ଟିକେଟ୍ ଘୋଷଣାର କିଛି ଦିନ ପରେ ଆପ୍ ବିଧାୟିକାଙ୍କ ଘରେ ଇଡି ରେଡ୍
ପଞ୍ଜାବ ଆପ୍ ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରାଙ୍କ ଘରେ ଇଡି (ED) ଚଢ଼ଉ କରିଛି।
ମୋଗା: ପଞ୍ଜାବର ମୋଗାରେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟିକା ଡାକ୍ତର ଅମନଦୀପ କୌର ଆରୋରାଙ୍କ ଦୁଇଟି ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡିର ଅଧିକାରୀମାନେ ତାଙ୍କ ଘରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ସମୟରେ ବିଧାୟିକା ଘରେ ଉପସ୍ଥିତ ଥିଲେ। ଅଧିକାରୀମାନେ ତାଙ୍କୁ ପଚରାଉଚରା ମଧ୍ୟ କରିଥିବା ଜଣାପଡ଼ିଛି।
ଅମନଦୀପ କୌର ଆରୋରା ମୋଗା ବିଧାନସଭା ଆସନରୁ ଆପ୍ ଟିକେଟ୍ରେ ନିର୍ବାଚିତ ହୋଇଛନ୍ତି। ସେ ପଞ୍ଜାବରେ ଆପ୍ର ମହିଳା ଶାଖାର ମୁଖ୍ୟ ମଧ୍ୟ ଅଛନ୍ତି। ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆପ୍ ନିକଟରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପୁଣିଥରେ ମୋଗା ଆସନରୁ ଅମନଦୀପଙ୍କୁ ଟିକେଟ୍ ଦିଆଯାଇଛି।
ସୂଚନା ଅନୁସାରେ, ଇଡିର ଏକ ଟିମ୍ ହିମାଚଳ ପ୍ରଦେଶର ଶିମଲାରୁ ମୋଗା ଆସି ଏହି ଚଢ଼ାଉ କରିଛି। ବିଧାୟିକାଙ୍କ ଦୁଇଟି ଘରେ ଏକାସାଙ୍ଗରେ ଯାଞ୍ଚ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ଉଭୟ ଘର ବାହାରେ ପୁଲିସ ଓ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।
ତେବେ ଇଡି କେଉଁ ମାମଲାରେ ଏହି ଚଢ଼ାଉ କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିଧାୟିକାଙ୍କ ବିରୋଧରେ କେଉଁ ଅଭିଯୋଗ ରହିଛି, ସେ ସମ୍ପର୍କରେ ମଧ୍ୟ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତାଙ୍କ ଘରୁ କୌଣସି ଟଙ୍କା କିମ୍ବା ଜରୁରୀ କାଗଜପତ୍ର ଜବତ ହୋଇଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ, ୨୦୨୭ ନିର୍ବାଚନ ପାଇଁ ଆପ୍ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିବାର କିଛି ଦିନ ପରେ ଏହି ଚଢ଼ାଉ ହୋଇଛି। ତେବେ ଚଢ଼ାଉର ପ୍ରକୃତ କାରଣ ଓ ଯାଞ୍ଚରୁ କ’ଣ ତଥ୍ୟ ମିଳୁଛି, ସେନେଇ ଇଡିର ଆଧିକାରିକ ବୟାନକୁ ଅପେକ୍ଷା କରାଯାଇଛି।


