ଗୋଟିଏ ପରେ ଗୋଟିଏ କୁକୁଡ଼ାକୁ ମାରି ଭୋଜି କରୁଥିଲା, ହେଲେ ଚିକେନ୍ ଖାଇ ଖାଇ ଉଡ଼ିବା ଭୁଲିଗଲା ଇଗଲ୍
କୁକୁଡ଼ା ଖାଇ ଖାଇ ଏତେ ମୋଟା ହେଲା ଯେ ଇଗଲ୍, ଆଉ ଉଡ଼ିବାକୁ ସକ୍ଷମ ହେଲା ନାହିଁ।
ଭୁବନେଶ୍ୱର: ଆକାଶରେ ଡେଣା ମେଲି ଉଡ଼ିବା ଯାହାର ସ୍ୱଭାବ, ସେହି ପକ୍ଷୀ ହଠାତ୍ ମାଟିରୁ ଉଠିବାକୁ ଅସମର୍ଥ! ପକ୍ଷୀଟି ଆହତ ହୋଇଛି ନା ତା’ର ଡେଣାରେ କିଛି ସମସ୍ୟା ରହିଛି, ତାକୁ ନେଇ ଚିନ୍ତାରେ ପଡ଼ିଗଲେ ଲୋକେ।
ଖବର ପାଇ ବନ୍ୟପ୍ରାଣୀ ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚିଗଲେ। ହେଲେ ଯାଞ୍ଚ ପରେ ଯାହା ଜଣାପଡ଼ିଲା, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପକ୍ଷୀଟି ଆହତ ନଥିଲା, ବରଂ ଅତ୍ୟଧିକ ଚିକେନ୍ ଭୋଜି ଖାଇ ଏତେ ମୋଟା ହୋଇଯାଇଥିଲା ଯେ ଆଉ ଉଡ଼ିବା ତା’ ପକ୍ଷେ ସମ୍ଭବ ହେଉନଥିଲା।
ଏଭଳି ଏକ ଅଜବ ଘଟଣା ଆମେରିକାର ଭର୍ଜିନିଆ ରାଜ୍ୟର ରୋଆନୋକ୍ ଅଞ୍ଚଳରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଘର ବାହାରେ ଏକ ମାଈ ଇଗଲ୍ ପକ୍ଷୀ ମାଟିରେ ବସି ରହିଥିଲା। ଚେଷ୍ଟା କରି ମଧ୍ୟ ସେ ଉଡ଼ିପାରୁନଥିଲା।
ଏହା ଦେଖି ଲୋକମାନେ ପକ୍ଷୀଟି ଆହତ ହୋଇଥିବା ସନ୍ଦେହ କରିଥିଲେ। ତେଣୁ ତାକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଡକାଯାଇଥିଲା।
ପକ୍ଷୀଟିର ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ବିଶେଷଜ୍ଞମାନେ ଏକ ଅଜବ ରହସ୍ୟ ଜାଣିବାକୁ ପାଇଥିଲେ। ଇଗଲଟି ଆଖପାଖରେ ଥିବା ଘରୋଇ କୁକୁଡ଼ା ଫାର୍ମକୁ ନିୟମିତ ଆସୁଥିଲା ଏବଂ ସେଠାରୁ କୁକୁଡ଼ା ଶିକାର କରି ଖାଉଥିଲା।
ଏମିତିକି ଗୋଟିଏ ପରେ ଗୋଟିଏ କୁକୁଡ଼ା ଗାଏବ ହେବା ପରେ ଘର ମାଲିକ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। ହେଲେ ଏହା ପଛରେ ଥିବା ଅସଲ ଶିକାରୀ କିଏ, ତାହା ଜାଣିପାରିନଥିଲେ।
ଶେଷରେ ଜଣାପଡ଼ିଲା ଯେ, କୁକୁଡ଼ା ଗାଏବ ହେବା ପଛରେ ଏହି ଇଗଲର ହାତ ରହିଥିଲା। ବାରମ୍ବାର କୁକୁଡ଼ା ଶିକାର କରି ଖାଇବା ଫଳରେ ପକ୍ଷୀଟିର ଓଜନ ଅସ୍ୱାଭାବିକ ଭାବେ ବଢ଼ିଯାଇଥିଲା। ଏତେ ଓଜନ ବଢ଼ିଯାଇଥିଲା ଯେ ତାକୁ ଉଡ଼ିବାରେ ସମସ୍ୟା ହେଉଥିଲା।
ତେବେ ଏହି ସମସ୍ୟାର ସମାଧାନ ପାଇଁ ବିଶେଷଜ୍ଞମାନେ କୌଣସି ଜଟିଳ ଚିକିତ୍ସା ପରାମର୍ଶ ଦେଇନଥିଲେ। ବରଂ ପକ୍ଷୀଟିକୁ କିଛି ଦିନ ନିୟନ୍ତ୍ରିତ ଖାଦ୍ୟ ଦେବା ସହ ତା’ର ଓଜନ କମାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟପଟେ ଘର ମାଲିକଙ୍କୁ ନିଜ କୁକୁଡ଼ାମାନଙ୍କୁ ଖୋଲାରେ ନଛାଡ଼ି ଉପରେ ଜାଲି ଥିବା ସୁରକ୍ଷିତ ଘରେ ରଖିବାକୁ ପରାମର୍ଶ ଦେଇଥିଲେ।
ଅର୍ଥାତ୍ କୁକୁଡ଼ା ଚୋରିର ରହସ୍ୟ ତ ଖୋଲିଲା, ହେଲେ ଏହି ଚୋରିର ମାଷ୍ଟରମାଇଣ୍ଡ ନିଜ ଭୋଜିର ମଜା ନେଉ ନେଉ ଏମିତି ଫସିଗଲା ଯେ ଉଡ଼ିବା ମଧ୍ୟ ଭୁଲିଗଲା! ଏବେ ଇଗଲ ପାଇଁ ଖାଦ୍ୟ ଉପରେ ନିୟନ୍ତ୍ରଣ ଓ କୁକୁଡ଼ାଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହିଁ ଏହି ଅଜବ ଘଟଣାର ସମାଧାନ।


