PCS ଅଫିସର କହି AAP ନେତାଙ୍କୁ ବାହାହେଲା; ଘରେ କଳାକନା ବୁଲାଇଲା, ଥାନାରେ ମାମଲା

ବିବାହ ସରିବା ପରେ ଘର ସଂସାର ଗଢ଼ିବେ ବୋଲି ଆଶା କରିଥିଲେ ଅମରିନ୍ଦର। ହେଲେ ଭାଗ୍ୟର ବିଡ଼ମ୍ବନା, କିଛି ଦିନ ପରେ ମହିଳା ଜଣକ ଘରୁ ଫେରାର ହୋଇଯାଇଥିଲେ।

ଚଣ୍ଡିଗଡ଼: ବିବାହ ନେଇ ଦେଖିଥିଲେ ଅନେକ ସ୍ୱପ୍ନ। ଭାବିଥିଲେ ଜୀବନସାଥୀଙ୍କ ସହ ଆରମ୍ଭ ହେବ ନୂଆ ଜୀବନ। କିନ୍ତୁ ବିବାହ ପରେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଲା, ଯାହା ତାଙ୍କୁ ଚକିତ କରିଦେଇଥିଲା। ପଞ୍ଜାବର ଫତେହଗଡ଼ ସାହିବରେ ଜଣେ ଆପ୍ ନେତାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଆମ୍ ଆଦମୀ ପାର୍ଟିର ଯୁଗ୍ମ ସଚିବ ତଥା ଜିଲ୍ଲା ପରିଷଦ ସଦସ୍ୟ ଅମରିନ୍ଦର ସିଂହ ମଣ୍ଡୋଫଲ ୨୦୨୬ ଫେବ୍ରୁଆରୀ ୨୬ ତାରିଖରେ ମନବିନ୍ଦର କୌରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସେ ନିଜକୁ ପିସିଏସ୍ ଅଧିକାରୀ ଭାବେ ପରିଚୟ ଦେଇଥିଲେ। ବିବାହ ସମୟରେ ସେ ନିଜକୁ ଅବିବାହିତ ବୋଲି କହିଥିଲେ। ବୟସ କମ୍ ବୋଲି ରେକର୍ଡପତ୍ର ଦେଖାଇଥିଲେ।

ବିବାହ ସରିବା ପରେ ଘର ସଂସାର ଗଢ଼ିବେ ବୋଲି ଆଶା କରିଥିଲେ ଅମରିନ୍ଦର। ହେଲେ ଭାଗ୍ୟର ବିଡ଼ମ୍ବନା, କିଛି ଦିନ ପରେ ମହିଳା ଜଣକ ଘରୁ ଫେରାର ହୋଇଯାଇଥିଲେ। ଆଉ ଗଲା ବେଳେ ଘରେ ଥିବା ଦାମୀ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ଏପରିକି ଫୋନ୍ ଉଠାଇ ନଥିଲେ। ଏହା ପରେ ଅମରିନ୍ଦରଙ୍କ ମନରେ ସନ୍ଦେହ ହୋଇଥିଲା। ନିଜ ପତ୍ନୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ସେହି ସମୟରେ ସେ ଜାଣିବାକୁ ପାଇଥିଲେ, ଯାହାକୁ ପତ୍ନୀ ଭାବେ ଗ୍ରହଣ କରିଥିଲେ, ସିଏ ପୂର୍ବରୁ ବିବାହ କରିଥିଲେ। ତାଙ୍କର ୧୮ ବର୍ଷର ଜଣେ ପୁଅ ଥିବା ଜାଣିବାକୁ ପାଇଥିଲେ ଅମରିନ୍ଦର। ବୟସ କମ ଦେଖାଇବା ପାଇଁ ରେକର୍ଡପତ୍ରରେ ଜାଲିଆତି କରିଥିଲେ।

ମହିଳାଙ୍କ ବିରୋଧରେ ପ୍ରମାଣ ଏକତ୍ର କରିବା ପରେ ଅମରିନ୍ଦର ଫତେହଗଡ଼ ସାହିବ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ନମ୍ବର ୨୪୦ରେ ମାମଲା ରୁଜୁ କରିଛି। ମହିଳା ମନବିନ୍ଦର କୌରଙ୍କ ସମେତ ମୋଟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ। ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ମହିଳାଙ୍କ ଭାଇ ତରଲୋଚନ ସିଂହ, ମାଆ ବରିନ୍ଦରଜିତ କୌର, ମାମୁ ପୁଅ ନରିନ୍ଦର ସିଂହ ଗୋଲ୍ଡି, ଭାଉଜ ରୂପିନ୍ଦର କୌର ଓ ଗାଁର ପୂର୍ବତନ ସରପଞ୍ଚ ସୁରିନ୍ଦର ସିଂହ ରାଣାଙ୍କ ନାଁ ରହିଛି। ସମସ୍ତେ ତରନତାରନ ଜିଲ୍ଲାର ସୁରସିଂହ ଗାଁର ବାସିନ୍ଦା ବୋଲି କୁହାଯାଇଛି।

ଏହି ଘଟଣା ଆହୁରି ଚର୍ଚ୍ଚାରେ ଆସିଛି, କାରଣ ବିବାହ ସମାରୋହରେ ଆମ୍ ଆଦମୀ ପାର୍ଟିର ଅନେକ ବଡ଼ ନେତା ଓ ଜନପ୍ରତିନିଧି ଯୋଗ ଦେଇଥିଲେ। ପଞ୍ଜାବ ବିଧାନସଭା ବାଚସ୍ପତି କୁଲତାର ସିଂହ ସନ୍ଧୱାନ ଓ କ୍ୟାବିନେଟ୍ ମନ୍ତ୍ରୀ ତରନପ୍ରୀତ ସିଂହ ସୌନ୍ଦଙ୍କ ସମେତ ଅନେକ ରାଜନୈତିକ ବ୍ୟକ୍ତି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଉତ୍ସବ ସମୟର କିଛି ଫଟୋ ଓ ଭିଡିଓରେ ନେତାମାନେ ଏକାଠି ଉତ୍ସବ ପାଳନ କରୁଥିବା ଦେଖାଯାଇଥିଲା।

ଏବେ ବିବାହକୁ ନେଇ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଘଟଣାଟି ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ତେବେ ମହିଳା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତମାନଙ୍କ ସନ୍ଧାନ କରୁଛି।