କେମିତି ରହିବେ ଫିଟ୍ ଓ ସୁସ୍ଥ? ବ୍ୟାୟାମ-ଯୋଗ କେତେ ଆବଶ୍ୟକ?

ବିଶେଷଜ୍ଞଙ୍କ ମତରେ ଫିଟ୍ ରହିବାକୁ ହେଲେ ନିୟମିତ ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ। ଏଥିସହିତ ସନ୍ତୁଳିତ ଆହାର ଖାଇବା ଦରକାର। ତାହାହେଲେ ଯାଇ ଶରୀର ଫିଟ୍ ଓ ସୁସ୍ଥ ରହିପାରିବ

ନୂଆଦିଲ୍ଲୀ: ବୟସ ୪୦ ଅତିକ୍ରମ କରିବା ପରେ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ମାଂସପେଶୀର ଶକ୍ତି ଧୀରେ ଧୀରେ କମିଥାଏ। ହାଡ଼ ଦୁର୍ବଳ ହେବାକୁ ଲାଗେ। ରୋଗ ପ୍ରତିରୋଧ ଶକ୍ତି କମିଥାଏ। ଏପରି ସ୍ଥିତିରେ କେମିତି ଫିଟ୍ ଓ ସୁସ୍ଥ ରହିବେ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଫିଟ୍ ରହିବାକୁ ହେଲେ ନିୟମିତ ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ। ଏଥିସହିତ ସନ୍ତୁଳିତ ଆହାର ଖାଇବା ଦରକାର। ତାହାହେଲେ ଯାଇ ଶରୀର ଫିଟ୍ ଓ ସୁସ୍ଥ ରହିପାରିବ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଅନୁସାରେ, ୪୦ ବର୍ଷ ପରେ ବ୍ୟାୟାମ ଲାଭଦାୟକ। ନିୟମିତ ବ୍ୟାୟାମ କଲେ ଶରୀର ସୁସ୍ଥ ରହିଥାଏ। ଦ୍ରୁତ ଚାଲିବା, ସାଇକେଲ ଚଲାଇବା, ପହଁରିବା ଓ ହାଲୁକା କାର୍ଡିଓ କାର‌୍ୟ୍ୟକଳାପ ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ସେହିପରି ଷ୍ଟ୍ରେନ୍ଥ ଟ୍ରେନିଂ ମାଂସପେଶୀ ଓ ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରିପାରେ। ଏହା ବ୍ୟତୀତ ଯୋଗ ଓ ଷ୍ଟ୍ରେଚିଂ ଶରୀରର ନମନୀୟତା ଓ ସନ୍ତୁଳନକୁ ଭଲ କରିବାରେ ଉପଯୋଗୀ ବୋଲି ମନେ କରାଯାଏ। ନିୟମିତ ଭାବେ ଏହି କାର‌୍ୟ୍ୟକଳାପ କରିବା ଦ୍ୱାରା ଶରୀର ଅଧିକ ସକ୍ରିୟ ରହିପାରେ। ତେବେ ଯେକୌଣସି ନୂଆ ବ୍ୟାମ ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟ ଅବସ୍ଥାକୁ ଧ୍ୟାନରେ ରଖିବା ଏବଂ ଆବଶ୍ୟକ ପଡ଼ିଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।

ବ୍ୟାୟାମ ବେଳେ କେଉଁ କଥାକୁ ଧ୍ୟାନ ରଖିବା ଉଚିତ?

ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ୱାର୍ମ-ଅପ ନିଶ୍ଚୟ କରନ୍ତୁ। ବ୍ୟାମ ଶେଷ ହେବା ପରେ କୁଲ-ଡାଉନ କରିବାକୁ ଭୁଲନ୍ତୁ ନାହିଁ। ଏହା ଦ୍ୱାରା ଆଘାତର ବିପଦ କମ ହୋଇପାରେ। ଯଦି ଦୀର୍ଘ ସମୟ ଧରି ବ୍ୟାୟାମ କରିନାହାଁନ୍ତି, ତେବେ ଆରମ୍ଭ ଧୀରେ ଧୀରେ କରନ୍ତୁ। ଶରୀର ଉପରେ ହଠାତ ଅଧିକ ଚାପ ପକାନ୍ତୁ ନାହିଁ। ପର‌୍ୟ୍ୟାପ୍ତ ପାଣି ପିଅନ୍ତୁ। କୌଣସି ପ୍ରକାର ଯନ୍ତ୍ରଣା, ମୁଣ୍ଡ ବୁଲାଇବା ବା ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଲେ ତୁରନ୍ତ ବିଶ୍ରାମ ନିଅନ୍ତୁ। ଯଦି ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ୟାୟାମ ବାଛନ୍ତୁ।

ଶରୀର ପାଇଁ କଣ ଜରୁରୀ?

ନିୟମିତ ବ୍ୟାୟାମ ସହିତ ସନ୍ତୁଳିତ ଖାଦ୍ୟ ନେବା ସେତିକି ଜରୁରୀ। ନିଜ ଖାଦ୍ୟରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ-ଡି ଓ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ସାମିଲ କରନ୍ତୁ। ପର‌୍ୟ୍ୟାପ୍ତ ନିଦ ନିଅନ୍ତୁ। ଚାପକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। ଏହା ବ୍ୟତୀତ ଦୀର୍ଘ ସମୟ ଧରି ବସି ରହିବାରୁ ବଞ୍ଚନ୍ତୁ। ଦିନସାରା ସକ୍ରିୟ ରହିବାର ଅଭ୍ୟାସ କରନ୍ତୁ। ସୁସ୍ଥ ଜୀବନଶୈଳୀ ଓ ନିୟମିତ ଶାରୀରିକ କାର‌୍ୟ୍ୟକଳାପ ବଢ଼ୁଥିବା ବୟସରେ ଶରୀରକୁ ଫିଟ୍ ଓ ଏନର୍ଜେଟିକ ରଖିବାରେ ସାହାଯ୍ୟ କରିପାରେ।