fbpx

ଫେସବୁକ, ହ୍ୱାଟ୍ସଆପର ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆ ଦିଲ୍ଲୀ,୨୨/୦୪: ସିସିଆଇର ଫଇସଲାକୁ ଆହ୍ୱାନ କରି ହ୍ୱାଟ୍ସଆପ ଏବଂ ଫେସବୁକ କରିଥିବା ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ  । କୋର୍ଟ ନିଜ ଆଦେଶରେ କହିଛନ୍ତି ଏହି ଯାଚିକାର କୌଣସି ମେରିଟ ନାହିଁ । ଏପ୍ରିଲ ୧୩ରେ କୋର୍ଟ ଉଭୟ ପକ୍ଷକୁ ଶୁଣି ସାରିବା ପରେ ଯାଚିକାକୁ ନେଇ ନିଜର ରାୟ ସଂରକ୍ଷିତ କରିଥିଲେ । ଏହି ବର୍ଷ ଜାନୁଆରୀରେ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସିକୁ ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିଲେ । ସିସିଆଇ ର ଏହି ଯାଞ୍ଚ ନିର୍ଦ୍ଦେଶକୁ ହ୍ୱାଟ୍ସଆପ ଏବଂ ଫେସବୁକ ହାଇକୋର୍ଟରେ ଆହ୍ୱାନ କରିଥିଲେ ।

ସିସିଆଇର  କହିବା ଅନୁଯାୟୀ ହ୍ୱାଟ୍ସଆପ ଗ୍ରାହକଙ୍କ ତଥ୍ୟକୁ ଅଧିକ ମାତ୍ରାରେ ସଂଗ୍ରହ କରୁଛି ଏବଂ ନିଜ ପ୍ରଭାବ ଦୁରୁପଯୋଗ କରୁଛି । ନୂଆ ପଲିସି ଅନୁଯାୟୀ ହ୍ୱାଟ୍ସଆପ ବିଜ୍ଞାପନ ପାଇଁ ନିଜ ଗ୍ରାହକଙ୍କ ତଥ୍ୟକୁ ସଂଗ୍ରହ କରିବା, ଏହାର ବ୍ୟବହାର  ଏବଂ ଫେସବୁକ ସହିତ ସେୟାର କରିବା ସଂପୂର୍ଣ୍ଣ ଭୁଲ । ଏହା ସିଧାସଳଖ ଭାବରେ ବଜାରରେ ନିଜ ସ୍ଥିତିର ଦୁରୁପଯୋଗ ।

କୋର୍ଟଙ୍କ ନିର୍ଦ୍ଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ ପ୍ରତିଯୋଗୀତା ବିରୋଧୀ ଯାଞ୍ଚ ପାଇଁ ସିସିଆଇର ନିଷ୍ପତ୍ତି ଭୁଲ ନୁହେଁ। ସିସିଆଇ କହିଛି ହ୍ୱାଟ୍ସଆପ ଦ୍ୱାରା ଏହା ନିଜ ପ୍ରାଧାନ୍ୟର ଅପବ୍ୟବହାର  । ଏହି କାରଣରୁ ସିସିଆଇ ହ୍ୱାଟ୍ସଆପର  ନୂଆ ପଲିସିକୁ ଯାଞ୍ଚ କରିବାକୁ ଆଦେଶ ଦେଇଛି ।

ଅନ୍ୟପକ୍ଷରେ, ଏହି ମାମଲାରେ ହ୍ୱାଟ୍ସଆପ  ଏବଂ ଫେସବୁକ୍ କୋର୍ଟଙ୍କୁ କହିଛନ୍ତି ଯେ ହ୍ୱାଟ୍ସଆପର ଗୋପନୀୟତା ପଲିସି ସହ ଜଡିତ ନୀତି ସୁପ୍ରିମକୋର୍ଟରେ ପୂର୍ବରୁ ବିଚାର ଚାଲିଛି। ତେବେ ଏଥିରେ ସିସିଆଇ କିପରି ହସ୍ତକ୍ଷେପ କରିପାରିବ?

ଯାଚିକାକର୍ତ୍ତା ଭାବରେ ଫେସବୁକ ଏବଂ ହ୍ୱାଟ୍ସଆପ ର କହିବା କଥା ସିସିଆଇକୁ ଏହି ମାମାଲାରେ ହସ୍ତକ୍ଷେପ କରିବା ଦରକାର ନାହିଁ । କିନ୍ତୁ ସିସିଆଇ କୋର୍ଟଙ୍କୁ କହିଛନ୍ତି ଯେ ସେ ଏହି ମାମଲାରେ କମ୍ପାନୀର ପ୍ରତିଯୋଗିତାର ବିଭିନ୍ନ ଦିଗ ଉପରେ ଦୃଷ୍ଟି ରଖିଛି। ପ୍ରତିଯୋଗିତା ସହ ଜଡିତ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରୁନାହାଁନ୍ତି  । ସୁପ୍ରିମକୋର୍ଟ ଯେଉଁ ମାମଲାର ଶୁଣାଣି କରୁଛନ୍ତି ତାହା ଗୋପନୀୟତା ଅଧିକାର ସହିତ ଜଡିତ, ତେଣୁ ଏହାର ଅଧିକାର ଉପରେ ବିବାଦର କୌଣସି ପ୍ରଶ୍ନ ନାହିଁ।

ଅମାନ ଲେଖୀ କୋର୍ଟଙ୍କୁ କହିଛନ୍ତି ଯେ ଏହି କାରଣରୁ ହାଇକୋର୍ଟରେ ହ୍ୱାଟ୍ସଆପ ଏବଂ ଫେସବୁକ୍ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଭୁଲ ଧାରଣା ସହିତ ଜଡିତ। ସିସିଆଇ ଅନୁଯାୟୀ, ତଥ୍ୟ ସଂଗ୍ରହ କରିବା ଏବଂ ଏହାକୁ ଫେସବୁକ୍ ସହିତ ସେୟାର କରିବା ପ୍ରତିଯୋଗୀତା ଅଟେ କି ନାହିଁ  ତାହା  ଅନୁସନ୍ଧାନ ପରେ ହିଁ ଜଣାପଡିବ ।

Get real time updates directly on you device, subscribe now.