ସୂର୍ଯ୍ୟ ଶକ୍ତିରେ ଚାଲିବ ରେଳର ‘ଗ୍ରୀନ୍’ ଅଭିଯାନ! ୨୩୨ ଷ୍ଟେସନରେ ରୁଫଟପ୍ ସୋଲାର, ୪.୫୧ କୋଟି ଟଙ୍କା ସଞ୍ଚୟ
ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ରାୟଗଡା ଡିଭିଜନର ବିଭିନ୍ନ ସ୍ଥାନରେ ଏହି ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। ଖୋର୍ଦ୍ଧା ରୋଡ ଡିଭିଜନରେ ସର୍ବାଧିକ ୩୨୬.୮୪ kWp, ସମ୍ବଲପୁର ଡିଭିଜନରେ ୧୫୦ kWp ଏବଂ ରାୟଗଡା ଡିଭିଜନରେ ୧୦ kWp ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି
ଭୁବନେଶ୍ୱର: ସବୁଜ ଶକ୍ତି ଆଡ଼କୁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ। ପାରମ୍ପରିକ ବିଦ୍ୟୁତ ଉତ୍ସ ଉପରେ ନିର୍ଭରଶୀଳତା କମାଇବା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ରେଳପଥର ବିଭିନ୍ନ ପ୍ରତିଷ୍ଠାନରେ ୪୮୬.୮୪ କିଲୋୱାଟ୍ ପିକ୍ (kWp) ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। କେବଳ ଏତିକି ନୁହେଁ, ପୂର୍ବତଟ ରେଳପଥ ଅଧୀନରେ ଥିବା ୨୩୨ଟି ଷ୍ଟେସନରେ ରୁଫଟପ୍ ସୋଲାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ରାୟଗଡା ଡିଭିଜନର ବିଭିନ୍ନ ସ୍ଥାନରେ ଏହି ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। ଖୋର୍ଦ୍ଧା ରୋଡ ଡିଭିଜନରେ ସର୍ବାଧିକ ୩୨୬.୮୪ kWp, ସମ୍ବଲପୁର ଡିଭିଜନରେ ୧୫୦ kWp ଏବଂ ରାୟଗଡା ଡିଭିଜନରେ ୧୦ kWp ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। ଏହା ବ୍ୟତୀତ ପୂର୍ବ ତଟ ରେଳପଥର ୨୩୨ଟି ରେଳ ଷ୍ଟେସନରେ ରୁଫଟପ୍ ସୋଲାର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରେ ଖୋର୍ଦ୍ଧା ରୋଡ଼ ଡିଭିଜନର ୧୧୦ଟି, ସମ୍ବଲପୁର ଡିଭିଜନର ୬୮ଟି ଏବଂ ରାୟଗଡା ଡିଭିଜନର ୫୪ଟି ଷ୍ଟେସନ ରହିଛି। ଷ୍ଟେସନଗୁଡିକରେ ସୌର ଶକ୍ତିର ବ୍ୟବହାର ଦ୍ୱାରା ରେଳ ପରିଚାଳନାରେ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ସହିତ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ପୂର୍ବ ତଟ ରେଳପଥର ପ୍ରୟାସକୁ ଆହୁରି ସୁଦୃଢ଼ କରୁଛି।
ଏହି ସୌର ଶକ୍ତି ବ୍ୟବସ୍ଥାଗୁଡିକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖୁଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ୬୭,୦୨,୭୦୭.୯୮ ୟୁନିଟ୍ ସୌର ଶକ୍ତି ଉତ୍ପାଦନ ରେକର୍ଡ କରାଯାଇଛି। ସୌର ଶକ୍ତିର ଏହି ବର୍ଦ୍ଧିତ ବ୍ୟବହାର ପାରମ୍ପରିକ ବିଦ୍ୟୁତ ଉତ୍ସ ଉପରେ ପୂର୍ବ ତଟ ରେଳପଥର ନିର୍ଭରଶୀଳତା ହ୍ରାସ କରିବା ସହିତ ଏହାର ବିଭିନ୍ନ ପ୍ରତିଷ୍ଠାନରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରୁଛି।
ସୌର ଶକ୍ତିର ବ୍ୟବହାର ଦ୍ୱାରା ପୂର୍ବତଟ ରେଳପଥ ଉଲ୍ଲେଖନୀୟ ଆର୍ଥିକ ସଞ୍ଚୟ ହାସଲ କରୁଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଅଗଷ୍ଟ ୨୦୨୬ ପର୍ୟ୍ୟନ୍ତ ସୌର ଶକ୍ତି ଉତ୍ପାଦନ ଯୋଗୁଁ ପ୍ରାୟ ୪.୫୧ କୋଟି ଟଙ୍କା ସଞ୍ଚୟ ହୋଇଛି। ସୌର ଶକ୍ତିର ବ୍ୟବହାର ଦ୍ୱାରା ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ ଶକ୍ତି ବ୍ୟୟ ହ୍ରାସ ଓ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଉଲ୍ଲେଖନୀୟ ଲାଭ ମିଳୁଛି।
ପୂର୍ବ ତଟ ରେଳପଥ ଏହାର ଷ୍ଟେସନ, କାର୍ଯ୍ୟାଳୟ, କାରଖାନା ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନରେ ନବୀକରଣଯୋଗ୍ୟ ଶକ୍ତି ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ନିରନ୍ତର ଭାବେ ନୂତନ ସୁଯୋଗ ଅନ୍ୱେଷଣ କରୁଛି। ସୌର ଶକ୍ତିର ବର୍ଦ୍ଧିତ ବ୍ୟବହାର ଶକ୍ତି ଦକ୍ଷତା ବୃଦ୍ଧି, କାର୍ବନ ନିର୍ଗମନ ହ୍ରାସ ଏବଂ ଅଧିକ ସ୍ଥାୟୀ ରେଳ ବ୍ୟବସ୍ଥା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ସମସ୍ତ ପଦକ୍ଷେପ ଶକ୍ତି ଦକ୍ଷତା, ପରିବେଶଗତ ସ୍ଥାୟିତ୍ୱ ଏବଂ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ନିମନ୍ତେ ଭାରତୀୟ ରେଳବାଇର ବ୍ୟାପକ ଦୂରଦୃଷ୍ଟି ସହ ସମ୍ପୂର୍ଣ୍ଣ ଆବଦ୍ଧ।


