fbpx

୨୩ ଯାଏ ବଢ଼ିଲା ଚାଷୀ ନାମ ପଞ୍ଜୀକରଣ ସମୟସୀମା,ଏବେ ସୁଦ୍ଧା ୧୦ ଲକ୍ଷ ୧୪ ହଜାର ଚାଷୀ ପଞ୍ଜୀକୃତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣର ସମୟସୀମାକୁ ଅଗଷ୍ଟ ୨୩ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ ପଞ୍ଜୀକରଣ ଶେଷ ତାରିଖ ଥିଲା । ସୋମବାର ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ସଂପୃକ୍ତ ପ୍ୟାକସ୍‌/ ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାଣି ପଂଚାୟତ ମାଧ୍ୟମରେ ବର୍ଦ୍ଧିତ ସମୟସୀମା ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଏବଂ ସମବାୟ ସମିତି ସମୂହର ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯାଇଛି । ଯେଉଁ ଚାଷୀମାନେ ଏ ପର୍ଯ୍ୟନ୍ତ ସୋସାଇଟିରେ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନାହାନ୍ତି, ସେମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଚାଷୀମାନେ ନାମ ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ୍‌ ସହିତ ନିକଟସ୍ଥ ସୋସାଇଟିକୁ ଯାଇ ନିଜ ନାମ ପଞ୍ଜୀକରଣ କରାଇନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି । ଚାଷୀମାନେ ସୋସାଇଟିରେ ସେମାନଙ୍କର ନାମ ପଞ୍ଜୀକରଣ କରିବା ପାଇଁ ଯିବାବେଳେ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଓ କୋଭିଡ୍‌ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଗତକାଲି ସୁଦ୍ଧା ୧୦ ଲକ୍ଷ ୧୪ ହଜାର ୭୩୫ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିସାରିଛନ୍ତି । ରାଜ୍ୟର ୨,୮୮୧ଟି ସୋସାଇଟି ମାଧ୍ୟମରେ ଏହି ଚାଷୀ ନାମ ପଞ୍ଜୀକରଣ କରାଯାଉଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ନାମ ପଞ୍ଜୀକରଣ କରାଯାଇଛି ।

Get real time updates directly on you device, subscribe now.