fbpx

ଏକ ଟଙ୍କାରେ ଫସଲ ବୀମା, ୧୨,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇବେ କୃଷକ

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଯୋଡି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ଏଣିକି କୃଷକଙ୍କୁ ମିଳିବ ଅଧିକ ଆର୍ଥିକ ସହାୟତା । ଏହା ସହିତ ଫସଲ ବୀମାକୁ ନେଇ ମଧ୍ୟ ଏକ ବଡ ଘୋଷଣା କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପିଏମ କିସାନ ଯୋଜନା ସହ ଆଉ ଏକ ଯୋଜନା ଅଧୀନରେ ନିଜ ରାଜ୍ୟର ୧.୧୫ କୋଟି କୃଷକଙ୍କୁ ସହାୟତାର ହାତ ବଢାଇଛନ୍ତି ମହାରାଷ୍ଟ୍ର ସରକାର । କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି ।

କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିବା ସହ କୃଷି କ୍ଷେତ୍ରରେ ବିକାଶ ନେଇ ନମୋ ଶେତକରୀ ମହାସଂମନ ନିଧି ଯୋଜନା ପ୍ରଣୟନ କରିଛି ମହାରାଷ୍ଟ୍ର । ଏହାଦ୍ୱାରା ରାଜ୍ୟର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅର୍ଥାତ୍ କେନ୍ଦ୍ର ସରକାରଙ୍କ ପିଏମ କିସାନ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଯୋଜନାରେ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ପାଇପାରିବେ ରାଜ୍ୟର କୃଷକ । ଏହାବ୍ୟତୀତ କୃଷକଙ୍କ ପାଇଁ ୧ ଟଙ୍କାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ମୋଟ ୩,୩୧୨ କୋଟି ଟଙ୍କାର ଖର୍ଚ୍ଚ ବହନ କରିବ । ଏହି ଯୋଜନା ଅଧୀନରେ କୃଷକମାନେ ଏବେ ବର୍ତ୍ତମାନ କେବଳ ୧ ଟଙ୍କା ଶୁଳ୍କ ଦେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପୋର୍ଟାଲରେ ନିଜର ପଞ୍ଜୀକରଣ କରିପାରିବେ । ତେବେ ଏହି ବୀମାର କିସ୍ତି ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି ।

ସେହିପରି ଆତ୍ମହତ୍ୟାରେ ପ୍ରଭାବିତ ରାଜ୍ୟର ୧୪ଟି ଜିଲ୍ଲାକୁ ନେଇ ମଧ୍ୟ ବଡ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଏଠାକାର କୃଷକମାନଙ୍କୁ ପିଡିଏସ ଚାଉଳ ପରିବର୍ତ୍ତେ ୧୮୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ । ଏହାଦ୍ୱାରା କୃଷକମାନଙ୍କର ଆର୍ଥିକ ସ୍ତିତିରେ ସୁଧାର ଅଣାଯାଇପାରିବ ବୋଲି ଆଶା କରାଯାଉଛି । ଯାହାଦ୍ୱାରା ଏହି ଜିଲ୍ଲାମାନଙ୍କରେ ବଢୁଥିବା କୃଷକ ଆତ୍ମହତ୍ୟା ଘଟଣା ଧିରେ ଧିରେ ହ୍ରାସ ପାଇବ ।

Get real time updates directly on you device, subscribe now.