fbpx

(Video) ଓଡ଼ିଶାରୁ ଉଦ୍ଧାର ହେଲା ବିଲୁପ୍ତ ବହୁରୂପୀ ଏଣ୍ଡୁଅ, ୧୦ ମିନିଟରେ ବଦଳାଉଛି ୧୦ ପ୍ରକାର ରଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଦ୍ଧାର ହୋଇଛି ଏକ ବିରଳ ବହୁରୂପୀ ଏଣ୍ଡୁଅ। ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହି ବହୁରୂପୀ ଏଣ୍ଡୁଅଟି ୧୦ ମିନିଟରେ ବଦଳାଉଛି ୧୦ ପ୍ରକାରର ରଙ୍ଗ। ମାଟିରେ ଚାଲିଲେ ମାଟିଆ ରଙ୍ଗ ହୋଇଯାଉଛି ତ ହଳଦୀ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖା ଯାଉଛି । ସବୁଜ ଘାସରେ ଚାଲିଲେ ସବୁଜିଆ ରଙ୍ଗର ଦେଖା ଯାଉଥିବା ବେଳେ ଲାଲ ଶାଢ଼ୀ ଉପରେ ଚାଲିଲେ ଲାଲ ରଙ୍ଗ ପାଲଟି ଯାଉଛି। ଏହି ବିଲୁପ୍ତ ପ୍ରାୟ ବହୁରୂପୀ ଏଣ୍ଡୁଅର ଶରୀରର ସବୁଠାରୁ ଆଶ୍ଚର୍ଯ୍ୟକର କଥା ବହୁରୂପୀ ବିରଳ ଏଣ୍ଡୁଅଟି ୧୦ ମିନିଟରେ ବଦଳାଉଛି ୧୦ ପ୍ରକାର ରଙ୍ଗ।

ଏଣ୍ଡୁଅଟି ଉଦ୍ଧାର ହୋଇଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ରହଣିଆ ଗ୍ରାମରୁ। ଗ୍ରାମର ସୁରେନ୍ଦ୍ର ଜେନା ସକାଳୁ ଚା ପିଇବାକୁ ବଜାର ଯାଇଥିବା ବେଳେ ରାସ୍ତା କଡ ମନ୍ଦିର ନିକଟରେ କ୍ଷତାକ୍ତ ଅବସ୍ଥାରେ ରଙ୍ଗ ବଦଳାଉ ଥିବା ଏହି ବହୁରୂପୀ ଏଣ୍ଡୁଅକୁ ଦେଖି ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ପରେ ତାର ପ୍ରାଥମିକ ଚିକିତ୍ସା କରି ତାକୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ସହିତ ସ୍ଥାନୀୟ ସରପଞ୍ଚ ରଞ୍ଜନ ପରିଡ଼ାଙ୍କୁ ଯୋଗାଯୋଗ କରିଥିଲେ।ତେବେ ଏହି ବହୁରୂପୀ ଏଣ୍ଡୁଅ କଥା ଚାରି ଆଡେ ପ୍ରଘଟ ହୋଇଯିବାରୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା ସୁରେନ୍ଦ୍ରଙ୍କ ବାସଭବନକୁ ।

ତେବେ ସ୍ଥାନୀୟ ସରପଞ୍ଚ ରଞ୍ଜନ ପରିଡ଼ା ସୁରେନ୍ଦ୍ରଙ୍କ ଘରେ ପହଞ୍ଚି ୧୦ ମିନିଟରେ ୧୦ ପ୍ରକାର ରଙ୍ଗ ବଦଳାଉଥିବା ଏଣ୍ଡୁଅକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ପରେ ଭଣ୍ଡାରୀପୋଖରୀ ଫରେଷ୍ଟର ଜଗନ୍ନାଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଖୁଆପଦା ବିଟ୍ ଫରେଷ୍ଟ ଗାର୍ଡ ମଧୁସ୍ମିତା ଦାସ ଘଟଣାସ୍ଥଳରେ ପହଞ୍ଚି ଏହି ରଙ୍ଗ ବଦଳାଉଥିବା ବହୁରୂପୀ ଏଣ୍ଡୁଅକୁ ପରୀକ୍ଷଣ କରିବା ସହିତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ଏହାପରେ ସୁରେନ୍ଦ୍ର ସ୍ଥାନୀୟ ସରପଞ୍ଚ ସମେତ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ବନ ବିଭାଗକୁ ଏହି ବିରଳ ବିଲୁପ୍ତ ପ୍ରାୟ ବହୁରୂପୀ ଏଣ୍ଡୁଅକୁ ହସ୍ତାନ୍ତର କରିଥିଲେ।

ତେବେ ବନ ବିଭାଗ ପକ୍ଷରୁ ଉକ୍ତ ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅକୁ ଉଦ୍ଧାର ପୂର୍ବକ ଚିକିତ୍ସା କରାଯାଇ ସ୍ଥାନୀୟ ଧାମନଗର ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି। ଏଭଳି ମହତ୍ କାର୍ଯ୍ୟ ପାଇଁ ବନ ବିଭାଗ ଓ ସ୍ଥାନୀୟ ବୁଦ୍ଧିଜୀବୀ ସୁରେନ୍ଦ୍ର ଓ ସ୍ଥାନୀୟ ସରପଞ୍ଚଙ୍କୁ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.