fbpx

MCD ନିର୍ବାଚନ ପାଇଁ ବାଜିଲା ବିଗୁଲ୍: ଡିସେମ୍ବରେ ୪ରେ ଭୋଟିଂ, ୭ରେ ରେଜଲ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଡିସେମ୍ବର ମାସ ୪ ତାରିଖରେ ଭୋଟ ହେବ ଓ ୭ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ । ଏମସିଡିରେ ମୋଟ ୨୫୦ଟି ସିଟ ରହିଥିବା ବେଳେ ଅନୁସୂଚିତ ଜାତି (ଏସସି) ପାଇଁ ୪୨ଟି ସିଟ, ମହିଳାଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ । ଏହି ସମସ୍ତ ସିଟଗୁଡ଼ିକୁ ନିର୍ବାଚନ କମିସନ ଚିହ୍ନିତ କରିଛନ୍ତି ।

ଏମସିଡି ନିର୍ବାଚନ ପାଇଁ ଗତ ମାସ ୧୮ ତାରିଖରେ କେନ୍ଦ୍ର ସରକାର ନୋଟିଫିକେସନ ଜାରି କରିଥିଲେ । ଦିଲ୍ଲୀ ନିର୍ବାଚନ କମିସନର ବିଜୟ ଦେବ ଏକ ପ୍ରେସ କନଫରେନ୍ସରେ ଏମସିଡି ନିର୍ବାଚନ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଡିସେମ୍ବର ୪ରେ ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଆଜିଠାରୁ ନିର୍ବାଚନ ଆଚରଣ ସଂହିତା ଲାଗୁହେବ । ନିର୍ବାଚନ ପ୍ରଚାର ପାଇଁ ପୂର୍ବରୁ ଲାଗିଥିବା ହୋର୍ଡିଂସ ଓ ବ୍ୟାନର ସବୁକୁ ହଟାଇ ଦିଆଯିବ ବୋଲି ନିର୍ବାଚନ ଆୟୁକ୍ତ କହିଛନ୍ତି ।

ଆସନ୍ତା ୭ ତାରିଖଠାରୁ ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୪ ତାରିଖ ନାମାଙ୍କନର ଅନ୍ତିମ ତାରିଖ ରହିଥିବା ବେଳେ ୧୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ୧୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ଦିଲ୍ଲୀରେ ମୋଟ ୭୦ଟି ବିଧାନସଭା ସିଟ୍ ରହିଥିବା ବେଳେ ୨ଟି ସିଟରେ ନିର୍ବାଚନ ହେବ ନାହିଁ । ୬୮ଟି ବିଧାନସଭା ଆସନରେ ରହିଥିବା ୨୫୦ଟି ୱାର୍ଡରେ ନିର୍ବାଚନ ହେବ । ତେବେ ଆସନ୍ତା ୧୨ ତାରିଖରେ ହିମାଳଚ ପ୍ରଦେଶ, ଡିସେମ୍ବର ୧ ଓ ୫ରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ । ତେଣୁ ଏହି ଦୁଇ ରାଜ୍ୟରେ ନିର୍ବାଚନ ସରିବା ପରେ ଦିଲ୍ଲୀରେ ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ସିଧାସଳଖ କଡ଼ା ଟକ୍କର ଦେଖିବାକୁ ମିଳିବ ।

Get real time updates directly on you device, subscribe now.