ବିରିୟାନୀ ପାଇଁ ବିବାଦ, ସ୍କୁଲର ତୃତୀୟ ତାଲାରୁ ଡେଇଁ ଛାତ୍ରୀ ମୃତ, ପରିବାର ଆଣିଲେ ସାଂଘାତିକ ଅଭିଯୋଗ

ଫରିଦାବାଦ ସ୍କୁଲରେ ଦୁଃଖଦ ଘଟଣା, ତୃତୀୟ ମହଲାରୁ ଡେଇଁ ୧୬ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ

ହରିୟାଣା: ହରିୟାଣାର ଫରିଦାବାଦସ୍ଥିତ ନବୋଦୟ ବିଦ୍ୟା ନିକେତନ ସିନିୟର ସେକେଣ୍ଡାରୀ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୬ ବର୍ଷୀୟା ଛାତ୍ରୀ ସ୍କୁଲର ତୃତୀୟ ମହଲାରୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ ଛାତ୍ରୀ ଜଣକ ହେଉଛନ୍ତି ଡବୁଆ ଅଞ୍ଚଳର ଜାନଭୀ।

ପିତାଙ୍କ ସାଙ୍ଘାତିକ ଅଭିଯୋଗ: ମୃତ ଛାତ୍ରୀଙ୍କ ପିତା ପ୍ରମୋଦ କୁମାର ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ଶ୍ରେଣୀକକ୍ଷରେ ଛାତ୍ରୀମାନଙ୍କ ମଧ୍ୟରେ ବିରିଆନୀ ଖାଇବାକୁ ନେଇ ଏକ ବିବାଦ ହୋଇଥିଲା।

ଏହି ଘଟଣାରେ ତାଙ୍କ ଝିଅର କୌଣସି ଭୁଲ୍ ନଥିବା ସତ୍ତ୍ୱେ ତାଙ୍କୁ ପ୍ରାୟ ଚାରି ଘଣ୍ଟା ଧରି ଖରାରେ ଠିଆ କରାଯାଇ ଦଣ୍ଡ ଦିଆଯାଇଥିଲା। ଏହି ମାନସିକ ନିର୍ଯାତନା ସହି ନପାରି ତାଙ୍କ ଝିଅ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପିତା ଅଭିଯୋଗ କରିଛନ୍ତି।

ପ୍ରଧାନଶକ୍ଷକଙ୍କ ପ୍ରତିକ୍ରିୟା: ଅନ୍ୟପକ୍ଷରେ, ସ୍କୁଲର ପ୍ରଧାନଶକ୍ଷକ ଆର.କେ. ଶର୍ମା ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ତାଙ୍କ ଅନୁଯାୟୀ, ଜାନଭୀ ଶ୍ରେଣୀକକ୍ଷରୁ ବାଥରୂମ ଯିବା କଥା କହି ବାହାରକୁ ଯାଇଥିଲେ ଏବଂ ପରେ ତୃତୀୟ ମହଲାରୁ ଡେଇଁ ପଡ଼ିଥିଲେ।

ପୁଲିସ ତଦନ୍ତ ଜାରି: ଘଟଣା ବିଷୟରେ ଖବର ପାଇବା ପରେ ଡବୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ସ୍କୁଲ ପ୍ରଶାସନ, ଶିକ୍ଷକ ଏବଂ ପରିବାରବର୍ଗଙ୍କୁ ପଚରାଉଚରା କରିବା ସହ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମସ୍ତ ଦିଗରୁ ଛାନଭିନ୍ ଚଳାଇଛି।