେ ଆଇନ କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଆଇନ ବିଭାଗର ପ୍ରମୁଖ ସଚିବ ପବିତ୍ର ମୋହନ ସାମଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।