ବାପା ସାଜିଲା ରାକ୍ଷସ, ନିଜ ୧୦ ବର୍ଷର ପୁଅକୁ ଦେବୀଙ୍କ ପାଖରେ ବଳି ଦେଲା, ରାତିସାରା ଶବ ପାଖରେ ଶୋଇଲା

ଯେଉଁ ବାପା କୋଳରେ ଧରି ବଡ଼ କରିଥାନ୍ତା, ସେହି ବାପା ନେଇଗଲା ନିଜ ପୁଅର ଜୀବନ! ଦେବୀଙ୍କ ବେଦୀ ଆଗରେ ୧୦ ବର୍ଷର ଶିଶୁକୁ ହତ୍ୟା, ଶବ ପାଖରେ ଶୋଇପଡ଼ିଲା ବାପା!

ଗୁଜରାଟ: ଯେଉଁ ହାତ ଦିନେ ପୁଅକୁ ଆଦରରେ କୋଳେଇ ନେଉଥିଲା, ସେହି ହାତ ଯେ ଦିନେ ତା’ ଜୀବନ ନେଇଯିବ, ଏକଥା କେହି କେବେ କଳ୍ପନା ବି କରିନଥିବେ। ଘର ଭିତରେ ଥିଲା ଦେବୀଙ୍କ ବେଦୀ। ପାଖରେ ପଡ଼ିଥିଲା ୧୦ ବର୍ଷର ନିଷ୍ପାପ ଶିଶୁର ରକ୍ତାକ୍ତ ଶରୀର।

ଆଉ ସେହି ଶବ ପାଖରେ ଖଟିଆରେ ଶୋଇଥିଲା ନିଜ ଜନ୍ମକଲା ବାପା। ଯେତେବେଳେ ମା’ ଘଟଣାସ୍ଥଳରେ ପହଞ୍ଚିଲା, ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା।

ଏହି ଛାତିଥରା ଘଟଣା ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରୁ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ଅନ୍ଧବିଶ୍ୱାସର ଅଜବ ଭୟରେ ନିଜର ଏକମାତ୍ର ପୁଅକୁ ହତ୍ୟା କରିଛି ବାପା। ଏହି ଘଟଣା ପୂରା ଅଞ୍ଚଳରେ ଶୋକ ଓ ଆତଙ୍କ ଖେଳାଇଦେଇଛି।

ସାଣନ୍ଦ ଗାଁରେ ଛାତିଥରା ଘଟଣା: ସୂଚନା ଅନୁସାରେ, ରବିବାର ରାତିରେ ଗୁଜରାଟର ଅହମ୍ମଦାବାଦ ଜିଲ୍ଲା ଅନ୍ତର୍ଗତ ସାଣନ୍ଦ ତାଲୁକାର ବିଞ୍ଛିଆ ଗାଁରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ନରେଶ ପଟେଲ ଜଣେ କୃଷକ।

ପାରିବାରିକ କଳହ ପରେ ପ୍ରାୟ ୧୦ ଦିନ ତଳେ ତାଙ୍କ ପତ୍ନୀ ଭାରତୀବେନ୍‌ ନିଜ ବାପଘରକୁ ଚାଲିଯାଇଥିଲେ। ପୁଅର ପାଠପଢ଼ା ଥିବାରୁ ସେ ତାକୁ ସ୍ୱାମୀଙ୍କ ପାଖରେ ଛାଡ଼ି ଯାଇଥିଲେ। ହେଲେ ତାଙ୍କର ଏହି ନିଷ୍ପତ୍ତି ଯେ ଏତେ ବଡ଼ ଦୁଃଖଦ ଘଟଣାର କାରଣ ହେବ, ସେ କେବେ ଭାବିନଥିଲେ।

ଦେବୀଙ୍କ ପାଖରେ ପୁଅର ବଳି ଅଭିଯୋଗ: ପୋଲିସର ପ୍ରାଥମିକ ସୂଚନା ଏବଂ ଏତଲାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ନରେଶ ନିଜ ୧୦ ବର୍ଷର ପୁଅ କରଣକୁ ଘରେ ଥିବା ଦେବୀଙ୍କ ଛୋଟ ବେଦୀ ନିକଟକୁ ନେଇଥିଲେ।

ଅଭିଯୋଗ ହୋଇଛି ଯେ, ସେ ପୁଅର ଗୋଡ଼ ଧରି ବେଦୀ ସାମ୍ନାରେ ଦୁଇରୁ ତିନିଥର ତଳେ କଚାଡ଼ିଥିଲେ। ଏହାପରେ ଏକ କାଠରେ ତା’ ମୁଣ୍ଡକୁ ଆଘାତ କରିଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି।

