ତେଲ ଟ୍ୟାଙ୍କର ଖୋଲିବା ପରେ ଉଡ଼ିଗଲା ହୋସ୍‌! ଭିତରୁ ବାହାରିଲେ ୨୦ ଗୋରୁ

ଶନିବାର ବିଳମ୍ବିତ ରାତିରେ ସମ୍ବଲପୁରରୁ ମୟୂରଭଞ୍ଜ ଆସୁଥିବା ଏକ ତେଲ ଟ୍ୟାଙ୍କର ଉପରେ କିଛି ଗୋ’ସେବକଙ୍କ ସନ୍ଦେହ ହୋଇଥିଲା

ବାରିପଦା: ବାହାରୁ ଦେଖିଲେ ଲାଗୁଥିଲା ସାଧାରଣ ତେଲ ଟ୍ୟାଙ୍କର। କିନ୍ତୁ ଭିତରେ ତେଲ ନୁହେଁ, ଅତି ଦୟନୀୟ ଅବସ୍ଥାରେ ଭର୍ତ୍ତି ହୋଇଥିଲେ ଗୋରୁ। ଟ୍ୟାଙ୍କର ଖୋଲିବା ପରେ ଗୋଟିଏ କି ଦୁଇଟି ନୁହେଁ, ଭିତରୁ ବାହାରିଥିଲେ ୨୦ଟି ଗୋରୁ। ମୟୂରଭଞ୍ଜ ବାଙ୍ଗିରିପୋଷୀ ଥାନା ଅଞ୍ଚଳରେ ଏଭଳି ଚାଲାଣ ଧରାପଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି।

ଶନିବାର ବିଳମ୍ବିତ ରାତିରେ ସମ୍ବଲପୁରରୁ ମୟୂରଭଞ୍ଜ ଆସୁଥିବା ଏକ ତେଲ ଟ୍ୟାଙ୍କର ଉପରେ କିଛି ଗୋ’ସେବକଙ୍କ ସନ୍ଦେହ ହୋଇଥିଲା। ଏହାପରେ ସେମାନେ ବାଷୋୟୀଠାରୁ ପ୍ରାୟ ୩୫ କିଲୋମିଟର ପର‌୍ୟ୍ୟନ୍ତ ଟ୍ୟାଙ୍କରକୁ ପିଛା କରିଥିଲେ। ଗାଡ଼ିର ଚାଳକ ଓ ସହଯୋଗୀମାନେ ଏହା ଜାଣିପାରି ଗାଡ଼ିର ବେଗ ବଢ଼ାଇ ଦେଇଥିବା ଅଭିଯୋଗ ହୋଇଛି।

ଶେଷରେ ବାଙ୍ଗିରିପୋଷୀ ଅଞ୍ଚଳରେ ଗୋ’ସେବକମାନେ ଟ୍ୟାଙ୍କରକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଯାଞ୍ଚ କରିବା ପରେ ଯାହା ଦେଖିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଟ୍ୟାଙ୍କର ଭିତରେ ଅତି ଦୟନୀୟ ଭାବେ ୨୦ଟି ଗୋରୁଙ୍କୁ ଭର୍ତ୍ତି କରାଯାଇଥିଲା। ପୋଲିସ ଓ ଗୋ’ସେବକମାନେ ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।

ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଗୋରୁଗୁଡ଼ିକୁ ଗୋଶାଳାରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଏପଟେ ମାମଲାରେ ଟ୍ୟାଙ୍କର ଚାଳକ ଓ ହେଲ୍‌ପରଙ୍କୁ ପୋଲିସ ଗିରଫ କରିଛି।

ତେବେ ତଦନ୍ତ ବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜବତ ଟ୍ୟାଙ୍କରରେ ଥିବା ନମ୍ବର ଡୁପ୍ଲିକେଟ୍ ବୋଲି ଜଣାପଡ଼ିଛି। ଧରାପଡ଼ିବାରୁ ବର୍ତ୍ତିବା ପାଇଁ ଟ୍ୟାଙ୍କରରେ ଏକ ଘରୋଇ କମ୍ପାନୀର ଲୋଗୋ ଲଗାଯାଇଥିବା ମଧ୍ୟ ଜଣାପଡ଼ିଛି। ଅର୍ଥାତ୍‌, ଗାଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଥିଲା ଯେପରି ଏହା ଏକ ସାଧାରଣ ବାଣିଜ୍ୟିକ ଗାଡ଼ି।

ମୟୂରଭଞ୍ଜ ଦେଇ ଜାତୀୟ ରାଜପଥ ୧୮, ୪୯ ଓ ୫ର ସଂଯୋଗ ରହିଥିବାରୁ ଏହି ଅଞ୍ଚଳ ଦେଇ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ମଧ୍ୟ ଆସିଛି। ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି, ଚାଲାଣ ପଛରେ କିଏ ରହିଛି ଏବଂ ଗାଡ଼ିର ଡୁପ୍ଲିକେଟ୍ ନମ୍ବର କିପରି ବ୍ୟବହାର ହେଉଥିଲା, ସେସବୁ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି।