fbpx

‘କ’ଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ EC ?  ସରକାର କୁହନ୍ତୁ କେମିତି ଦିଆଯାଉଛି ନିଯୁକ୍ତି’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସୁଧାରକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ରୋଚକ ବିତର୍କ ଦେଖିବାକୁ ମିଳିଛି। ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁଧାର କରାଯିବା ଦାବି ସଂପର୍କିତ ଯାଚିକା ଉପରେ ବୁଧବାର ଉଚ୍ଚତମ ନ୍ୟାୟାଳୟରେ ଶୁଣାଣି ହୋଇଛି। ଏହି ସମୟରେ କେନ୍ଦ୍ର ସରକାର ଏବଂ ଆବେଦନକାରୀଙ୍କ ପକ୍ଷ ମଧ୍ୟରେ ରୋମାଞ୍ଚିତ ବିତର୍କ ଦେଖିବାକୁ ମିଳିଛି। ଏପରିକି ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ସଦସ୍ୟ ଜଷ୍ଟିସ୍  କେଏମ ଯୋଶେଫ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ କରିଛନ୍ତି। ଏହି ସମୟରେ ବିଚାରପତି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଦେଇ କହିଛନ୍ତି ଯେ, ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ନିର୍ବାଚନ ଆୟୋଗଙ୍କ ନିଯୁକ୍ତି କରିବା ସବୁଠୁ ଭଲ ଉପାୟ ହୋଇ ପାରିବ।

ଜଷ୍ଟିସ କେଏମ ଯୋଶେଫ କହିଛନ୍ତି, ଏଠାରେ ଯୋଗ୍ୟତା ବ୍ୟତୀତ ଏମିତି ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି, ଯିଏ ଚରିତ୍ରରେ ବି ମଜବୁତ ହୋଇଥିବ। ଯିଏ ନିଜକୁ ନଇଁବାକୁ ଦେଉନଥିବ। କଥା ଉଠୁଛି ଏମିତି ବ୍ୟକ୍ତିଙ୍କ ନିଯୁକ୍ତି କିଏ କରିବ ? କଣ ସରକାରଙ୍କ ପକ୍ଷରୁ ନିଯୁକ୍ତ କରାଯାଉଥିବା ନିର୍ବାଚନ ଆୟୋଗ କଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ। ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ, ଆପଣ କୁହନ୍ତୁ ନିର୍ବାଚନ ଆୟୋଗଙ୍କ ନିଯୁକ୍ତିରେ କେଉଁ ପ୍ରକ୍ରିୟାର ପାଳନ କରାଯାଉଛି। ଏହି ସମୟରେ ଜଷ୍ଟିସ ଯୋଶେଫ କହିଛନ୍ତି ଯେ, ପ୍ରତିଟି ସରକାର କେବଳ ୟସ୍ ମ୍ୟାନଙ୍କ ନିଯୁକ୍ତି କରୁଛନ୍ତି, ଯିଏ ସରକାରଙ୍କ କଥାରେ ହଁ ମାରନ୍ତି।

ସର୍ବୋଚ୍ଚ ନ୍ୟାୟାଳୟର ପୀଠ କହିଛନ୍ତି, ୧୯୯୦ ପରଠୁ ଅନେକ ଥର ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ନିଯୁକ୍ତିରେ ସୁଧାର ଦାବି ଉଠିଥାଏ। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ନିର୍ବାଚନ ଆୟୋଗଙ୍କ ସମେତ ସାମ୍ବିଧାନିକ ସଂସ୍ଥାରେ ନିଯୁକ୍ତି ପାଇଁ କଲେଜିୟମ ପରି ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି, ସାମ୍ବିଧାନିକ ଭିତ୍ତିଭୂମି ଢାଞ୍ଚା ଗଣତନ୍ତ୍ରରେ ନିହିତ ରହିଛି। ଏହି ସମ୍ବନ୍ଧରେ କୌଣସି ବିତର୍କ ହୋଇ ପାରିବ ନାହିଁ। ଆମେ ସଂସଦକୁ ଏ ବିଷୟରେ ପ୍ରଶ୍ନ କରି ପାରିବୁ ନାହିଁ। କେବଳ ଆମେ ଏହି ପ୍ରସଙ୍ଗରେ କିଛି କରିବାକୁ ଚାହୁଁଛୁ, ଯାହା ୧୯୯୦ରୁ ଉଠି ଆସିଛି। ତୃଣମୂଳସ୍ତରରେ ଯାହା ସ୍ଥିତି ରହିଛି, ତାହା ଆମ ସଭିଙ୍କ ପାଇଁ ଚେତାଇବା ପରି। ଆମକୁ ଭଲ ଭାବେ ଜଣା ଯେ, ଏହି ପ୍ରସଙ୍ଗରେ ବର୍ତ୍ତମାନର ସରକାରଙ୍କଠୁ ଆମକୁ ବିରୋଧର ସାମ୍ନା କରିବାକୁ ପଡିବ।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ କହିଛନ୍ତି, ୨୦୦୪ ପରଠୁ ଆଜି ପର୍ଯ୍ୟନ୍ତ କୌଣସି ବି ନିର୍ବାଚନ ଆୟୋଗ କଣ ପାଇଁ ନିଜର ଛଅ ବର୍ଷ କାର୍ଯ୍ୟକାଳ ପୂରା କରି ପାରି ନାହାନ୍ତି ? ଏହାର କାରଣ ସେମାନଙ୍କର ଅବସରକୁ ନେଇ ନିୟମ ରହିଛି ଯେ, ସେମାନେ ୬ ବର୍ଷର ଅବଧି ପୂରା କରିବେ କିମ୍ବା ୬୫ ବର୍ଷ ବୟସ ହେଲେ ଅବସର ନେଇ ପାରିବେ। ୨୦୦୪ ପରଠୁ ଆଜି ପର୍ଯ୍ୟନ୍ତ ଯାହାଙ୍କୁ ବି ନିର୍ବାଚନ ଆୟୋଗ ପଦରେ ନିଯୁକ୍ତି ଦିଆଗଲା, ସେମାନଙ୍କର ବୟସ ୬ ବର୍ଷ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ୬୫ ବର୍ଷ ହୋଇ ଯାଉଥିଲା। ତେଣୁ ନିର୍ବାଚନ ଆୟୋଗରେ ଥିବା ଅଧିକାରୀ ନିଜ ଆଡକୁ ଅବସର ନେଇ ଯାଉଛନ୍ତି। କୋର୍ଟ ପୁଣି ପ୍ରଶ୍ନ କରିଛନ୍ତି ଯେ, କଣ ସରକାର ଜାଣି ପାରୁ ନାହାନ୍ତି କି, ସେମାନଙ୍କୁ ଦାୟିତ୍ଵ ଦେବା ସମୟରେ ସେମାନଙ୍କର ବୟସ କେତେ ହୋଇଥାଏ।

Get real time updates directly on you device, subscribe now.