PF କର୍ମଚାରୀଙ୍କ ପାଇଁ ଖୁସି ଖବର, ବ୍ୟାଙ୍କ ଆକାଉଣ୍ଟ ପରି କାମ କରିବ ଆପଣଙ୍କ ପିଏଫ୍ ଖାତା, ATMରୁ ବାହାର କରିବେ ଟଙ୍କା

EPFO 3.0 ଆସିଲେ ବଦଳିବ PF ଟଙ୍କା ଉଠାଣ ନିୟମ! ୫ ଲକ୍ଷ ପର୍ଯ୍ୟନ୍ତ କ୍ଲେମ୍ ହେବ ଅଟୋ-ସେଟଲ୍, ATM ଓ UPIରେ ଟଙ୍କା ଉଠାଣର ଯୋଜନା

ଓଡ଼ିଶା ଭାସ୍କର ଡେସ୍କ: ଚାକିରିଆ ବ୍ୟକ୍ତିମାନଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ପିଏଫ୍ ଖାତାରୁ ଟଙ୍କା କାଢ଼ିବା ପାଇଁ ଅନେକ ଦିନ ଅପେକ୍ଷା କରିବା ଏବଂ ଫର୍ମ ପୂରଣ କରିବାର ଜଞ୍ଜାଳ ଏବେ ସରିବାକୁ ଯାଉଛି। EPFO ଶୀଘ୍ର ନିଜର ସିଷ୍ଟମକୁ ଅପଗ୍ରେଡ୍ କରି ‘EPFO 3.0’ ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି।

EPFO 3.0 ର ମୁଖ୍ୟ ବିଶେଷତା:

କ୍ଲାଉଡ୍-ବେଷ୍ଟ ସିଷ୍ଟମ୍: ବର୍ତ୍ତମାନ EPFO ର ଡାଟା ଅଲଗା ଅଲଗା କ୍ଷେତ୍ରୀୟ କାର୍ଯ୍ୟାଳୟର ସର୍ଭରରେ କାମ କରୁଥିବାରୁ ପ୍ରାୟତଃ ପୋର୍ଟାଲ୍ ଡାଉନ୍ ରହେ। କିନ୍ତୁ ‘EPFO 3.0’ ସମ୍ପୂର୍ଣ୍ଣ ଭାବେ କ୍ଲାଉଡ୍-ବେଷ୍ଟ ହେବ, ଯାହାଫଳରେ ୱେବସାଇଟ୍ ହ୍ୟାଙ୍ଗ୍ ହେବ ନାହିଁ ଏବଂ କାମ ଅତ୍ୟନ୍ତ ଦ୍ରୁତ ଗତିରେ ହେବ।

୫ ଲକ୍ଷ ପର୍ଯ୍ୟନ୍ତ ଅଟୋ-ସେଟେଲମେଣ୍ଟ୍: ଅସୁସ୍ଥତା, ବିବାହ କିମ୍ବା ଘର କିଣିବା ଭଳି ଜରୁରୀ ପରିସ୍ଥିତିରେ ୫ ଲକ୍ଷ ପର୍ଯ୍ୟନ୍ତ ଆଡଭାନ୍ସ କ୍ଲେମ୍ ଅଟୋ-ସେଟେଲମେଣ୍ଟ୍ ମୋଡ୍‌ରେ ଯିବ। ଅର୍ଥାତ୍ ଏଥିପାଇଁ କୌଣସି ଅଧିକାରୀଙ୍କ ଅନୁମୋଦନ ଆବଶ୍ୟକ ହେବ ନାହିଁ ଏବଂ ୩ ରୁ ୪ ଦିନ ଭିତରେ ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ।

ATM ଏବଂ UPI ଜରିଆରେ ଟଙ୍କା ବାହାର: ଭବିଷ୍ୟତରେ PF ଖାତାକୁ ଆଧୁନିକ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ଏବଂ UPI ନେଟୱାର୍କ ସହ ଯୋଡ଼ାଯିବାର ଯୋଜନା ରହିଛି, ଯାହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଲୋକମାନେ ATM ଏବଂ UPI ମାଧ୍ୟମରେ ସହଜରେ ଟଙ୍କା ବାହାର କରିପାରିବେ।

ପୂର୍ବରୁ ଏହାକୁ ଜୁଲାଇ କିମ୍ବା ଅଗଷ୍ଟରେ ଆରମ୍ଭ କରିବାର ଯୋଜନା ଥିଲେ ମଧ୍ୟ କିଛି ବୈଷୟିକ ତ୍ରୁଟି କାରଣରୁ ଏହା ସମ୍ଭବ ହୋଇପାରି ନଥିଲା। ବର୍ତ୍ତମାନ ସେପ୍ଟେମ୍ବର ମାସରେ ଏହି ଉନ୍ନତ ସେବାକୁ ଆରମ୍ଭ କରାଯିବାର ସମ୍ଭାବନା ରହିଛି।