ଧାର୍ମିକ ବିଶ୍ୱାସ ନା ଅନ୍ଧବିଶ୍ଵାସ: ଯେତେବେଳେ ନିଜର ବାପା-ମା’ ମଧ୍ୟ ଅଜଣା ପାଲଟିଯାଆନ୍ତି..
ନବଜାତ ଶିଶୁର ଶେଷକୃତ୍ୟ କରିବାକୁ ଆସିଲେନି ପରିବାର; ମାନବିକତା ଦେଖାଇଲେ ଶବବାହକ ଦେବରାଜ ଗାଏକୱାଡ଼
ମହାରାଷ୍ଟ୍ର: ଘରକୁ ଜଣେ କୁନି ଅତିଥି ଆସିଲେ ସାଧାରଣତଃ ସମସ୍ତଙ୍କ ମନ ଖୁସିରେ ଝୁମେ । ଖୁସିରେ ପାଦ ତଳେ ଲାଗେ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ କାହାଣୀ କହିବୁ ଯାହାକୁ ପଢ଼ିଲେ ହୁଏତ ଆପଣ ବି କାନ୍ଦି ପକେଇବେ । ଜନ୍ମ ନେବାର ମାତ୍ର କିଛି କ୍ଷଣ ପରେ, ଯେତେବେଳେ ଏକ ନବଜାତ ଶିଶୁର କୋମଳ ପ୍ରାଣ ବାୟୁରେ ମିଳେଇଗଲା, ସେତେବେଳେ କେବଳ ସେହି କୁନି ଶିଶୁଟିର ପ୍ରାଣହାନୀ ଘଟିନଥିଲା, ବରଂ ମାନବିକତା ଏବଂ ସମ୍ପର୍କର ସବୁଠୁ ପବିତ୍ର ବନ୍ଧନ ମଧ୍ୟ ନିଜର ପ୍ରାଣ ହରାଇ ବସିଥିଲା।
ମା’ ଗର୍ଭରୁ ବାହାରି ଦୁନିଆର ଆଲୋକ ଦେଖିବାକୁ ପାଇନଥିବା ସେହି ଚାରି ମାସର ଅଭାଗା ଶିଶୁଟି ପାଇଁ ତା’ର ନିଜ ମା’-ବାପା ଏବଂ ପରିବାରର ଲୋକେ ଟିକେ ମଧ୍ୟ ଆଖିରୁ ଲୁହ ଗଡ଼ାଇଲେ ନାହିଁ। ଯେଉଁ ପରିବାରରେ କାହା ଜନ୍ମରେ ଖୁସିର ଲହରୀ ଖେଳିବା କଥା, ସେଠି ଆଜି ଅନ୍ଧବିଶ୍ୱାସର କଳା ବାଦଲ ଏପରି ଘୋଟାଇ ହୋଇ ରହିଲା ଯେ, ନିଜ କୋଳର ସନ୍ତାନର ମୃତଦେହକୁ ଛୁଇଁବାକୁ ମଧ୍ୟ କାହାର ହାତ ଗଲା ନାହିଁ।
ବାପା ନିଜେ ଉପସ୍ଥିତ ଥିଲେ, ହେଲେ ଦୂରେଇ ରହିଲେ; ଆଉ ମୃତ ଶିଶୁଟିର ଅନ୍ତିମ ସଂସ୍କାର ପାଇଁ ଅଜଣା ଲୋକଙ୍କୁ ଭରସା କରି ଚାଲିଗଲେ। ଏପରି ଏକ ହୃଦୟ ବିଦାରକ ଏବଂ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଛତ୍ରପତି ସମ୍ଭାଜିନଗରରୁ।
ଏକ ଅକାଳ ବିଦାୟ ଏବଂ ଅଭାଗା ଶିଶୁ: ଜଳଗାଓଁ ଜିଲ୍ଲାର ଜଣେ ଚାରି ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ସେଭେନ୍ ହିଲ୍ସ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଜରୁରୀକାଳୀନ ପ୍ରସବ କରାଯାଇଥିଲେ ହେଁ, ଅସମୟର କୋଳରେ ଜନ୍ମ ନେଇଥିବା ସେହି କୁନି ଶିଶୁଟି ବଞ୍ଚିପାରି ନଥିଲା ଏବଂ ଅକ୍ଟୋବର ୧୩ ତାରିଖରେ ତା’ର ମୃତ୍ୟୁ ଘଟିଥିଲା।
