ପୂର୍ବତନ CBI ମୁଖ୍ୟଙ୍କ ରାଜନୈତିକ ଏଣ୍ଟ୍ରି; ଧରିଲେ ‘ସର୍ବଜନ ସନାତନ ପାର୍ଟି’ର ମଙ୍ଗ

ବାରାଣସୀରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇ ଏମ୍. ନାଗେଶ୍ୱର ରାଓ ନିଜର ନୂଆ ରାଜନୈତିକ ଭୂମିକା ଘୋଷଣା କରିଛନ୍ତି।

କାଶୀ: କାଶୀରୁ ରାଜନୀତିର ନୂଆ ଇନିଂସ୍ ଆରମ୍ଭ କଲେ ପୂର୍ବତନ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓ। ଦୀର୍ଘ ପ୍ରଶାସନିକ ସେବା ପରେ ଏବେ ସେ ସିଧାସଳଖ ରାଜନୀତିକୁ ଓହ୍ଲାଇଛନ୍ତି। ବାରାଣସୀରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇ ସେ ନିଜର ନୂଆ ରାଜନୈତିକ ଭୂମିକା ଘୋଷଣା କରିଛନ୍ତି।

୧୯୮୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଏହି ପୂର୍ବତନ ସିବିଆଇ ଅଧିକାରୀ ପ୍ରାୟ ୪ ଦଶନ୍ଧି ଧରି ସୁରକ୍ଷା, ଆଇନଶୃଙ୍ଖଳା ଓ ପ୍ରଶାସନ କ୍ଷେତ୍ରରେ କାମ କରିଛନ୍ତି। ୨୦୧୮ ଅକ୍ଟୋବରରୁ ୨୦୧୯ ଫେବ୍ରୁଆରୀ ମଧ୍ୟରେ ସେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ରାଓ କହିଛନ୍ତି, ପ୍ରଶାସନକୁ ଦୀର୍ଘ ସମୟ ଧରି ନିକଟରୁ ଦେଖିବାର ଅଭିଜ୍ଞତାକୁ ଏବେ ସମାଜ ଓ ଦେଶର ବ୍ୟାପକ ସ୍ୱାର୍ଥରେ ବ୍ୟବହାର କରିବା ହେବ ମୋର ଉଦ୍ଦେଶ୍ୟ। ଦେଶର ପୁନଃର୍ନିର୍ମାଣ କେବଳ ପ୍ରଶାସନିକ ସୁଧାରରେ ସୀମିତ ରହିପାରିବ ନାହିଁ। ଆଧୁନିକ ବିକାଶ ସହ ଭାରତର ସଭ୍ୟତା ସହିତ ସମ୍ପର୍କ ରଖିବା ମଧ୍ୟ ଆବଶ୍ୟକ।

‘ସତ୍ୟ ସନାତନ, ନିତ୍ୟ ନୂତନ’କୁ ପାର୍ଟିର ଚିନ୍ତାଧାରାର ମୁଖ୍ୟ ଆଧାର ଭାବେ ରଖାଯାଇଛି। ରାଓଙ୍କ ବ୍ୟାଖ୍ୟା ଅନୁସାରେ, ସନାତନ କେବଳ ପୂଜାପାଠର ପଦ୍ଧତି ନୁହେଁ; ଏହା ସତ୍ୟ, ଧର୍ମ, କର୍ତ୍ତବ୍ୟ, ନ୍ୟାୟ, ଦୟା ଓ ଜନକଲ୍ୟାଣ ଉପରେ ଆଧାରିତ ଏକ ଜୀବନଦୃଷ୍ଟି। ପାର୍ଟି କୌଣସି ଜାତି କିମ୍ବା ସମ୍ପ୍ରଦାୟ ବିରୋଧୀ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ପାର୍ଟିର ବିକାଶ ଦୃଷ୍ଟିକୋଣରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସଭ୍ୟତା ସହ ପୁନଃସଂଯୋଗକୁ ଚାରିଟି ମୁଖ୍ୟ ସ୍ତମ୍ଭ ଭାବେ ରଖାଯାଇଛି। ଯୁବ, କୃଷକ, କାରିଗର, ଶ୍ରମିକ, ଛୋଟ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି ସହ ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ସୁଲଭ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉପରେ ପାର୍ଟି ଗୁରୁତ୍ୱ ଦେବ ବୋଲି ରାଓ କହିଛନ୍ତି।

ସବୁଠାରୁ ବଡ଼ ରାଜନୈତିକ ଘୋଷଣା ହେଉଛି, ଉତ୍ତରପ୍ରଦେଶର ସମସ୍ତ ୪୦୩ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ପାର୍ଟି ପ୍ରସ୍ତୁତ ହେବ ବୋଲି ରାଓ କହିଛନ୍ତି।

କାଶୀରୁ ଆରମ୍ଭ ହୋଇଥିବା ଏହି ରାଜନୈତିକ ଯାତ୍ରା ଏବେ ଉତ୍ତରପ୍ରଦେଶରେ ନୂଆ ଦଳର ସଂଗଠନ ବିସ୍ତାର ଓ ନିର୍ବାଚନୀ ପ୍ରସ୍ତୁତି ଉପରେ ନିର୍ଭର କରିବ। ପ୍ରଶାସନିକ ଅଭିଜ୍ଞତାରୁ ସକ୍ରିୟ ରାଜନୀତିକୁ ଆସିଥିବା ରାଓଙ୍କ ନୂଆ ଭୂମିକା ଆଗାମୀ ଦିନରେ ରାଜ୍ୟ ରାଜନୀତିରେ କିପରି ଆକାର ନେବ, ତାହା ଆଗାମୀ କାର‌୍ୟ୍ୟକ୍ରମରୁ ସ୍ପଷ୍ଟ ହେବ।