ଆଫଗାନିସ୍ତାନ ସହ କଣ ରହିଛି ଖୈବର ପକ୍ତୁନଖ୍ୱାର ସମ୍ପର୍କ, ପାକିସ୍ତାନ ସହ କାହିଁକି ବିବାଦ
ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଜରୁରୀକାଳୀନ ଶାସନ: ଇମ୍ରାନ ଖାନଙ୍କ ଦଳକୁ ଝଟ୍କା, ଆଫଗାନିସ୍ତାନ ସହ ସୀମା ବିବାଦ ପୁଣି ଚର୍ଚ୍ଚାରେ
ଓଡ଼ିଶା ଭାସ୍କର ଡେସ୍କ: ପାକିସ୍ତାନର ରାଜନୈତିକ କରିଡର ଏବଂ ସୁରକ୍ଷା ବ୍ୟବସ୍ଥାରେ ଖୈବର ପକ୍ତୁନଖ୍ୱା ପ୍ରାନ୍ତ ସବୁବେଳେ ଏକ ଅଶାନ୍ତ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଆସିଛି। ସାମ୍ପ୍ରତିକ ସମୟରେ ଶେହବାଜ ସରିଫ୍ ସରକାର ଏହି ପ୍ରାନ୍ତରେ ଜରୁରୀକାଳୀନ ପରିସ୍ଥିତି ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରିବା ପରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। କେନ୍ଦ୍ର ସରକାର ଏହି କଠୋର ପଦକ୍ଷେପ ପଛରେ ବିଗୁଡ଼ୁଥିବା ଆଇନ-ଶୃଙ୍ଖଳା ପରିସ୍ଥିତି ଏବଂ ଆତଙ୍କବାଦକୁ ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି।
ଏହି ବଡ଼ ରାଜନୈତିକ ପରିବର୍ତ୍ତନ ପରେ, ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦଳ ‘ପାକିସ୍ତାନ ତହରିକ-ଏ-ଇନସାଫ୍’ର ପ୍ରାନ୍ତୀୟ ସରକାରର କାର୍ଯ୍ୟକାଳ ଶେଷ ହୋଇଛି ଏବଂ ସେନା କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭୌଗଳିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳ କେବଳ ପାକିସ୍ତାନ ପାଇଁ ନୁହେଁ, ବରଂ ସମଗ୍ର ଦକ୍ଷିଣ ଏସୀୟ ରାଜନୀତି ପାଇଁ ଏକ ସମ୍ବେଦନଶୀଳ କେନ୍ଦ୍ରବିନ୍ଦୁ ଅଟେ, ଯାହାର ସିଧାସଳଖ ସମ୍ପର୍କ ପଡ଼ୋଶୀ ଦେଶ ଆଫଗାନିସ୍ତାନ ସହିତ ଜଡିତ।
ଡୁରାଣ୍ଡ ଲାଇନ୍ ଏବଂ ଭୂ-ରାଜନୈତିକ ବିବାଦ: ଖୈବର ପକ୍ତୁନଖ୍ୱାର ପଶ୍ଚିମ ସୀମା ଯେଉଁ ରେଖା ଦ୍ୱାରା ସଂଯୁକ୍ତ, ତାହାକୁ ଆନ୍ତର୍ଜାତୀୟ ସ୍ତରରେ ‘ଡୁରାଣ୍ଡ ଲାଇନ୍’ କୁହାଯାଏ। ଏହି ସୀମାର ସବୁଠାରୁ ବଡ଼ ଜଟିଳତା ହେଉଛି ଆଫଗାନିସ୍ତାନର କୌଣସି ବି ସରକାର, ସେ ଅତୀତର ଗଣତାନ୍ତ୍ରିକ ସରକାର ହେଉ କିମ୍ବା ବର୍ତ୍ତମାନର ତାଲିବାନ ଶାସନ, ଏହି ରେଖାକୁ ଏକ ବୈଧ ଆନ୍ତର୍ଜାତୀୟ ସୀମା ଭାବରେ ସ୍ୱୀକାର କରନ୍ତି ନାହିଁ।
ଆଫଗାନ ପ୍ରଶାସନ ଏହାକୁ ଜୋରଜବରଦସ୍ତି ଟଣାଯାଇଥିବା ଏକ କାଳ୍ପନିକ ରେଖା ବୋଲି ମାନେ, ଯାହା ପଶ୍ଚୁନ୍ ଜନଜାତିଙ୍କୁ ଦୁଇ ଭଗରେ ବିଭକ୍ତ କରିଛି। ଐତିହାସିକ ଦାବି ଅନୁଯାୟୀ, ଆଫଗାନିସ୍ତାନର ଏହା ମତ ରହିଛି ଯେ ସିନ୍ଧୁ ନଦୀର ପଶ୍ଚିମ ପଟର ସମଗ୍ର ଭୂଭାଗ, ଯେଉଁଥିରେ ଆଜିର ଖୈବର ପକ୍ତୁନଖ୍ୱା ମଧ୍ୟ ଅନ୍ତର୍ଭୁକ୍ତ, ତାହା ମୂଳତଃ ସେମାନଙ୍କ ଦେଶର ଅଂଶବିଶେଷ। ଏହି ବୈଚାରିକ ଅସହମତି ଏବଂ ସୀମାଗତ ଉତ୍ତେଜନା ଯୋଗୁଁ ଉଭୟ ଦେଶ ମଧ୍ୟରେ ସର୍ବଦା ଅବିଶ୍ୱାସ ଏବଂ ସାମରିକ ସଂଘର୍ଷର ପରିସ୍ଥିତି ଲାଗିରହିଥାଏ।
ପଶ୍ଚୁନ୍ ରାଷ୍ଟ୍ରବାଦ ଏବଂ ସାଂସ୍କୃତିକ ସମ୍ପର୍କ: ଏହି ସମ୍ବେଦନଶୀଳ ପ୍ରାନ୍ତର ଜନସଂଖ୍ୟା ଉଭୟ ଦେଶ ମଧ୍ୟରେ ଏକ ସ୍ୱତନ୍ତ୍ର ସମ୍ପର୍କ ସୃଷ୍ଟି କରିଥାଏ। ସୀମାର ଏପାରି ଏବଂ ସେପାରି ଅର୍ଥାତ୍ ଖୈବର ପକ୍ତୁନଖ୍ୱା ଏବଂ ଆଫଗାନିସ୍ତାନ ମଧ୍ୟରେ ବାସକରୁଥିବା ସଂଖ୍ୟାଗରିଷ୍ଠ ଜନସଂଖ୍ୟା ପଶ୍ଚୁନ୍ ବା ପଠାଣ ସମ୍ପ୍ରଦାୟର ଅଟନ୍ତି। ଉଭୟ ଅଞ୍ଚଳର ଲୋକଙ୍କ ଭାଷା (ପଶ୍ଚୁ), ସଂସ୍କୃତି, ଖାଦ୍ୟପେୟ, ରୀତିନୀତି ଏବଂ ପାର୍ବାରିକ ସମ୍ପର୍କ ପ୍ରାୟ ସମାନ।
TTP ଏବଂ ଆଫଗାନ ତାଲିବାନର ବିପଜ୍ଜନକ ମେଣ୍ଟ: ଖୈବର ପକ୍ତୁନଖ୍ୱା ଅଶାନ୍ତ ହେବାର ସବୁଠାରୁ ବଡ଼ ଏବଂ ଭୟଙ୍କର କାରଣ ହେଉଛି ‘ତହରିକ-ଏ-ତାଲିବାନ ପାକିସ୍ତାନ’ (TTP) ନାମକ ଆତଙ୍କବାଦୀ ସଙ୍ଗଠନର ସକ୍ରିୟତା। ପାକିସ୍ତାନୀ ସୁରକ୍ଷା ଏଜେନ୍ସିଗୁଡ଼ିକର ଗମ୍ଭୀର ଅଭିଯୋଗ ରହିଛି ଯେ ଟିଟିପିର ଆତଙ୍କବାଦୀମାନେ ଏହି ପ୍ରାନ୍ତରେ ରକ୍ତପାତ ଏବଂ ଆତଙ୍କବାଦୀ ଆକ୍ରମଣ କରିବା ପରେ ତତ୍କ୍ଷଣାତ୍ ଆଫଗାନିସ୍ତାନ ସୀମା ଭାଗକୁ ପଳାଇ ଯାଇ ଆଶ୍ରୟ ନିଅନ୍ତି।
ଆଫଗାନ ତାଲିବାନର କଥିତ ସହଯୋଗରେ ଏହି ଆତଙ୍କବାଦୀମାନେ ସେଠାରେ ସୁରକ୍ଷିତ ଠିକଣା ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ପାଇଥାଆନ୍ତି। ସାମ୍ପ୍ରତିକ ସମୟରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଆଫଗାନ ସୀମା ଚୌକିଗୁଡ଼ିକ ପାକିସ୍ତାନୀ ସୈନିକଙ୍କ ବିରୁଦ୍ଧରେ ସିଧାସଳଖ ଟିଟିପି ଯୋଦ୍ଧାମାନଙ୍କୁ ସମର୍ଥନ କରିଛନ୍ତି ଏବଂ ସୀମାପାରୁ ଗୁଳିବର୍ଷା କରି ସୁରକ୍ଷା ବାହିନୀ ପାଇଁ ଗମ୍ଭୀର ଆହ୍ୱାନ ସୃଷ୍ଟି କରିଛନ୍ତି।