ଅନ୍ଧବିଶ୍ୱାସର ଅନ୍ଧାର ଏବଂ ନିର୍ମମତା: ଶିଶୁର ମୃତ୍ୟୁ ପରେ ଯେତେବେଳେ ଅନ୍ତିମ ସଂସ୍କାର କରିବା କଥା ଆସିଲା, ସେତେବେଳେ ପରିବାରବର୍ଗ ଏବଂ ବାପା-ମାଆ ସମସ୍ତେ ମନା କରିଦେଇଥିଲେ। ସେମାନଙ୍କ ଅନ୍ଧବିଶ୍ୱାସୀ ଯୁକ୍ତି ଥିଲା ଯେ, “ନବରାତ୍ରି ସମୟରେ କୌଣସି ମୃତ ଶିଶୁ କିମ୍ବା ବ୍ୟକ୍ତିକୁ ଛୁଇଁବା ନିଷେଧ ଏବଂ ଏହା ଅଶୁଭ।” ଏପରିକି ଶିଶୁଟିର ବାପା ସେଠାରେ ୫-୬ ଜଣ ସମ୍ପର୍କୀୟଙ୍କୁ ଧରି ଆସିଥିଲେ, କିନ୍ତୁ କେହିଜଣେ ହେଲେ ମଧ୍ୟ ଶବକୁ କାନ୍ଧ ଦେବାକୁ କିମ୍ବା ଛୁଇଁବାକୁ ଆଗେଇ ଆସିନଥିଲେ।
ମୂକଦର୍ଶକ ସାଜିଥିବା ବାପା: ଶିଶୁଟିର ବାପା ଶ୍ମଶାନକୁ ଏକ ଅଟୋ ରିକ୍ସାରେ ଆସିଥିଲେ, କିନ୍ତୁ ସେ ଶବଠାରୁ ପ୍ରାୟ ୧୦୦ ରୁ ୧୫୦ ମିଟର ଦୂରରେ ଛିଡ଼ା ହୋଇ ମୂକଦର୍ଶକ ଭଳି ସବୁକିଛି ଦେଖୁଥିଲେ। ଶ୍ମଶାନର କର୍ମଚାରୀମାନେ ତାଙ୍କୁ ପାଖକୁ ଆସି ପୂଜାବିଧି କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ସ୍ପଷ୍ଟ ମନା କରିଦେଇଥିଲେ।
ଶେଷରେ ସବୁ କାଗଜପତ୍ରରେ ଦସ୍ତଖତ କରି କିଛି ନ ଚାହିଁ ସେ ସେଠାରୁ ଚାଲିଯାଇଥିଲେ। ମୃତ୍ୟୁର ଦୁଃଖ ପରିବର୍ତ୍ତେ ବାପାଙ୍କ ମୁହଁରେ କୌଣସି ପ୍ରକାରର ଭାବାନ୍ତର କିମ୍ବା ଶୋକ ନଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଦେବରାଜ ଗାଏକୱାଡ ପାଲଟିଗଲେ ଭଗବାନ: ଏଭଳି ଅମାନବୀୟ ପରିସ୍ଥିତିରେ CIDCO N-6 ଶ୍ମଶାନର ଆମ୍ବୁଲାନ୍ସ/ହର୍ସ୍ ଡ୍ରାଇଭର ଦେବରାଜ ଗାଏକୱାଡ ଆଗେଇ ଆସିଥିଲେ। ସେ ନିଜ ଜୀବନରେ ଏଭଳି ଅଭୂତପୂର୍ବ ପରିସ୍ଥିତି କେବେ ଦେଖିନଥିବା କହିଛନ୍ତି। ପରିବାର ଲୋକେ ମୁହଁ ଫେରାଇ ନେବା ପରେ, ଦେବରାଜ ନିଜ ସହକର୍ମୀଙ୍କ ସହାୟତାରେ ସେହି କୁନି ଶିଶୁର ମୃତଦେହକୁ ସମ୍ମାନଜନକ ଭାବେ ଶ୍ମଶାନକୁ ଆଣିଥିଲେ ଏବଂ ନିଜ ହାତରେ ସମସ୍ତ ଅନ୍ତିମ ସଂସ୍କାର ଓ ବିଧି ସମ୍ପନ୍ନ କରିଥିଲେ।
ଆଜି ସେହି ଅଭାଗା ଶିଶୁ ପାଇଁ ବାପା-ମାଆ ନିଜ କର୍ତ୍ତବ୍ୟରୁ ଦୂରେଇ ଯାଇଥିବା ବେଳେ, ଦେବରାଜ ଗାଏକୱାଡ ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ସମାଜରେ ପ୍ରକୃତ ‘ହିରୋ’ ସାଜିଛନ୍ତି।


