ଧରାପଡ଼ିବା ଭୟରେ ଅନ୍ଧାର ରାତିରେ ସ୍ୱାମୀଙ୍କୁ ଫିଙ୍ଗିଦେଲା ନାଳକୁ, ଆଉ ତାପରେ…
୩ ଘଣ୍ଟାର ସଂଘର୍ଷ ପରେ ଅନ୍ଧାର ରାତିରେ ନାଳରୁ ବାହାରିଥିଲେ ସ୍ୱାମୀ
ଥାଣେ: ବାହା ହୋଇ ଘର ସଂସାର ଗଢ଼ିଥିଲା। ହେଲେ ତାଙ୍କ ମନଥିଲା ପ୍ରେମିକଙ୍କ ପାଖରେ। ଆଉ ସମୟ ସୁବିଧା ଦେଖି ନିୟମିତ ସ୍ୱାମୀଙ୍କ ଘରକୁ ଡାକୁଥିଲା ମହିଳା। ବନ୍ଧୁର ପରିଚୟ ଦେଇ ପ୍ରେମିକଙ୍କ ସହିତ ରଖୁଥିଲା ଅନୈତିକ ସମ୍ପର୍କ। କିନ୍ତୁ ମନରେ ଥିଲା ଭୟ। କୁଆଡ଼େ ଚୋରା ପୀରତି ଧରାପଡ଼ି ଯିବ କି? ତେଣୁ ପ୍ରେମିକଙ୍କ ସହିତ ମିଶି ସବୁଦିନ ପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ କରିଥିଲା ଯୋଜନା। ଏପରି ଲୋମଟାଙ୍କୁରା ଘଟଣା ମହାରାଷ୍ଟ୍ରର ଥାଣେ ଅଞ୍ଚଳରେ ଘଟିଛି।
ଅଭିଯୋଗରୁ ପ୍ରକାଶ, ଗିରିଶ ନାମକ ଜଣେ ଯୁବକ ଥାଣେ ଅଞ୍ଚଳରେ ପାନ ଦୋକାନ କରିଥିଲେ। ସେଥିରୁ ସେ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ତାଙ୍କ ପରିବାର। ହେଲେ ଏପ୍ରିଲ ୧୫ ତାରିଖ ରାତିରେ ସେ ଘରକୁ ଫେରୁଥିବା ବେଳେ ଅପହରଣର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ଏକ କାରରେ ଉଠାଇ ନେଇଥିଲେ। ଦୀର୍ଘ ସମୟ ଧରି ଚାରିଆଡ଼େ ବୁଲାଇଥିଲେ। ପରେ ଅନ୍ଧାର ରାତିରେ ଏକ ନାଳକୁ ଫିଙ୍ଗି ଦେଇଥିଲେ। ଅଭିଯୁକ୍ତମାନେ ଭାବିଥିଲେ ଗିରିଶ ମରିଯାଇଛି। କିନ୍ତୁ ଗିରିଶ ନାଳରେ ଥିବା ଏକ ଖମ୍ବକୁ ଧରି ପକାଇଥିଲେ। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ବାହାରକୁ ଆସିବା ପାଇଁ ଉଦ୍ୟମ କରିଥିଲେ। ଶେଷରେ ବହୁ କଷ୍ଟରେ ନାଳରୁ ବାହାକୁ ଆସିଥିଲେ।
ନାଳରୁ ଉଦ୍ଧାର ହେବା ପରେ ୧୬ ତାରିଖରେ ଗିରିଶ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଗିରିଶଙ୍କ ପତ୍ନୀ ଫାଲଗୁନୀଙ୍କୁ ସନ୍ଦେହ ଘେରକୁ ନେଥିଲା। ଘନଘନ ପଚରାଉଚରା ପରେ ସେ ମାଷ୍ଟରମାଇଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଥିଲା।
ବିିବାହ ପୂର୍ବରୁ କୌଶିକ ସହିତ ରଖିଥିଲା ପ୍ରେମ ସମ୍ପର୍କ
ବିବାହ ପୂର୍ବରୁ କୌଶିକ ଶର୍ମା ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲା ଫାଲଗୁନୀ। ପରିବାର ଲୋକଙ୍କ ବାଧ୍ୟବାଧକତା ଯୋଗୁ ସେ ଗିରିଶଙ୍କୁ ବିବାହ କରିଥିଲେ। ହେଲେ ସେ ତାଙ୍କ ପ୍ରେମିକଙ୍କୁ ଭୁଲି ପାରିନଥିଲା। ତାଙ୍କ ସହିତ ଯୋଗଯୋଗରେ ରହୁଥିଲେ। ଏପରିକି ବନ୍ଧୁର ପରିଚୟ ଦେଇ ନିୟମିତ ତାଙ୍କ ଘରକୁ ଆସୁଥିଲା। ଗିରିଶ ସେମାନଙ୍କ ପ୍ରେମ ସମ୍ପର୍କରେ ପ୍ରତିିବନ୍ଧକ ସାଜିଥିଲା। ଯେଉଁଥିପାଇଁ ଫାଲଗୁନୀ ଓ ତାଙ୍କ ପ୍ରେମିକ ପ୍ରତିହିଂଶା ପରାୟଣା ହୋଇପଡ଼ିଥିଲେ।
ଆଉ ପ୍ରେମରେ ଅନ୍ଧ ହୋଇ ସ୍ୱାମୀଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଏଥିପାଇଁ କୌଶିକ ଜଣେ ବ୍ୟକ୍ତିଙ୍କୁ ସୁପାରୀ ଦେଇଥିଲା। ଏପରିକି ନିଜେ ମଧ୍ୟ ସହଯୋଗ କରିଥିଲା। ଏପ୍ରିଲ ୧୫ ତାରିଖ ରାତିରେ ଗିରିଶ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ତେବେ ରାସ୍ତାରେ କୌଶିକ ଓ ତାଙ୍କ ସାଥୀମାନେ ଛୁରୀ ଦେଖାଇ ତାଙ୍କୁ ଅପହରଣ କରିନେଇଥିଲେ। ଏପରିକି ତାଙ୍କଠାରୁ ଏଟିଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଥିଲେ। ପରେ ନାଳକୁ ଫିଙ୍ଗି ଦେଇଥିଲେ। ପୋଲିସ ପାଖରେ ସବୁ ଦୋଷ ସ୍ୱୀକାର କରିଛନ୍ତି ଫାଲଗୁନୀ ଓ କୌଶିକ।
ପୋଲିସ ଏହି ଘଟଣାରେ ମାଷ୍ଟରମାଇଣ୍ଡ ଫାଲଗୁନୀ, ତାଙ୍କ ପ୍ରେମିକ କୌଶିକଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