ପୁଅର ଶବ ପାଖରେ ଶୋଇଥିଲା ବାପା: ଘଟଣାର ସବୁଠୁ ହୃଦୟବିଦାରକ ଦୃଶ୍ୟ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ପୁଅର ମୃତ୍ୟୁ ଖବର ପାଇ ମା’ ଗାଁରେ ପହଞ୍ଚିଥିଲେ। ରବିବାର ରାତି ପ୍ରାୟ ସାଢ଼େ ୯ଟାରେ ଜଣେ ପଡ଼ୋଶୀ ଫୋନ୍‌ କରି ତାଙ୍କୁ ଘଟଣା ବିଷୟରେ ଜଣାଇଥିଲେ।

ଘରେ ପହଞ୍ଚିବା ପରେ ସେ ପୁଅକୁ ରକ୍ତାକ୍ତ ଅବସ୍ଥାରେ ଖଟିଆ ତଳେ ପଡ଼ିଥିବା ଦେଖିଥିଲେ। ପୁଅର ମୁଣ୍ଡରେ ଗଭୀର ଆଘାତ ଚିହ୍ନ ଥିଲା। ଆଉ ତା’ ପାଖରେ ସେହି ଖଟିଆରେ ଶୋଇଥିଲା ଅଭିଯୁକ୍ତ ବାପା। ତାଙ୍କ ପୋଷାକରେ ମଧ୍ୟ ରକ୍ତ ଲାଗିଥିବା ଏତଲାରେ ଉଲ୍ଲେଖ ରହିଛି।

ପରିବାରରେ ଆଉ କେହି ‘ଭୁଭା’ ନ ହୁଅନ୍ତୁ: ତେବେ ଏହି ହତ୍ୟା ପଛର କାରଣ ଜାଣିବା ପରେ ଘଟଣା ଆହୁରି ଚିନ୍ତାଜନକ ହୋଇପଡ଼ିଛି। ମୃତ ଶିଶୁର ମା’ଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀ ନରେଶ କହିଥିଲେ ଯେ ତାଙ୍କ ବାପା ଦେବୀଙ୍କ ‘ଭୁଭା’ ବା ଦେବୀଙ୍କ ଉପାସକ ଭାବେ କାମ କରୁଥିଲେ ଏବଂ ସେ ମଧ୍ୟ ତାଙ୍କଠାରୁ ଏହି ଭୂମିକା ଗ୍ରହଣ କରିଥିଲେ।

ଏବେ ତାଙ୍କ ପରେ ପରିବାରର ଆଉ କେହି ଏହି ଭୂମିକା ନ ନିଅନ୍ତୁ, ସେଥିପାଇଁ ସେ ନିଜ ଏକମାତ୍ର ପୁଅର ବଳି ଦେଇଥିବା କହିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପରମ୍ପରାରେ ‘ଭୁଭା’ କହିଲେ ଦେବୀଦେବତା ଓ ସମାଜ ମଧ୍ୟରେ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଥିବା ଜଣେ ପାରମ୍ପରିକ ଅନୁଷ୍ଠାନକାରୀଙ୍କୁ ବୁଝାଯାଏ।

ଅଭିଯୁକ୍ତ ଗିରଫ: ଘଟଣା ସମ୍ପର୍କରେ ଖବର ପାଇବା ପରେ ସାଣନ୍ଦ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୁକ୍ତ ନରେଶ ପଟେଲଙ୍କୁ ଗିରଫ କରାଯାଇଛି। ପୋଲିସ ଅନୁସାରେ, ଅଭିଯୁକ୍ତଙ୍କ ମାନସିକ ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେଣୁ ତାଙ୍କର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସମ୍ଭାବନା ରହିଛି। ଏବେ ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।

ଗୋଟିଏ ମା’ ନିଜ ପୁଅକୁ ପାଠପଢ଼ା ପାଇଁ ବାପାଙ୍କ ପାଖରେ ଛାଡ଼ି ଯାଇଥିଲେ। ହେଲେ ଫେରିବା ବେଳକୁ ତାଙ୍କ କୋଳ ଶୂନ୍ୟ ହୋଇଯାଇଥିଲା। ଯେଉଁ ଘରେ ପୁଅର ହସ ଶୁଭୁଥିଲା, ସେହି ଘର ଏବେ ମା’ର କାନ୍ଦରେ ଫାଟିପଡ଼ୁଛି।